ନୟାଗଡ଼, ୨୩/୧୦ : ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ସାର୍ ଘରକୁ ଛୁ। ରାତିରେ ସ୍କୁଲ ଭିତରୁ ଉଦ୍ଧାର ହେଲେ ଛାତ୍ର । ନୟାଗଡ଼ ବ୍ଲକ୍ ବାରବାଟୀ ସଂସାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ସ୍କୁଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଛି । 

ସୂଚନାନୁଯାୟୀ, ନୟାଗଡ଼ ବ୍ଲକ୍ ବାରବାଟୀ ସଂସାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବୁଧବାର ବିଦ୍ୟାଳୟ ଶ୍ରେଣୀ ଗୃହରରେ ଶୋଇ ପଡିଥିଲେ। ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହୋଇଥିଲା। ସାର୍‌ମାନେ ପିଲାମାନଙ୍କୁ ବିଦ୍ୟାଳୟ ଗୃହ ତାଲା ପକାଇବାକୁ କହିଥିଲେ। ପିଲାମାନେ ତାଲା ପକାଇ ଶିକ୍ଷକଙ୍କୁ ଚାବି ଦେଇଥିଲେ। ସାର୍‌ମାନେ କିଛି ତଦାରଖ ନକରି ଘରକୁ ଚାଲି ଯାଇଥିଲୋ। ଶ୍ରେଣୀ ଗୃହରେ ଶୋଇ ପଡିଥିବା ପିଲାଟିର ନିଦ ରାତିରେ ଭାଙ୍ଗିଯାଇଥିଲା । ପରେ ସେ କବାଟ ବାଡେଇ ବାହାର ଲୋକଙ୍କୁ ଡାକିଥିଲା। ନୟାଗଡ଼ ଖଣ୍ଡପଡ଼ା ମୁଖ୍ୟ ରାସ୍ତା କଡ଼ରେ ବିଦ୍ୟାଳୟ ଥିବାରୁ ପିଲାଟିର ଡାକ କାହାକୁ ଶୁଭି ନଥିଲା। ତେବେ ସ୍କୁଲ ପାଖକୁ ପାଣି ପାଇଁ ଯାଇଥିବା ଜଣେ ବ୍ୟକ୍ତି ପିଲାଟିର କବାଟ ବାଡେଇବା ଶବ୍ଦ ଶୁଣି ଗାଁ ଲୋକଙ୍କୁ ଡାକିଥିଲା। ରାତି ପ୍ରାୟ ୯ଟା ବେଳକୁ ସ୍ଥାନୀୟ ଲୋକେ ତାଲା ଭାଙ୍ଗି ପିଲାଟିକୁ ଉଦ୍ଧାର କରିଥିଲେ। ଏହାକୁ କେନ୍ଦ୍ର କରି ଆଜି ସକାଳ ୧୦ଟାରୁ ବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରୁଛି।