ନୂଆଦିଲ୍ଲୀ ୩୧/୧୦: ଗବେଷଣାରୁ ଜଣାପଡିଛି ଯେ ରାତିରେ ଲାଇଟ୍‌ ଜାଳି ଶୋଇବା ଦ୍ୱାରା ହୃଦ୍‌ଘାତଜନିତ ଆଶଙ୍କା ବହୁ ମାତ୍ରାରେ ବଢିଯାଇଥାଏ । ଯେପରିକି ହାର୍ଟ ଫେଲିୟୋର ଓ ଷ୍ଟ୍ରୋକ୍‌ ପରି ସମସ୍ୟା । ରାତିରେ ଆଲୋକର ତୀବ୍ରତା ସଂସ୍ପର୍ଶରେ ଆସିବା ଯୋଗୁ ବିଶେଷକରି ୪୦ ବର୍ଷରୁ ଅଧିକ ବୟସ୍କମାନଙ୍କ କ୍ଷେତ୍ରରେ ହୃଦ୍‌ରୋଗର ଆଶଙ୍କା ୫୬ ପ୍ରତିଶତ ବଢିଯାଇଥାଏ । ଗବେଷକମାନେ ପ୍ରାୟ ୮୯,୦୦୦ ଲୋକଙ୍କୁ ନେଇ ଏକ ସର୍ଭେ କରିଥିଲେ ।

ବିଶ୍ଲେଷଣରୁ ମିଳିଛି ଯେ ୪୦ ବର୍ଷରୁ ତଦୁର୍ଦ୍ଧ ଯେଉଁ ବ୍ୟକ୍ତିମାନେ ରାତିରେ ଲାଇଟ୍‌ ଜାଳି ଶୋଇଛନ୍ତି, ସେମାନଙ୍କଠାରେ ହାର୍ଟ ଫେଲ୍‌, ଷ୍ଟ୍ରୋକ୍‌ ଓ ହୃଦ୍‌ସ୍ପନ୍ଦନ୍‌ ତୀବ୍ର ହେବା ପରି ସମସ୍ୟା ବଢିବାର ଆଶଙ୍କା ରହିଥାଏ । ଗବେଷଣା ଅନୁସାରେ ରାତିରେ ତୀବ୍ର ଆଲୋକ ସମ୍ପର୍କରେ ଆସିବା ଦ୍ୱାରା ଯେପରିକି ଲାଇଟ୍‌ ଜାଳି ଶୋଇବା ଓ ଫୋନ୍‌ ସ୍କ୍ରୋଲିଂ ମଧ୍ୟ ସାମିଲ୍‌ ରହିଛି । ଏମାନଙ୍କଠାରେ ହୃଦ୍‌ଘାତର ଆଶଙ୍କା ୫୬ ପ୍ରତିଶତ ଅଧିକ ରହିଥାଏ । ବିଶେଷକରି ୪୦ ବର୍ଷ ପରେ ଏହା ଅଧିକ ଆଶଙ୍କା ବହୁ ମାତ୍ରାରେ ବଢିଥାଏ । ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ବିଶ୍ୱବିଦ୍ୟାଳୟର ଗବେଷକ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ପ୍ରାୟ ୮୯,୦୦୦ ଲୋକଙ୍କ ଦ୍ୱାରା ସେନସର୍‌ ମାଧ୍ୟମରେ ୧୩୦ ଲକ୍ଷ ଘଣ୍ଟାରୁ ଅଧିକ ଆଲୋକ ସଂସ୍ପର୍ଶରେ ଆସିଥିବାର ଡାଟା ବିଶ୍ଲେଷଣ କରାଯାଇଥିଲା । ପ୍ରତିଯୋଗୀଙ୍କୁ ପ୍ରାୟ ୯ ବର୍ଷରୁ ଅଧିକ ଅନୁସରଣ କରାଯାଇଥିଲା ।

ଯୁବବର୍ଗଙ୍କ ଭିତରେ ବଢୁଛି ହୃଦ୍‌ରୋଗ:

ରାତିରେ ତୀବ୍ର ଆଲୋକ ସଂସ୍ପର୍ଶରେ ଆସିବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ୪୭ ପ୍ରତିଶତ, କାରୋନାରୀ ଆର୍ଟାରୀ ଆଶଙ୍କା ୩୨ ପ୍ରତିଶତ ଓ ଷ୍ଟ୍ରୋକ୍‌ ଆଶଙ୍କା ୨୮ ପ୍ରତିଶତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଆମେରିକାର ମେଡିକାଲ ଆସୋସିଏସନ୍‌ ନେଟୱାର୍କ ଓପନ୍‌ରେ ପ୍ରକାଶିତ ହୋଇଛି ଯେ ୪୦ ବର୍ଷ ପରେ ରାତିରେ ମାତ୍ରାଧିକ ଆଲୋକ ସଂସ୍ପର୍ଶରେ ଆସିବା ହୃଦ୍‌ରୋଗର ଏକ ଗୁରୁତ୍ୱପୂର୍ଣ୍ଣ କାରକ ସାଜିଥାଏ । ଫ୍ଲିଣ୍ଡର୍ସ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାର ମୁଖ୍ୟ ଡାନିୟଲ୍‌ ୱିଡ୍ରେଡ୍‌ଙ୍କ ମତରେ ଗବେଷଣାରୁ ଜଣାପଡିଛି ଯେ ରାତିରେ ତୀବ୍ର ଆଲୋକ ସଂସ୍ପର୍ଶରେ ଆସିବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ମଜଭୁତ ହୋଇଥାଏ ।

ସେ କହିଛନ୍ତି ରାତିରେ ତୀବ୍ର ଆଲୋକ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରର ଆନ୍ତରିକ ସର୍କେଡିଆନ୍‌ ଘଡି ବାଧାପ୍ରାପ୍ତ ହୋଇଥାଏ । ଫଳରେ କ୍ଷତିକାରକ ହୃଦ୍‌ଘାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢିଯାଇଥାଏ । ଗବେଷଣାରୁ ଏକଥା ମଧ୍ୟ ଜଣାପଡିଛି ଯେ ଏହି ଆଶଙ୍କା ମହିଳା ଓ ଯୁବବର୍ଗଙ୍କ ପାଇଁ ବେଶୀ ସମ୍ବେଦନଶୀଳ । ତେଣୁ ଯଥାସମ୍ଭବ ନିଜ ପ୍ରତି ଯତ୍ନଶୀଳ ରହିବା ଜରୁରି । ସେ କହିଛନ୍ତି ଯେ ରାତିରେ ତୀବ୍ର ଆଲୋକରୁ ରକ୍ଷା ପାଇବା ପାଇଁ ବ୍ଲାକ୍‌ଆଉଟ୍‌ ପରଦାର ବ୍ୟବହାର, ହାଲ୍‌କା ଆଲୋକ ଓ ଶୋଇବା ପୂର୍ବରୁ ସ୍କ୍ରିନ୍‌ଠାରୁ ଦୂରେଇ ରହିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାକୁ କମ୍‌ କରାଯାଇପାରିବ ।