ନୂଆଦିଲ୍ଲୀ: ଲେହ ହିଂସାକୁ ଉସୁକାଉଥିବା ଅଭିଯୋଗକୁ ଗୁରୁବାର ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଅସ୍ୱୀକାର କରିଛନ୍ତି। ଏନେଇ ୱାଙ୍ଗଚୁକ୍ କହିଛନ୍ତି ଯେ, "ମୋତେ ସିଧାସଳଖ ଟାର୍ଗେଟ କରାଯାଉଛି। ଆଉ ଏହା ପରିସ୍ଥିତିରେ ଉନ୍ନତି ଆଣିବ ନାହିଁ, ବରଂ ଏହାକୁ ଆହୁରି ଅଧିକ ଖରାପ କରିଦେବ।"

ଆପଣଙ୍କୁ ଜଣାଇ ରଖୁ ଯେ, ଗତ ସେପ୍ଟେମ୍ବର ୨୪ ତାରିଖ ଦିନ ଗୃହ ମନ୍ତ୍ରଣାଳୟ ଲେହରେ ହୋଇଥିବା ହିଂସା ପାଇଁ ୱାଙ୍ଗଚୁକ୍ ଙ୍କୁ ଦାୟୀ କରିଥିଲା। ଏ ସମ୍ପର୍କରେ ସୂଚନା ଦେଇ ସରକାର କହିଥିଲେ ଯେ, "ୱାଙ୍ଗଚୁକ୍ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇ ଲୋକମାନଙ୍କୁ ଉସୁକାଇଥିଲେ। ହିଂସା ମଧ୍ୟରେ ତାଙ୍କର ଉପବାସ ଭାଙ୍ଗିଥିଲେ, କିନ୍ତୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ସେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ଗାଁକୁ ଚାଲିଯାଇଥିଲେ।"

ଅନ୍ୟପଟେ, ଏକ ବିଦେଶୀ ପାଣ୍ଠି ମାମଲା ସହିତ ଜଡିତ ମାମଲାରେ ୱାଙ୍ଗଚୁକ୍ ଙ୍କ ଏନଜିଓ, ହିମାଲୟନ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ସ ଲଦାଖ (HIAL) ଉପରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ସରକାର ତାଙ୍କ ଏନଜିଓର ବିଦେଶୀ ପାଣ୍ଠି ଲାଇସେନ୍ସ ବାତିଲ କରିଛନ୍ତି। ତାଙ୍କର ଏନଜିଓ, HIAL ଏବଂ ଛାତ୍ର ଶିକ୍ଷା ଏବଂ ସାଂସ୍କୃତିକ ଆନ୍ଦୋଳନ ଲଦାଖ (SECMOL) ଉପରେ ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ (FCRA) ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି।

ସିବିଆଇ ଦଳ ବର୍ତ୍ତମାନ ଲଦାଖରେ ଉପସ୍ଥିତ ରହି ଏହି ମାମଲା ଉପରେ ନଜର ରଖିଛି। ଏନେଇ ସିବିଆଇ ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ଏହି ହିଂସାତ୍ମକ ଘଟଣାରେ ଏପର୍ଯ୍ୟନ୍ତ ଯାଏଁ କୌଣସି ଏଫଆଇଆର ରୁଜୁ ହୋଇନାହିଁ। ତେବେ ସିବିଆଇ ସୋନମଙ୍କ ଏନଜିଓର ଆକାଉଣ୍ଟ ଏବଂ ରେକର୍ଡ ଯାଞ୍ଚ କରୁଛି। ଏନେଇ ସୋନମ କହିଛନ୍ତି ଯେ ସେମାନଙ୍କର ସଂଗଠନ ବିଦେଶୀ ଦାନ ଉପରେ ନିର୍ଭରଶୀଳ ନୁହେଁ। ଆମେ ଅବହେଳିତ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିଥାଉ। HIAL ରେ କାମ କରିବା ପାଇଁ ଛାତ୍ରମାନଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ଦିଆଯାଇଥାଏ।

ଆପଣଙ୍କୁ ଜଣାଇରକୁ ଯେ, ଗତ ସେପ୍ଟେମ୍ବର ୨୪ ତାରିଖରେ, ଲେହରେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିବା ଏହି ସଭା ଧିରେଧିରେ ହିଂସାତ୍ମକ ରୂପ ନେଇଥିଲା। ୧୯୮୯ ପରଠାରୁ ଏହା ଲଦାଖରେ ଦେଖାଯାଇଥିବା ସବୁଠାରୁ ବଡ ହିଂସା। ଏହି ହିଂସାରେ ସାମିଲ ଯୁବକମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା ମଧ୍ୟ କରିଥିଲେ। ଏହି ହିଂସାରେ ବିଜେପି କାର୍ଯ୍ୟାଳୟ, ହିଲ୍ କାଉନସିଲ୍ ଏବଂ ସେନା ସମେତ ଅନେକ ଗାଡ଼ିକୁ ପୋଡ଼ି ଦିଆଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀକୁ ଲୁହ ବୁହା ଗ୍ୟାସ ବ୍ୟବହାର କରିବାକୁ ପଡିଥିଲା। ଏହି ହିଂସାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୮୦ରୁ ଅଧିକ ପ୍ରଦର୍ଶନକାରୀ ଏବଂ ୩୦ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ।