ନୂଆଦିଲ୍ଲୀ: ପରିବେଶବିଦ୍ ତଥା ସାମାଜିକ କର୍ମୀ ସୋନମ୍ ଓ୍ଵାଙ୍ଗଚୁକଙ୍କୁ ଗିରଫ ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି। ତାଙ୍କୁ ଲଦାଖରୁ ଗିରଫ କରାଯାଇ ବର୍ତ୍ତମାନ ରାଜସ୍ଥାନର ଜୋଧପୁରସ୍ଥିତ ଏକ ଜେଲରେ ରଖାଯାଇଥିବା ସୂଚନା ମିଳିଛି। ତାଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ (National Security Act - NSA) ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ଗିରଫଦାରିକୁ ଚ୍ୟାଲେଞ୍ଜ କରି ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ଭାରତର ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଛନ୍ତି।
ଏହି ଆବେଦନଟି ଆଇନଜୀବୀ ସର୍ବମ ରିତମ ଖାରେଙ୍କ ମାଧ୍ୟମରେ ଗତ ଗୁରୁବାର ଦାଖଲ କରାଯାଇଛି। ତେବେ, ଦଶହରା ଉପଲକ୍ଷେ ସୁପ୍ରିମକୋର୍ଟ ଚଳିତ ସପ୍ତାହ ବନ୍ଦ ଥିବାରୁ ଏହି ଆବେଦନର ଶୁଣାଣି କେବେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସୂଚନା ଅନୁଯାୟୀ, ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ତାରିଖ ମିଳିବା ପାଇଁ ବର୍ତ୍ତମାନ ଅପେକ୍ଷା କରାଯାଉଛି।
ଆନ୍ଦୋଳନର କାରଣ…?
୨୦୧୯ ମସିହାରେ ଲଦାଖକୁ ଜମ୍ମୁ ଓ କାଶ୍ମୀରରୁ ଅଲଗା କରି ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ତେବେ ପରେ ସେଠାକାର ସ୍ଥାନୀୟ ଜନତା ଲଦାଖକୁ ରାଜ୍ୟ ମାନ୍ୟତା ସହ ସ୍ଥାନୀୟ ସ୍ୱାୟତ୍ତତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୀର୍ଘ ଦିନ ଧରି ଦାବି ରଖିଆସୁଛନ୍ତି। ଏହି ଦାବିକୁ ନେଇ ଲଦାଖରେ ବିଭିନ୍ନ ସମୟରେ ଆନ୍ଦୋଳନ ଓ ବିକ୍ଷୋଭ ଦେଖାଦେଇଛି। ସୋନମ୍ ଓ୍ଵାଙ୍ଗଚୁକ, ଏହି ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ, ଏହି ଆନ୍ଦୋଳନ ମଧ୍ୟରେ ହିଂସାତ୍ମକ ଘଟଣା ଘଟିବା ପରେ ତାଙ୍କୁ ଜାତୀୟ ସୁରକ୍ଷା ଆଇନ ଅଧୀନରେ ଗିରଫ କରାଯାଇଥିଲା।
ଜାତୀୟ ସୁରକ୍ଷା ଆଇନ ଏବଂ ବିବାଦ
ଜାତୀୟ ସୁରକ୍ଷା ଆଇନ (NSA) ଏକ କଠୋର ଆଇନ, ଯାହା ଜାତୀୟ ସୁରକ୍ଷାକୁ ନେଇ ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ବିନା ଶୁଣାଣିରେ ପ୍ରଶାସନକୁ ଅଟକ ରଖିବାର ଅଧିକାର ଦେଇଥାଏ। ଓ୍ଵାଙ୍ଗଚୁକଙ୍କ ଅଟକକୁ ନେଇ ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ଏହାକୁ ଅନୁଚିତ ଏବଂ ଅଯୌକ୍ତିକ ବୋଲି ଦାବି କରିଛନ୍ତି। ତାଙ୍କ ଦ୍ୱାରା ଜାରି କରାଯାଇଥିବା ଆବେଦନରେ ଏହି ଗିରଫଦାରିକୁ ଚ୍ୟାଲେଞ୍ଜ କରାଯାଇଛି। ଯେଉଁଥିରେ ସୋନମ୍ ଓ୍ଵାଙ୍ଗଚୁକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହୋଇଥିବା ଦାବି କରାଯାଇଛି।
ସୋନମ୍ ଓ୍ଵାଙ୍ଗଚୁକ କିଏ?
ସୋନମ୍ ଓ୍ଵାଙ୍ଗଚୁକ ଭାରତର ଜଣେ ଜଣାଶୁଣା ପରିବେଶବିଦ୍ ଏବଂ ଶିକ୍ଷାବିତ୍ ଅଟନ୍ତି। ସେ ଲଦାଖରେ ‘ସ୍ଟୁଡେଣ୍ଟସ୍ ଏଡୁକେସନାଲ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ ଲଦାଖ’ (SECMOL) ନାମକ ଏନଜିଓ ପ୍ରତିଷ୍ଠା କରିଛନ୍ତି। ଯାହା ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ପ୍ରଦାନ ଓ ସଂସ୍କୃତି ସଂରକ୍ଷଣ ଉପରେ କାର୍ଯ୍ୟ କରୁଛି। ଏହା ବ୍ୟତୀତ, ତାଙ୍କ ପରିବେଶ ସଂରକ୍ଷଣ ଏବଂ ନୂତନ ଉଦ୍ଭାବନ ତାଙ୍କୁ ବିଶ୍ୱବ୍ୟାପୀ ପରିଚୟ ପ୍ରଦାନ କରିଛି।
କଣ ରହିବ ଆଗାମୀ ପଦକ୍ଷେପ
ସୁପ୍ରିମକୋର୍ଟରେ ଏହି ଆବେଦନର ଶୁଣାଣି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯାହା ଲଦାଖରେ ଚାଲିଥିବା ରାଜନୈତିକ ଏବଂ ସାମାଜିକ ଆନ୍ଦୋଳନ ଉପରେ ଗୁରୁତର ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ଏହି ମାମଲା ସମ୍ପର୍କରେ ଅଧିକ ଅପଡେଟ୍ ପାଇଁ ସୁପ୍ରିମକୋର୍ଟର ଶୁଣାଣି ଏବଂ ସରକାରୀ ଘୋଷଣା ଉପରେ ନଜର ରଖାଯାଉଛି।