ନୂଆଦିଲ୍ଲୀ,୨୩/୦୯: ପୁଣି କ୍ରିକେଟରେ ଦେଖିବାକୁ ମିଳିବ 'ଦାଦାଗିରି' । ଫେରିଛନ୍ତି ଦାଦା ସୌରଭ ଗାଙ୍ଗୁଲି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂଆ ସଭାପତିଙ୍କ ଚୟନକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ, ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପୁଣି ଥରେ ଗୁରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରତୀୟ ବୋର୍ଡର ସଭାପତି ଗାଙ୍ଗୁଲି ପୁଣି ଥରେ କ୍ରିକେଟ ବସ୍‌ ହୋଇଛନ୍ତି। କିନ୍ତୁ ଏଥର, ସେ ଭାରତୀୟ କ୍ରିକେଟର ନେତୃତ୍ୱ ନେଉନାହାଁନ୍ତି, ବରଂ ତାଙ୍କ ଘରୋଇ ରାଜ୍ୟ ବେଙ୍ଗଲ କ୍ରିକେଟର ନେତୃତ୍ୱ ନେଉଛନ୍ତି । ଗାଙ୍ଗୁଲି ପୁଣି ଥରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (CAB)ର ସଭାପତି ହୋଇଛନ୍ତି । ସିଏବିର ବାର୍ଷିକ ସାଧାରଣ ବୈଠକରେ (AGM) ସେ ସଭାପତି ନିର୍ବାଚିତ ହୋଇଥିଲେ । କ୍ରମାଗତ ଦ୍ୱିତୀୟ ଥର ପାଇଁ ସଭାପତି ଦାୟିତ୍ୱ ତୁଲାଇଛନ୍ତି ସୌରଭ ଗାଙ୍ଗୁଲି ।

ସୌରଭ ଗାଙ୍ଗୁଲି ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଏବେ, ସେ ପୁଣି ଥରେ କ୍ରିକେଟ୍ ବସ୍‌ ଭାବରେ ଫେରିଛନ୍ତି । କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ୯୪ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ସୌରଭ ଗାଙ୍ଗୁଲିଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ଏହା ଆନୁଷ୍ଠାନିକ ଭାବରେ ବହୁ ବର୍ଷ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଥିଲା । ଗାଙ୍ଗୁଲି ୬ବର୍ଷ ପରେ ପୁନର୍ବାର ବେଙ୍ଗଲ କ୍ରିକେଟର ମୁଖ୍ୟ ହୋଇଛନ୍ତି । ପୂର୍ବରୁ, ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ଆସୋସିଏସନର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ବେଙ୍ଗଲ କ୍ରିକେଟ ବୋର୍ଡ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ ସୌରଭ ଗାଙ୍ଗୁଲି କହିଛନ୍ତି, ୫ ବର୍ଷ ପୂର୍ବେ ବି ସଭାପତି ଭାବେ କାର୍ଯ୍ୟ କରିଥିଲି । ଯାହା କ୍ରିକେଟ ପାଇଁ ଭଲ ହେବ ତାହା କରିବୁ । କେବଳ ବେଙ୍ଗଲ ନୁହେଁ ପୁରା ଭାରତରେ କ୍ରିକେଟ କ୍ରେଜ୍‌ ଅଛି । ବହୁତ ଟ୍ୟାଲେଣ୍ଟ ରହିଛି । ଆମର କାମ ହେବ ଏହି ଟ୍ୟାଲେଣ୍ଟକୁ ଦିଗ ଦେବା । ଆମେ ତ ଆଉ ପୂର୍ବ ପରି ଖେଳି ପାରିବୁ ନାହିଁ ତେଣୁ ନୂଆ ପ୍ଲେୟାରଙ୍କୁ ବାଟ ଦେଖାଇବୁ ।''

ସେହିପରି ଏସିଆ କପ୍‌ ସୁପର-୪ ରାଉଣ୍ଡରେ ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇବାକୁ ନେଇ ସୌରଭ ଗାଙ୍ଗୁଲି କହିଛନ୍ତି, ''ଇଣ୍ଡିଆ ବହୁତ ଭଲ ଟିମ୍ । ଆମେ ପାକିସ୍ତାନକୁ ସୁପର-୪ ରାଉଣ୍ଡ ବହୁତ ସହଜରେ ହରାଇଛୁ । ଏସିଆ କପ୍‌ ଜିତିବାରେ ଆମ ପାଖରେ ସୁଯୋଗ ଅଛି । ଆଶା କରୁଛି ଆଗକୁ ଭାରତ ଭଲ ଖେଳିବ ।''