ନୂଆଦିଲ୍ଲୀ,୦୯ /୦୯: ରୁଷ୍-ୟୁକ୍ରେନ ଯୁଦ୍ଧ ଦୁଇ ଦେଶର ପିଲାଙ୍କ ଅଧ୍ୟୟନ ଉପରେ ଗଭୀର ପ୍ରଭାବ ପକାଇଛି । ଫେବ୍ରୁଆରୀ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନର ଗୋଟିଏ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା । ଏଥିଯୋଗୁ ପିଲାଙ୍କ ଅଧ୍ୟୟନ ଅନ୍ଲାଇନ୍ରେ ସୀମିତ ହୋଇଗଲା । ଏବେ ୩ ବର୍ଷ ପରେ ମାଇକୋଲେଭ୍ ସହରରେ ସ୍ଥିତ ଏହି ସ୍କୁଲ ପୁଣି ଖୋଲିଛି । କିନ୍ତୁ ଏବେ ସ୍କୁଲକୁ ଭୂମିଠୁ ହାରାହାରି ୭ ଫୁଟ ତଳେ ଆଶ୍ରୟସ୍ଥଳୀ ରୂପେ ନିର୍ମାଣ କରାଯାଇଛି, ଯାହା ଫଳରେ ପିଲାମାନେ ସୁରକ୍ଷିତ ମାହୋଲରେ ଅଧ୍ୟୟନ କରିପାରିବେ । ୟୁକ୍ରେନର ମାଇକୋଲେଭ୍ ସହରରେ ୨୦୨୨ ମସିହା ପରଠୁ ପିଲା ସ୍କୁଲ ଦେଖିନଥିଲେ । ସେବେଠୁ ବନ୍ଦ ଥିବା ଏହି ସ୍କୁଲ ଚଳିତ ସପ୍ତାହ ଆଶ୍ରୟସ୍ଥଳୀ ଭାବେ ଖୋଲିଛି । ରୁଷ୍ ଆକ୍ରମଣ ପରଠୁ ପ୍ରଥମ ଥର ୟୁକ୍ରେନର ଏହି ସହରରେ ୫୩ ବିଦ୍ୟାର୍ଥୀ ଅଧ୍ୟୟନ ପାଇଁ ସ୍କୁଲକୁ ଫେରିଛନ୍ତି । ଏଠାରେ ୟୁନିସେଫ୍ର ପାଣ୍ଠି ସାହାଯ୍ୟରେ ଆଶ୍ରୟସ୍ଥଳୀ ସ୍କୁଲ ନିର୍ମିତ ହୋଇଛି । ୧୬ ବର୍ଷୀୟା ଡାରିୟା ନାମ୍ନୀ ଛାତ୍ରୀ କହନ୍ତି, ଯୁଦ୍ଧ ପୂର୍ବରୁ ତାଙ୍କ ସ୍କୁଲ କେମିତି ଦିଶୁଥିଲା, ତାଙ୍କର ଠିକ୍ରେ ମନେନାହିଁ । ଯୁଦ୍ଧ ଯୋଗୁ ତାଙ୍କ ପାଖରେ ଏବେ ସ୍କୁଲର କୌଣସି ଖାସ୍ ସ୍ମୃତି ନାହିଁ । ୨୦୨୦ରେ କରୋନା ମହାମାରୀ ଯୋଗୁ ଏହି ସ୍କୁଲ ବନ୍ଦ ହୋଇଥିଲା । ୨୦୨୧ରେ ହାଇବ୍ରିଡ୍ ମଡେଲ ଦ୍ୱାରା ଅଧ୍ୟୟନ ଆରମ୍ଭ ହେଲା । କିନ୍ତୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁ ସ୍କୁଲ ପୁନଃ ବନ୍ଦ ହେଲା । ପିଲା କହନ୍ତି, ଅନ୍ଲାଇନ୍ କ୍ଲାସ୍ କରି ସେମାନେ ଥକିପଡ଼ିଲେଣି । ଏବେ ସ୍କୁଲ ଯାଇ ନୂଆ ସାଙ୍ଗ କରିବାକୁ ଚାହୁଁଛନ୍ତି । ୟୁନିସେଫ୍ ମାଇକୋଲେଭ୍ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ସହ ମିଶି ଆଶ୍ରୟସ୍ଥଳୀ ସ୍କୁଲ ନିର୍ମାଣରେ ପାଣ୍ଠି ଯୋଗାଇଛି । ସ୍କୁଲରେ ଅଧ୍ୟୟନ କରିବା ଯୋଗୁ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି ।