ମାଲକାନଗିରି, ୮/୧୦(ଆପ୍ର ): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଦ୍ୟାଳୟଗୁଡିକରେ ଉପସ୍ଥାନ ବଢ଼ାଇବା ପାଇଁ ଜିଲ୍ଲାଶିକ୍ଷା ବିଭାଗ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥି ନିମନ୍ତେ ତିନୋଟି ସ୍ୱତନ୍ତ୍ର ଅନୁଧ୍ୟାନ ଟିମ ଗଠନ କରାଯାଇଛି। ଏହି ଟିମ ବୁଧବାର ଗୋଟିଏ ଦିନରେ ୧୬ ସ୍କୁଲ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟରେ ଉପସ୍ଥାନ କିପରି ବୃଦ୍ଧି ପାଇବ ସେ ନେଇ ଶିକ୍ଷକ ଓ ଅଭିଭାବକ ସହିତ ଆଲୋଚନା କରିଛି ଏହି ଟିମ।
ଦୁର୍ଗାପୂଜା ଛୁଟି ପରେ ବୁଧବାର ସରକାରୀ ବିଦ୍ୟାଳୟଗୁଡ଼ିକ ଖୋଲିଛି। ତେବେ ପ୍ରଥମ ଦିନରେ ପିଲାମାନଙ୍କ ଉପସ୍ଥାନ କମ୍ ରହିଥିଲା । ବିଦ୍ୟାଳୟ ଗୁଡ଼ିକ ଖୋଲିବା ଓ ଉପସ୍ଥାନ ସୁନିଶ୍ଚିତ କରିବା ପାଇଁ ମାଲକାନାଗିରି ଜିଲ୍ଲାରେ ୩ ଗୋଟି ଟିମ୍ ଗଠନ କରାଯାଇ ଏହାର ତଦାରଖ କରା ଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟିମ୍ ଜିଲ୍ଲାର ପ୍ରାୟ ୧୬ ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ। କିଛି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅନୁପସ୍ଥିତ ଥିବା ପରିଲକ୍ଷିତ କରାଯାଇଥିଲା। ଅନୁପସ୍ଥିତ ଶିକ୍ଷକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି।