ଆବୁଧାବି, ୧୮/୯ : ଚଳିତ ଏସିଆ କପ୍‌ର ଗ୍ରୁପ୍‌ ବି’ରେ ଆଜି ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ । କାରଣ ବିଜୟୀ ଦଳ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ । ଗ୍ରୁପ୍‌ରେ ବି’ରେ ୨ଟି ମ୍ୟାଚ୍‌ରୁ ୪ ପଏଣ୍ଟ ସହ ଶ୍ରୀଲଙ୍କା ଶୀର୍ଷରେ ରହିଛି । ୩ଟି ମ୍ୟାଚ୍‌ରୁ ୪ ପଏଣ୍ଟ ସହ ବାଂଲାଦେଶ ଦ୍ୱିତୀୟ ଓ ୨ଟି ମ୍ୟାଚ୍‌ରୁ ୨ ପଏଣ୍ଟ ସହ ଆଫଗାନିସ୍ତାନ ତୃତୀୟ ସ୍ଥାନରେ ରହିଛି । ରନ୍‌ ରେଟ୍‌ରେ ଆଫଗାନିସ୍ତାନ ଆଗୁଆ ରହିଛି । ତେଣୁ ଆଜି ବିଜୟୀ ହେଲେ ପରବର୍ତ୍ତୀ ରାଉଣ୍ଡକୁ ସହଜରେ ଯୋଗ୍ୟତା ଅର୍ଜନ କରିବ । ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରୁ ରନ ରେଟ୍‌ରେ ଆଗୁଆ ଦଳ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବେ ।

ଆଜି ଆଫଗାନିସ୍ତାନ ପରାଜିତ ହେଲେ ବିଦାୟ ନେବ । ଶ୍ରୀଲଙ୍କା ଓ ବାଂଲାଦେଶ ପରବର୍ତ୍ତୀ ରାଉଣ୍ଡ୍‌ରେ ପ୍ରବେଶ କରିବେ । ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ରୁ ଶ୍ରୀଲଙ୍କା ୩ଟି ଓ ଆଫଗାନିସ୍ତାନ ୨ଟି ମ୍ୟାଚ୍‌ ଜିତିଛନ୍ତି । ଉଭୟ ଦଳ ବେଶ୍‌ ଶକ୍ତିଶାଳୀ ଓ ସନ୍ତୁଳିତ । ଆଫଗାନିସ୍ତାନ ଦଳରେ ରସିଦ ଖାନ, ନୂର ଅହମ୍ମଦ, ଆଲା ଗଜନଫର, ମୁଜିବ ଉର ରେହମାନଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ସ୍ପିନର ରହିଛନ୍ତି । ଶ୍ରୀଲଙ୍କା ମଧ୍ୟ ୱାନିଣ୍ଡୁ ହସରଙ୍ଗା ଓ ମହୀଶ ତୀକ୍ଷଣାଙ୍କ ଭଳି ଦକ୍ଷ ସ୍ପିନରଙ୍କ ସହାୟତାରେ ବିଜୟ ଜାରି ରଖିଛି । ଆବୁଧାବି ପିଚ ସ୍ପିନରଙ୍କୁ ବେଶ ସହାୟତା କରୁଛି । ଏଠାରେ ସ୍ପିନରମାନେ ପିଚ୍‌ର ଫାଇଦା ଉଠାଇବାରେ ସଫଳ ହୋଇଛନ୍ତି । ଆଜି ମଧ୍ୟ ସ୍ପିନରମାନେ ଫଳାଫଳ ନିର୍ଦ୍ଧାରଣ କରିବା ଆଶା କରାଯାଉଛି । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, କୁଶଲ ପେରେରା, ଚରିଥ ଆଶାଲଙ୍କା(ଅଧିନାୟକ), କାମିଣ୍ଡୁ ମେଣ୍ଡିସ, ଡାସୁନ ଶଣକା, ଜନିଥ ଲିୟାନଗେ, ୱାନିଣ୍ଡୁ ହସରଙ୍ଗା, ମହୀଶ ତୀକ୍ଷଣା, ଦୁଷ୍ମନ୍ତ ଚାମୀରା, ମଥିଶା ପତିରଣା ।