କଟକ, ୧୧/୯ : ଲୋକାୟୁକ୍ତ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ। ଆସନ୍ତା ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଆଜି ନିର୍ଦ୍ଦେଶ ହୋଇଛି। ଆବେଦନକାରୀ ଯଦି ଚାହିଁବେ, ତେବେ ମାମଲା ସଂକ୍ରାନ୍ତରେ ଜବାବ ଦାଖଲ କରି ପାରିବେ ବୋଲି ମଧ୍ୟ ଆଜି ନିର୍ଦ୍ଦେଶ ହୋଇଛି।
ସୂଚନା ଥାଉକି, ପ୍ରାୟ ଏକ ବର୍ଷ ହେବ ରାଜ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଏବଂ ସଦସ୍ୟ ପଦ ପୂରଣ ହୋଇପାରିନାହିଁ। ଯାହାକୁ ନେଇ ଆବେଦନକାରୀ ତଥା ଆଇନଜୀବୀ ପ୍ରବୀର ଦାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଆଜି ଏହି ମାମଲାର ଶୁଣାଣି ବେଳେ ସରକାରୀ ପକ୍ଷ ଯୁକ୍ତି ରଖିଥିଲେ କି, ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ହେବାକୁ ଯାଉଛି। ସରକାରୀ ନିଷ୍ପତ୍ତି କେବେ ହେବ, କଣ ହେବ, ସେ ବାବଦରେ ପଦକ୍ଷେପ ନିଆଯାଉଛି। ଏହାପରେ ସତ୍ୟପାଠ ଜରିଆରେ ସବୁ କିଛିର ବିସ୍ତୃତ ବିବରଣୀ ଦାଖଲ କରିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।