ଜି.ଉଦୟଗିରି, ୨୫/୧୦ : କଳିଙ୍ଗା ଘାଟିର ଭୂସ୍ଖଳନ ସ୍ଥାନରେ ଚାଲିଥିବା ପଥର ବ୍ଲାଷ୍ଟିଂ କାର୍ଯ୍ୟ ଆଜି ଶେଷ ହୋଇଛି । ଦୀର୍ଘ ଦିନ ଧରି ପାହାଡ଼ ଉପର ଭାଗରେ ଅଟକି ରହିଥିବା ବଡ଼ ବଡ଼ ପଥରଖଣ୍ଡ ଯାତାୟାତ ପାଇଁ ବିପଦ ସଙ୍କୁଳ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ପଥରଗୁଡ଼ିକ ଆଜି ବ୍ଲାଷ୍ଟିଙ୍ଗ ଟିମ୍ ଦ୍ୱାରା ବିସ୍ଫୋରଣ କରି ହଟାଯାଇଛି। କିନ୍ତୁ, ପାହାଡ଼ର ଉପର ଭାଗରେ ଥିବା ଏକ ବଡ଼ ପଥର ମାଟି ସହ ଗଭୀର ଭାବେ ଜଡ଼ିତ ଥିବାରୁ ତାହାର ବ୍ଲାଷ୍ଟିଂ କରାଯାଇପାରିନାହିଁ।

ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁଙ୍କ କହିବା ଅନୁସାରେ, ସେହି ପଥର ବାହାରୁ ଖସିବା ସଦୃଶ ଦେଖାଯାଉଥିଲେ ମଧ୍ୟ, ତାହାର ଅଧିକାଂଶ ଅଂଶ ପାହାଡ଼ ଭିତରେ ରହିଥିବାରୁ ଖସିବା ସମ୍ଭାବନା କମ୍। ଯଦି ଆଉ ଥରେ ବ୍ଲାଷ୍ଟିଂ କରାଯାଏ, ତେବେ ଉପର ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି, ଯାହା ଯାତାୟାତ ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ "ମୋନ୍ଥା" ବାତ୍ୟା ପ୍ରଭାବରେ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି। କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ହେଲେ ସମସ୍ତ କାମ ଅସ୍ଥାୟୀ ଭାବେ ବନ୍ଦ କରାଯିବ। ଯଦି ବର୍ଷା ନ ହୁଏ, ତେବେ ରାସ୍ତା ଓ ପାହାଡ଼ ଉପରେ ବ୍ଲାଷ୍ଟିଂ ପରେ ଖସିଥିବା ପଥରଗୁଡ଼ିକୁ ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ପ୍ରସ୍ତୁତି କରାଯିବ।

ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ଅପରପକ୍ଷେ, ଆଗକୁ ଏହି ସ୍ଥାନରେ ଏକ ବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ବୋଲି ସେ ସୂଚନା ଦେଇଛନ୍ତି।