ତିହିଡ଼ି,୦୨/୦୯: ତିହିଡ଼ି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ତରବରିଆ ନିଷ୍ପତ୍ତି । କାଁପଡ଼ା ପରେ ଭାଟପଡ଼ା ସ୍କୁଲରେ ପଡ଼ିଲା ତାଲା । ଶିକ୍ଷକ ବଦଳିକୁ ନେଇ ସୋମବାର କାଁପଡ଼ା ବାସୁଳି ହାଇସ୍କୁଲର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଧାରଣାରେ ବସିଥିଲେ । ମଙ୍ଗଳବାର ସମାନ ଦୃଶ୍ୟ ଭାଟପଡ଼ା ବିଦ୍ୟାଳରେ ଦେଖିବାକୁ ମିଳିଛି । ତରବରିଆ ନିଷ୍ପତ୍ତି ପାଇଁ ରୋଷର ଶିକାର ହୋଇଛନ୍ତି ବିଇଓ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଧାରଣାରେ ବସିବା ସହିତ ପ୍ରଧାନ ଶିକ୍ଷକଙ୍କୁ ଘେରିଛନ୍ତି ।
ସୂଚନା ମୁତାବକ, କାଁପଡ଼ା ବାସୁଳି ହାଇସ୍କୁଲର ୮ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ମାତ୍ର ସ୍କୁଲରେ ପିଲାଙ୍କ ଅନୁପାତରେ ଶିକ୍ଷକ ନାହାଁନ୍ତି । ୮ଜଣ ସାର୍ଙ୍କ ଅଭାବ ରହିଥିବା ବେଳେ ସେଥିରୁ ଜଣଙ୍କୁ ବଦଳି କରାଯିବ ପରେ ବିବାଦ ଦେଖାଇ ଦେଇଥିଲା । ସୋମବାର କାଁପଡ଼ା ବାସୁଳି ହାଇସ୍କୁଲରେ ତାଲା ପକାଅ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଧାରଣରେ ବସିଥିଲେ । ଶିକ୍ଷକ ପଦବୀ ପୂରଣ ନେଇ ବିଇଓଙ୍କ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ । ମାତ୍ର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ତରବରିଆ ନିଷ୍ପତ୍ତି ପାଇଁ ଭାଟପଡ଼ା ବିଦ୍ୟାଳୟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଭାଟପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଜଣେ କଳା ଶିକ୍ଷୟିତ୍ରୀଙ୍କୁ କାଁପଡ଼ା ସ୍କୁଲକୁ ବଦଳି କରାଯାଇଛି । ଏହାକୁ ଗ୍ରାମବାସୀ ଏବଂ ଅଭିଭାବକମାନେ ବିରୋଧ କରିଛନ୍ତି । ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ଧାରଣା ବସିଛନ୍ତି । କାଁପଡ଼ା ଗ୍ରାମବାସୀଙ୍କୁ ମନ ରଖିବାକୁ ଯାଇ ଭାଟପଡ଼ା ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି ବିଇଓ । ସେପଟେ କାହିଁକି ଶିକ୍ଷୟିତ୍ରୀଙ୍କୁ ରିଲିଫ୍ କରାଗଲା ବୋଲି ପ୍ରଶ୍ନ କରି ପ୍ରଧାନ ଶିକ୍ଷକଙ୍କୁ ଘେରିଛନ୍ତି ଗ୍ରାମବାସୀ ଏବଂ ଅଭିଭାବକ ।