ଭୁବନେଶ୍ୱର,୦୧/୧୧: ଆଜିଠୁ ଖୋଲିବ ସୁଭଦ୍ରା  ପୋର୍ଟାଲ୍‌ । ୨୦୨୫-୨୬ ଆର୍ଥିକ  ବର୍ଷରେ ନୂତନ ପଞ୍ଜିକରଣ ପାଇଁ  ପୋର୍ଟାଲ୍‌ ଖୋଲିବା ନେଇ ଘୋଷଣା  କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା । ନୂତନ ପଞ୍ଜିକରଣ ପାଇଁ  ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ  ଆବେଦନ କରି ହେବ । ଆଦର୍ଶ  ଆଚରଣ ବିଧି ପାଳନ ଦୃଷ୍ଟିରୁ  ନୂଆପଡ଼ା ବ୍ୟତୀତ ଅନ୍ୟ ସମସ୍ତ  ଜିଲ୍ଲାରେ ଏହି ପୋର୍ଟାଲ୍‌ ଖୋଲାଯିବ । 

ନୂତନ ଯୋଗ୍ୟ ମହିଳାମାନେ  ଯେଉଁମାନଙ୍କ ବୟସ ୧ ଅପ୍ରେଲ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୁର୍ଦ୍ଧ  ହୋଇଥିବ ଓ ଏହି ଯୋଜନା ଅନ୍ତର୍ଗତ  ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ  କରୁଥିବେ ସେମାନେ ସୁଭଦ୍ରା ସହାୟତା  ରାଶି ଲାଗି ଆବେଦନ କରିପାରିବେ ।  ଏଥିସହ ଯେଉଁମାନେ ଗତ ଆର୍ଥିକ  ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ  ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ  ଆବେଦନ କରିପାରି ନ ଥିଲେସେମାନଙ୍କୁ ପୁଣିଥରେ ଚଳିତ ବର୍ଷ ଆବେଦନ ପାଇଁ ସୁଯୋଗ ଦିଆଯାଇଛି ।  ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ  ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ  ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା  ଦେୟରେ ସୁଭଦ୍ରା ଆବେଦନ ପତ୍ର  ଉପଲବ୍ଧ ହେବ ।

ଏତଦ୍‌ବ୍ୟତୀତ ନିକଟସ୍ଥ ଆମ ସେବା କେନ୍ଦ୍ର କିମ୍ବା  ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜିକରଣ  କରିପାରିବେ । ଏଥି ନିମନ୍ତେ ନିଜର ଆଧାର ନମ୍ବର  ଓ ଆଧାର ସହ ଲିଙ୍କ୍‌ ଥିବା ମୋବାଇଲ୍‌ ନମ୍ବର  ପ୍ରଦାନ କରିବାକୁ ହେବ । ଯୋଗ୍ୟ ବିବେଚିତ ସମସ୍ତ  ଆବେଦନକାରୀଙ୍କୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ  ଦୁଇଟି କିସ୍ତି ପ୍ରଦାନ କରାଯିବ ଓ ଯଦି ସେମାନଙ୍କ  ଯୋଗ୍ୟତା ବଜାୟ ରହେ, ପରବର୍ତ୍ତୀ ବର୍ଷଗୁଡ଼ିକରେ  ମଧ୍ୟ ଏହି ସୁବିଧା ମିଳିବ । 

ସୂଚନାଯୋଗ୍ୟ, ଶୁକ୍ରବାର ଲୌହ ମାନବ ସର୍ଦ୍ଦାର  ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ  ଅବସରରେ ସୁଭଦ୍ରା ଏକତା ପଦଯାତ୍ରା ଅନୁଷ୍ଠିତ  ହୋଇଥିଲା । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା ଯୋଗଦେଇ ଏହି ଘୋଷଣା କରିଛନ୍ତି । ମହିଳା  ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ  ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଠାରୁ ଆରମ୍ଭ ହୋଇ  ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ  ବିଏମସି ମେୟର ସୁଲୋଚନା ଦାଶ ସରକାରଙ୍କ ବିଭିନ୍ନ  ଯୋଜନାରେ ଅବଗତ ହୋଇ ହିତାଧିକାରୀମାନେ ଲାଭ  ନେବାକୁ କହିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ  ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ  କଲ୍ୟାଣ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ, ବିଏମ୍‌ସି  କମିଶନର ଚଞ୍ଚଲ ରାଣାଙ୍କ ସମେତ ବହୁ ବରିଷ୍ଠ  ଅଧିକାରୀ ଉପସ୍ଥିତ ଥିଲେ ।