ଭୁବନେଶ୍ବର, ୧୮/୦୯: ଶୁଭମିତ୍ରା ହତ୍ୟା ଅଭିଯୁକ୍ତ ଦୀପକ ରାଉତଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନା ଏକ ପ୍ରାୟୋଜିତ ହତ୍ୟା, ତାହା ଏବେ ସସ୍ପେନ୍ସ । ତେବେ ଏହାରି ଭିତରେ ପ୍ରଥମ ପତ୍ନୀଙ୍କ ପରିବାର ଅପର୍ଣ୍ଣାଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି । ଦୀପକ ତାଙ୍କ ଝିଅକୁ ମାରି ଦେଇଛି ବୋଲି କହିଛନ୍ତି । ପ୍ରତିଦିନ ଉଭୟଙ୍କ ମଧ୍ୟ ଝଗଡ଼ା ହୁଏ ଏବଂ ଦୀପକ ଝିଅକୁ ନିର୍ଯାତନା ଦିଅନ୍ତି । ଆମେ ବୁଝାସୁଝା କରୁ । କିଛି ଦିନ ପରେ ଝିଅର ମୃତ୍ୟୁ ହୋଇଥିଲା । ଏହାକୁ ଦୀପକ ଦୁର୍ଘଟଣାଜନିତ ବୋଲି କହିଥିଲେ । ହେଲେ ସେତେବେଳେ ଆମ ପରିବାର ସ୍ଥିତି ଖରାପ ଥିଲା । ତାଙ୍କ ବିରୋଧରେ ଯିବାକୁ ଆମ ପାଖରେ ବଳ ନଥିଲା । ତେଣୁ ତଦନ୍ତ ହୋଇପାରିଲାନାହିଁ । ଶୁଭମିତ୍ରାଙ୍କ ଘଟଣା ପରେ ଝିଅକୁ ନିଶ୍ଚିତ ଭାବେ ଜହ୍ଲାଦ ମାରିଥିବ ବୋଲି ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମା’ କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଦୀପକ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଇଛି ଅଭିଯୋଗ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ୍ ।
ସୂଚନା ଅନୁଯାୟୀ, ପ୍ରଥମ ସ୍ତ୍ରୀର ମୃତ୍ୟୁକୁ ଦୁର୍ଘଟଣା ଦର୍ଶାଇ ଅଭିଯୁକ୍ତ ଦୀପକ କୋଟିଏ ଟଙ୍କାର ବୀମା ଅର୍ଥରାଶି ହାତେଇଥିଲା । ତେଣୁ ଦୁର୍ଘଟଣା ପଛର ପ୍ରକୃତ ରହସ୍ୟ ବି ଏବେ ପୁଲିସ୍ ସ୍କାନରରେ। ଅଭିଯୁକ୍ତ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ୨୦୧୮ ମସହା ଏପ୍ରିଲ ୨୫ ତାରିଖରେ ପ୍ରେମ ବିବାହ କରିଥିଲା । ଅପର୍ଣ୍ଣା ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ଵ ନିରୀକ୍ଷକ ଭାବରେ ଚାକିରି କରୁଥିଲେ । ୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଦୀପକ କହିଥିଲା ।
ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବାର ଏକ କାହାଣୀ ରଚିଥିଲା ଦୀପକ । ନାଟକୀୟ ଢଙ୍ଗରେ ଅପର୍ଣ୍ଣାଙ୍କର ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେଥିରେ ସଫଳ ହୋଇ ଦୀପକ କୋଟିଏ ଟଙ୍କା ଇନସ୍ୟୁରାନ୍ସ ପାଇଥିଲା। ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଏହି ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରିଛନ୍ତି ଅପର୍ଣ୍ଣାଙ୍କ ପରିବାର ।