ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପୋଷୁଥିବା ପାକିସ୍ତାନ ଏବେ ନିଜେ ଆତଙ୍କବାଦ ସହିତ ସଂଘର୍ଷ କରୁଛି। କ୍ଷୁଧା, ମୁଦ୍ରାସ୍ଫୀତି ଏବଂ ବେକାରୀରେ ଜର୍ଜରିତ ଏହି ପଡ଼ୋଶୀ ଦେଶ ପ୍ରତିଦିନ ଆତ୍ମଘାତୀ ଆକ୍ରମଣରେ ପଙ୍ଗୁ ହେବାରେ ଲାଗିଛି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ପୋଲିସ ତାଲିମ ସେଣ୍ଚର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏନକାଉଣ୍ଟରରେ ଆଉ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳିଚାଳନା ଯୋଗୁଁ ଆହୁରି ଛଅ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନେଇ ଶନିବାର (ଅକ୍ଟୋବର ୧୧) ଅଧିକାରୀମାନେ ସୂଚନା ପ୍ରକାଶ କରିଛନ୍ତି।
ଡେରା ଇସମାଇଲ ଖାନ ଜିଲ୍ଲାର ରଟ୍ଟା କୁଲାଚି ପୋଲିସ ତାଲିମ ବିଦ୍ୟାଳୟ ଉପରେ ଶୁକ୍ରବାର ବିଳମ୍ୱିତ ରାତିରେ ଆତଙ୍କୀମାନେ ଆକ୍ରମଣ କରିଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ପୋଲିସଙ୍କ ପାଲଟା ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏହି ଆତଙ୍କୀ ଦଳରେ ସାମିଲ ଥିବା ଅନ୍ୟ କେତେକ ଲୋକ ତାଲିମ ବିଦ୍ୟାଳୟ ପରିସରରେ ଲୁଚି ରହିଥିବା ଅନୁମାନ କରାଯାଉଛି। ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅପରେସନରେ ଆଉ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଛଅ ଜଣ ପୋଲିସ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଆତଙ୍କୀଙ୍କ ଆକ୍ରମଣରେ ପୂର୍ବରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଯାହା ଫଳରେ ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ଏବଂ ଏହି ଆକ୍ରମଣରେ ୧୩ ଜଣ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମସ୍ତ ପ୍ରଶିକ୍ଷାର୍ଥୀ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଏହି ଅପରେସନରେ SSG କମାଣ୍ଡୋ, ଅଲ୍-ବୁର୍କ ଫୋର୍ସ, ଏଲିଟ୍ ଫୋର୍ସ ଏବଂ ପୋଲିସ କର୍ମଚାରୀ ସାମିଲ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଟ୍ରକକୁ ପୋଲିସ ତାଲିମ ସେଣ୍ଟରର ମୁଖ୍ୟ ଫାଟକରେ ଧକ୍କା ଦେଇ ଏକ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ତୁରନ୍ତ ୟୁନିଫର୍ମ ପିନ୍ଧା ଆତଙ୍କବାଦୀମାନେ ପରିସରରେ ପ୍ରବେଶ କରି ଆଖିବୁଜା ଗୁଳିଚାଳନା କରିଥିଲେ। ଜବାବରେ ପୋଲିସ କର୍ମଚାରୀମାନେ ଆକ୍ରମଣକାରୀଙ୍କୁ ଘେରିଯାଇ ପ୍ରତି ଆକ୍ରମଣ କରିଥିଲେ। ପୁଲିସର ପାଲଟା ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଗ୍ରେନେଡ୍ ଫିଙ୍ଗିବା ଜାରି ରଖିଥିଲେ।
ଡେରା ଇସମାଇଲ୍ ଖାନର ଡିପିଓ ସାହିବଜାଦା ସଜ୍ଜାଦ ଅହମ୍ମଦ ଏବଂ ଆରପିଓ ସୟଦ ଆଶଫାକ ଅନୱାର ବ୍ୟକ୍ତିଗତ ଭାବରେ ଘଟଣାସ୍ଥଳରେ ଉପସ୍ଥିତ ରହି ଅପରେସନର ତଦାରଖ କରିଥିଲେ। ଦୀର୍ଘ ପାଞ୍ଚ ଘଣ୍ଟାର ଅପରେସନ ପରେ, ଛଅ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କୀଙ୍କ ନିକଟରୁ ସୁରକ୍ଷା ବାହିନୀ ଆତ୍ମଘାତୀ ଜ୍ୟାକେଟ୍, ବିସ୍ଫୋରକ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଥିଲେ। ତେର ଜଣ ଆହତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।
ଡିପିଓ ଦେିଥିବା ସୂଚନା ଅନୁଯାୟୀ, ଆକ୍ରମଣ ସମୟରେ ପ୍ରାୟ ୨୦୦ ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷକ ଏବଂ କର୍ମଚାରୀ ତାଲିମ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ଆତଙ୍କୀ ଆକ୍ରମଣ ହେବା କ୍ଷଣି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଖାଇବର ପଖତୁନଖ୍ୱା ପୋଲିସ ମହାନିରୀକ୍ଷକ ଜୁଲଫିକର ହମିଦ ନିଶ୍ଚିତ କରିଛନ୍ତି ଯେ ଏହି ଆତଙ୍କୀ ନିରୋଧି ଅଭିଯାନକୁ ସଫଳତାର ସହ ସମାପ୍ତ କରାଯାଇଛି ଏବଂ ଏହି ଆତଙ୍କୀ ଆକ୍ରମଣର କାରଣ ଜାଣିବାକୁ ଏକ ତଲାସି ଅଭିଯାନ ଆରମ୍ଭ କରାଯାଇଛି।