ପୁରୀ, ୭/୧୧ : ‘ଜୀବନ ପାତ୍ର ମୋ ଭରିଛ କେତେ...ମୋତେ ନ ଦେଲେ କିଛି ମୁଁ କରିବି କି ଆଉ...’ । ପ୍ରତି ଓଡ଼ିଆଙ୍କ କାନରେ ଗୁଞ୍ଜରିତ ଏହି କାଳଜୟୀ ସଙ୍ଗୀତ ଚିରସବୁଜ ହୋଇରହିଛି । ହେଲେ ଏହି ଗୀତର କଣ୍ଠଶିଳ୍ପୀ ଏବେ ଅଲୋଡ଼ା । ତାଙ୍କ ସ୍ମୃତିକୁ ଅମର ରଖିବା ପାଇଁ ରାଜ୍ୟ ସରକାର ଅନେକ ଘୋଷଣା କରିଥିଲେ । ହେଲେ ସମୟ ସ୍ରୋତରେ ସେ ଘୋଷଣା ସବୁ କେବଳ ଘୋଷଣାରେ ସୀମିତ ରହିଯାଇଛି । ଖ୍ୟାତନାମା କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପୁରୀ ବଳିଆପଣ୍ଡାସ୍ଥିତ ବାସଭବନ ପାଲଟିଛି ଅସାମାଜିକଙ୍କ ଅଡ୍ଡାସ୍ଥଳୀ । ସୁନନ୍ଦାଙ୍କ ମୃତ୍ୟୁ ପରେ ଏଠାରେ ଶାସ୍ତ୍ରୀୟ ସଙ୍ଗୀତ ଅନୁଷ୍ଠାନ, ସ୍ମୃତି ସଦନ, ପ୍ରତିମୂର୍ତ୍ତି ସ୍ଥାପନ ଏବଂ ସୁନନ୍ଦା ସଂଗ୍ରହାଳୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ହେଲେ ଏବେ ଏଥିମଧ୍ୟରୁ ଗୋଟିଏ ହେଲେ ବି ଘୋଷଣା କାର୍ଯ୍ୟକାରୀ ହୋଇନାହିଁ । ଶାସ୍ତ୍ରୀୟ ସଙ୍ଗୀତରେ ସୁନନ୍ଦା ଅନେକ ଶିଷ୍ୟ ସୃଷ୍ଟି କରିଛନ୍ତି । ଏଥିପାଇଁ ସ୍ନେହରେ ତାଙ୍କୁ ସଭିଁଏ ଗୁରୁମା ସମ୍ବୋଧନ କରିଥାନ୍ତି ।
ପୁରୀ ଦଇତାପଡ଼ା ସାହିର ଭଡ଼ା ଘରେ ୧୯୩୪ ମସିହା ନଭେମ୍ବର ୭ ତାରିଖରେ ସୁନନ୍ଦା ଜନ୍ମଗ୍ରହଣ କରିଥିଲେ । ଶ୍ରୀକ୍ଷେତ୍ର ପ୍ରତି ତାଙ୍କର ଥିଲା ପ୍ରଗାଢ଼ ଭଲ ପାଇବା । ଏଣୁ ତାଙ୍କ ନିଆରା ସ୍ୱରରେ ମନ୍ତ୍ରମୁଗ୍ଧ ହୋଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବଳିଆପଣ୍ଡାରେ ୨ ଏକର ଜାଗା ଉପହାର ଦେଇଥିଲେ । ଏଠାରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାନୁଷ୍ଠାନ ଖୋଲିବାକୁ ସେ ଆଗ୍ରହୀ ଥିଲେ । ଏଥିପାଇଁ ଏକାଧିକ ବଖରା ନିର୍ମାଣ ସହ ବିଜୁଳି ଓ ପାଣି ବ୍ୟବସ୍ଥା ମଧ୍ୟ ହୋଇଥିଲା । କିଛିଦିନ ସଙ୍ଗୀତ ଶିକ୍ଷା ମଧ୍ୟ ଚାଲିଥିଲା । କିନ୍ତୁ ୧୯୮୩ରେ ଗୁରୁମା କୋଲକାତା ଚାଲିଯାଇଥିଲେ । ସମୟ ମିଳିଲେ ପୁରୀ, କଟକ ଆସୁଥିଲେ । ୨୦୦୩ ବେଳକୁ ଶାରୀରିକ ଅସୁସ୍ଥତାରୁ ସେ ପୁରୀ ଆସିବା ପ୍ରାୟତଃ ବନ୍ଦ କରିଦେଇଥିଲେ । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ଏହି ସ୍ଥାନକୁ କବ୍ଜା କରିନେଇଥିଲେ । ୨୦୨୦ ମସିହା ଜାନୁଆରୀ ୧୯ ତାରିଖରେ କୋଲକାତାରେ ସୁନନ୍ଦାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ଏହି ଜାଗାର ରକ୍ଷଣାବେକ୍ଷଣ କରିବା ସହ ଏଠାରେ ସ୍ମୃତିପୀଠ ନିର୍ମାଣ କରିବାକୁ ‘ଅଭିନନ୍ଦନିକା’ ସମେତ ଅନେକ ଅନୁଷ୍ଠାନ ସରକାରଙ୍କ ନିକଟରେ ଦାବି କରିଥିଲେ । ୨୦୨୧ ଜାନୁଆରୀ ୨୭ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ ଦାଶ, ଦଇତାପତି ସେବକ ମନୋଜ କୁମାର ଦାସ ମହାପାତ୍ର ଓ "ଅଭିନନ୍ଦନିକା'ର ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ପୁରୀ ବଳିଆପଣ୍ଡାସ୍ଥିତ ସୁନନ୍ଦାଙ୍କ ଘର ବୁଲି ଦେଖିଥିଲେ । ପରେ ଜାନୁଆରୀ ୨୮ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଶାସ୍ତ୍ରୀୟ ସଙ୍ଗୀତ ଗବେଷଣା କେନ୍ଦ୍ର ଓ ସଂଗ୍ରହାଳୟ କରିବାକୁ ଘୋଷଣା କରିଥିଲେ । ମାତ୍ର ସ୍ମୃତିପୀଠ ଦୂରର କଥା ଏଯାବତ୍ ଜମିରୁ ଅବରୋଧ ହଟି ପାରିଲାନାହିଁ ।
ଏବେ ଏକ ବିଶାଳ ପାଚେରି ଘେରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ସୁନନ୍ଦାଙ୍କ ଶେଷସ୍ମୃତି । ତାଙ୍କ ବାସଗୃହର କବାଟ ଭାଙ୍ଗି ମଦ୍ୟପ ଆଡ୍ଡା କରୁଥିବା ବେଳେ ଘରର ଆଖପାଖ ଖାଲି ଅଞ୍ଚଳ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ପାଇଁ ମୁକ୍ତ ଶୌଚାଳୟ ପାଲଟିଛି । ସୁନନ୍ଦାଙ୍କର କଟକସ୍ଥିତ ବାସଭବନରେ ମଧ୍ୟ ସ୍ମୃତିପୀଠ ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା । ଶାସ୍ତ୍ରୀୟ ସଂଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ "ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର' ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ତାହା ମଧ୍ୟ ସେହି ଘୋଷଣାରେ ସୀମିତ ରହିଗଲା । ସୁନନ୍ଦାଙ୍କ ବ୍ୟବହୃତ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ଜିନିଷକୁ ନେଇ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଗ୍ୟାଲେରି କରାଯିବ ବୋଲି କୁହାଗଲା । ତାଙ୍କ ବ୍ୟବହୃତ ଜିନିଷ ଦେବା ଲାଗି ତାଙ୍କ ପରିବାରବର୍ଗଙ୍କୁ ସରକାର ନିବେଦନ କରିବେ ବୋଲି ଘୋଷଣା କଲେ । କିନ୍ତୁ ଏକଥା ଆଉ ଆଗେଇ ପାରିଲା ନାହିଁ । କେବଳ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କୁ "ସୁନନ୍ଦା ସମ୍ମାନ' ଦିଆଯିବ ବୋଲି ଘୋଷଣା ହୋଇଥିବା କଥାକୁ ଅନୁମୋଦନ ବ୍ୟତୀତ ଅନ୍ୟ ସବୁ ଘୋଷଣାରେ ରହିଯାଇଛି । ସଂଗୀତ ପାଇଁ ସେ ସମଗ୍ର ଜୀବନ ଉତ୍ସର୍ଗ କରିଦେଲେ । ଓଡ଼ିଶା ମାଟିକୁ ଗର୍ବିତ କଲେ । ମାତ୍ର ଜୀବିତାବସ୍ଥାରେ ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଁ ବି ତାଙ୍କ ନାଁ' କେହି ସୁପାରିସ କଲେ ନାହିଁ । ସଂସ୍କୃତି ପ୍ରେମୀ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ଗୁରୁମା ସୁନନ୍ଦ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ବାହାର ଲୋକେ ଗୌରବାନ୍ୱିତ ହେଉଥିବା ବେଳେ ଓଡ଼ିଶାରେ ତାଙ୍କୁ ଯଥେଷ୍ଟ ସମ୍ମାନ ମିଳୁନି । ସୁନନ୍ଦାଙ୍କ ପ୍ରତି ଜଣେ ଉଚ୍ଚପ୍ରତିଭାଙ୍କୁ ଆବଶ୍ୟକ ସମ୍ମାନ ମିଳିଲେ ତାଙ୍କ ଭଳି ଅନେକ ସଂସ୍କୃତିପ୍ରେମୀ ଆତ୍ମସନ୍ତୋଷ ଅନୁଭବ କରନ୍ତେ । ବର୍ତ୍ତମାନ ରାଜ୍ୟରେ ସରକାର ବଦଳିଥିବାରୁ ନୂଆ ସରକାର ହୁଏତ ଏଥିପ୍ରତି ଦୃଷ୍ଟି ଦେଇପାରନ୍ତି ବୋଲି ଶ୍ରୀ ସେନାପତି ଆଶାବ୍ୟକ୍ତ କରିଛନ୍ତି ।