ନୂଆଦିଲ୍ଲୀ, ୦୪/୧୧: ପର୍ନ ବା  ଅଶ୍ଳୀଳ ଭିଡିଓକୁ ବ୍ୟାନ୍‌ କରିବା ଲାଗି  ହୋଇଥିବା ପିଟିସନ ଉପରେ ତ୍ୱରିତ  ଭାବେ କୌଣସି ଆଦେଶ ଦେବାକୁ  ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି ।  ଏହି ସମୟରେ ପ୍ରଧାନ ବିଚାରପତି  (ସିଜେଆଇ) ବି.ଆର୍‌ ଗଭଇଙ୍କ ଖଣ୍ଡପୀଠ ଗତ ସେପ୍ଟେମ୍ବରରେ ନେପାଳରେ ହୋଇଥିବା ଜେନ୍‌ଜି ବିକ୍ଷୋଭର ଉଦାହରଣ  ଦେଇଥିଲେ । ନେପାଳରେ ସୋସିଆଲ  ମିଡିଆ ଆପ୍‌ ଉପରେ ବ୍ୟାନ ଲାଗିବା ଯୋଗୁ  ସ୍ଥିତି କଣ ହୋଇଥିଲା ତାହା ଦେଖନ୍ତୁ  ବୋଲି ଖଣ୍ଡପୀଠ କହିଥିଲେ । ପର୍ନୋଗ୍ରାଫି  ବ୍ୟାନ୍‌ ଲାଗି ଆଗତ ପିଟିସନ ଉପରେ ୪  ସପ୍ତାହ ପରେ ଶୁଣାଣି ହେବ ବୋଲି  ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରକାଶଥାଉ କିସିଜେଆଇ ଗଭଇ ନଭେମ୍ବର ୨୩ରେ  ଅବସର ନେବେ । ପିଟିସନରେ ଦାବି କରାଯାଇଥିଲା  ଯେ, କେନ୍ଦ୍ର ସରକାର ଅଶ୍ଲୀଳ ବିଷୟବସ୍ତୁ  ବା ପର୍ନୋଗ୍ରାଫି ଉପରେ ବ୍ୟାନ୍‌ ଲଗାଇବା  ପାଇଁ ଏକ ଜାତୀୟ ନୀତି ଆଣନ୍ତୁ ।  ଏଥିସହ ପିଲାଙ୍କ ନିକଟରେ ଯେପରି  ଏଭଳି କଣ୍ଟେଣ୍ଟ ନ ପହଞ୍ଚେ ସେ  ଦିଗରେ ଜରୁରି ପଦକ୍ଷେପ ନିଆଯାଉ ।  ପବ୍ଲିକ୍‌ ପ୍ଲାଟଫର୍ମରୁ ମଧ୍ୟ ଏପରି ଭିଡିଓ  ହଟାଯାଉ । ଭାରତରେ ୨୦ କୋଟିରୁ  ଅଧିକ ପର୍ନ ଭିଡିଓ ଏବଂ କ୍ଲିପ୍‌ ବିକ୍ରି  ପାଇଁ ଉପଲବ୍ଧ ଅଛି । ସେଥିରେ ଶିଶୁ  ପର୍ନୋଗ୍ରାଫି ବି ସାମିଲ । ସରକାରଙ୍କ  ପାଖରେ ଆଇଟି ଆକ୍ଟ ୬୯ଏ ଅନୁସାରେ  ଏପରି ସାଇଟ୍‌କୁ ବ୍ଲକ୍‌ କରିବା ଲାଗି  ଅଧିକାର ରହିଛି ।

ପିଟିସନର  କହିଥିଲେ ଯେ, ଡିଜିଟାଲାଇଜେସନ  ପରେ ପ୍ରତ୍ୟେକ ବ୍ୟକ୍ତି ଇଣ୍ଟରନେଟ  ସହ ଜଡ଼ିତ । ସେ ଶିକ୍ଷିତ ହୁଅନ୍ତୁ ବା  ଅଶିକ୍ଷିତ । ସବୁ କିଛି ଗୋଟିଏ କ୍ଲିକ୍‌ରେ  ଉପଲବ୍ଧ। ସରକାର ନିଜେ ମାନିଛନ୍ତି ଯେ  ଇଣ୍ଟରନେଟରେ କୋଟି କୋଟି ଅଶ୍ଲୀଳ  ସାଇଟ ରହିଛି । କୋଭିଡ୍‌ ବେଳେ ପିଲାଙ୍କ  ପାଠପଢ଼ା ପାଇଁ ସେମାନଙ୍କୁ ଡିଜିଟାଲ  ଡିଭାଇସ୍‌ ଦିଆଯାଇଥିଲା । କିନ୍ତୁ ସେହି  ଉପକରଣଗୁଡ଼ିକରେ ଏଭଳି ଭିଡିଓ  ଦେଖିବାକୁ ରୋକିବା ଲାଗି କୌଣସି ପକ୍କା  ସିଷ୍ଟମ ନାହିଁ । ଅଶ୍ଲୀଳ ଭିଡିଓ ହଟାଇବା  ଲାଗି କୌଣସି ଆଇନ ଆସିନାହିଁ । ଏପରି  କଣ୍ଟେଣ୍ଟ ସମାଜ ଏବଂ ବ୍ୟକ୍ତିଙ୍କ ଉପରେ  ଖରାପ ପ୍ରଭାବ ପକାଉଛି । ବିଶେଷକରି  ୧୩ରୁ ୧୮ ବର୍ଷର ପିଲାଙ୍କ ମସ୍ତିଷ୍କ ଅଧିକ  ପ୍ରଭାବିତ ହେଉଛି । 

ପୂର୍ବରୁ ଗତ ଏପ୍ରିଲରେ ସୁପ୍ରିମକୋର୍ଟ  ଅନ୍‌ଲାଇନରେ ଅଶ୍ଲୀଳ କଣ୍ଟେଣ୍ଟ ଷ୍ଟ୍ରିମିଂ  ଉପରେ ରୋକ ଲଗାଇବା ଲାଗି ଆଗତ  ପିଟିସନ ଉପରେ ଶୁଣାଣି କରିଥିଲେ ।  ଏଥିରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର  ସରକାର ଏବଂ ୯ ଓଟିଟି-ସୋସିଆଲ  ମିଡିଆ ପ୍ଲାଟଫର୍ମକୁ ନୋଟିସ ଜାରି କରି  ଜବାବ ମାଗିଥିଲେ । ଏଥିସହ କେନ୍ଦ୍ର  ସରକାର କିଛି ଠୋସ୍‌ ପଦକ୍ଷେପ ନେବା  ଜରୁରି ବୋଲି ସୁପ୍ରିମକୋର୍ଟ କହିଥିଲେ ।