ନୂଆଦିଲ୍ଲୀ,୦୮/୧୧; ଜୁନ୍‌ ମାସରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୬୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ବିମାନରେ ପାଇଲଟ୍‌-ଇନ୍‌ କମାଣ୍ଡ କ୍ୟାପ୍ଟେନ୍ ସୁମିତ୍ ସବରୱାଲଙ୍କ ବାପାଙ୍କୁ ଆଶ୍ୱସନା ଦେଇଛନ୍ତି ସୁପ୍ରିମକୋର୍ଟ । ତାଙ୍କ ପୁଅଙ୍କର ଦୋଷ ଅଛି ବୋଲି ଦେଶରେ କୌଣସି ଲୋକ ବିଶ୍ୱାସ କରୁ ନାହାନ୍ତି । ତେଣୁ ତାଙ୍କର ଚିନ୍ତା କରିବାର ନାହିଁ ତାଙ୍କ ପୁଅ ଦୋଷୀ ନୁହଁନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଏବଂ ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏକୁ ଏକ ନୋଟିସ୍ ଜାରି କରି ଦୁର୍ଘଟଣା ପାଇଁ ପାଇଲଟ୍-ଇନ୍-କମାଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ । ନଭେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଏହି ଦୁର୍ଘଟଣାର ନିରପେକ୍ଷ ଓ ବୈଷୟିକ ତଦନ୍ତ ଦାବି କରିଥିବା ୯୨ ବର୍ଷୀୟ ପୁଷ୍କର ସବରୱାଲ ଆବେଦନରେ ଶୁଣାଣି କରି ଏହା କହିଛନ୍ତି । ପୁଷ୍କର ସବରୱାଲ କ୍ୟାପ୍ଟେନ୍ ସୁମିତଙ୍କ ପିତା । ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି । ସାନ୍ତ୍ୱନା ଦେଇ ଖଣ୍ଡପୀଠ କହିଛନ୍ତି,'' ଏହି ଦୁଃଖଦ ଘଟଣାରେ ତାଙ୍କ ପୁଅଙ୍କୁ ଦାୟୀ କରାଯାଉନାହିଁ । ପାଇଲଟଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ । ତଦନ୍ତ ରିପୋର୍ଟରେ କେବଳ ଦୁଇ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା ରେକର୍ଡ କରାଯାଇଛି । ଏହା କାହାକୁ ଦୋଷ ଦେଇନାହିଁ ।''

ଜଷ୍ଟିସ୍‌ୟମାଲ୍ୟ ବାଗଚୀ ଆହୁରି କହିଛନ୍ତି, ମକଦ୍ଦମା ୱାର୍ଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ ବିରୋଧରେ ହେବା କଥା । ଦୁଃଖଦ ଘଟଣାର କାରଣ ଯାହା ବି ହୋଇଥାଉ ନା କାହିଁ ପାଇଲଟ୍ କାରଣ ନୁହଁନ୍ତି ।ଆବେଦନ ଉପରେ ଜବାବ ମାଗି ସୁପ୍ରିମକୋର୍ଟ କେନ୍ଦ୍ର, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କହିଛନ୍ତି ।

କହି ରଖୁଛି କି, ଜୁନ୍ ୧୨ । ଗୋଟିଏ କଳାଦିନ କହିଲେ ଭୁଲ ହେବ ନାହିଁ । ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଟେକ୍‌ଅପ କରିବାର କିଛି ସମୟ ମଧ୍ୟରେ କ୍ରାସ୍ ହୋଇଥିଲା । ଯେଉଁଥିରେ ୨୬୦ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ୧୯ କ୍ରୁ ସଦସ୍ୟ ମଧ୍ୟ ଆଖି ବୁଜିଥିଲେ ।