ମାଥିଲି, ୬/୧୧ : ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ବଳଦିଆଗୁଡା ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟରୁ ଏପରି ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। 

ସୂଚନାନୁଯାୟୀ, ବଳଦିଆଗୁଡା ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆଖି ଫୁଲିଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ମାଥିଲି ସବଡିଭିଜନ ମେଡିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ। ହେଲେ ଦିପହର ବେଳେ ମଧ୍ୟାହ୍ନ ଭୋଜନ ଖାଇ ଔଷଧ ଖାଇବା ପରେ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ପୁଣିଥରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। କେଉଁ କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଲା ସେନେଇ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ସ୍ପଷ୍ଟୀକରଣ ଦେଇପାରି ନାହାଁନ୍ତି। ଏନେଇ ମୃତକଙ୍କ ପରିବାର ଲୋକ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।