ସମ୍ବଲପୁର, ୧୨।୯ : ଟଙ୍କା ଦେଖି ଲୋଭ ସମ୍ଭାଳି ପାରିଲେନି ତହସିଲଦାର ବାବୁ। ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଛନ୍ତି । ତହସିଲଦାରଙ୍କ ସମେତ ତାଙ୍କ ଗାଡ଼ି ଚାଳକ ପ୍ରବୀଣ କୁମାର ମଧ୍ୟ ଗିରଫ ହୋଇଛନ୍ତି। ତାଙ୍କ ଠାରୁ ରସାୟନିକ ଲେପ ଥିବା ସମସ୍ତ ଟଙ୍କା ଜବତ କରାଯାଇଛି। ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ବାମରା ତହସିଲ କାର୍ଯ୍ୟାଳୟରେ ଏହି ଚଢ଼ଉ ହୋଇଥିଲା।

ସୂଚନା ଅନୁସାରେ, ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମିର କିସମ ପରିବର୍ତ୍ତନ କରି ମ୍ୟୁଟେସନ୍ କରିବାକୁ ଦୀର୍ଘ ଦିନ ହେଲା ଆବେଦନ କରିଥିଲେ। ଏହାକୁ ନେଇ ତହସିଲଦାର ଲାଞ୍ଚ ମାଗିଥିଲେ। ଏନେଇ ଭିକି ନାଏକ ସମ୍ବଲପୁର ଭିଜିଲାନ୍ସ ପାଖରେ ଏକ ଅଭିଯୋଗ କରିଥିଲେ। ସେ ଭିଜିଲାନ୍ସ ଠାରୁ ରସାୟନ ଯୁକ୍ତ ୧୫ ହଜାର ଟଙ୍କା ନେଇ ଆଜି ତହସିଲଦାରଙ୍କୁ ଦେଇଥିଲେ। ହେଲେ ତହସିଲଦାର ତାଙ୍କ ଗାଡ଼ି ଡ୍ରାଇଭରକୁ ଦେବାକୁ କହିଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ଘଟଣାରେ ଉଭୟ ତହସିଲଦାର ଅଶ୍ଵିନୀ ପଣ୍ଡା ଓ ଚାଳକ ପ୍ରବୀଣ କୁମାରଙ୍କୁ ଗିରଫ କରାଯାଇଥିବା ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।