ନୂଆଦିଲ୍ଲୀ, ୩/୧୧: ନକ୍ସାରୁ ଲିଭିଯିବ ଅଧା ପାକିସ୍ତାନ। ହାତରୁ ଖସିଯିବ ମାଡ଼ି ବସି କବ୍ଜା କରିଥିବା ଅଞ୍ଚଳ। ଡୁରାଣ୍ଡ୍ ଲାଇନ୍ କଥା ଛାଡ଼ ଆଫଗାନିସ୍ତାନ ସହ ମିଶିଯିବ ଅଧା ପାକିସ୍ତାନ। ତାଲିବାନ ଜାରି କଲା ଗ୍ରେଟର୍ ଆଫଗାନିସ୍ତାନ ନକ୍ସା। ଟେନସନ୍ରେ ପାକ୍। ଦୁଇ ଦେଶ ଭିତରେ କୁହୁଳୁଲାଣି ଅସନ୍ତୋଷର ନିଆଁ। ଆଗକୁ ଘମାଘୋଟ ହେବ ଲଢେଇ ।
ଆଫଗାନିସ୍ତାନରେ ଅଲ-ମଦରସା ଅଲ-ଅସରିଆର ଛାତ୍ରମାନେ ତାଲିବାନର ଉପ-ମନ୍ତ୍ରୀ ମହମ୍ମଦ ନୱି ଓମାରୀଙ୍କୁ ଗ୍ରେଟର ଆଫଗାନିସ୍ତାନର ଏକ ନକ୍ସା ଗିଫ୍ଟରେ ଦେଇଛନ୍ତି । ଏହି ଗ୍ରେଟର ଆଫଗାନିସ୍ତାନ ନକ୍ସାରେ ପାକିସ୍ତାନର ପଖତୁନଖ୍ଵା, ଗିଲଗିଟ-ପାକିସ୍ତାନ ଏବଂ ବେଲୁଚିସ୍ତାନକୁ ଆଫଗାନିସ୍ତାନର ବୋଲି ଦର୍ଶାଯାଇଛି। ଯାହାକି ଏକ ବଡ଼ ଯୁଦ୍ଧର ସଙ୍କେତ ଦେଉଛି।
ସୂଚନା ଥାଉକି, ଡୁରାଣ୍ଡ୍ ଲାଇନ୍କୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଆଫଗାନିସ୍ତାନ ଏହି ସୀମା ବିଭାଜନକୁ ବିରୋଧ କରୁଛି। ଏଥିପାଇଁ ବିଭିନ୍ନ ସମୟରେ ଦୁଇ ଦେଶ ମଧ୍ୟରେ ରକ୍ତ ସଙ୍ଘର୍ଷ ହେଉଛି। ତାଲିବାନ ମଧ୍ୟ ଡୁରାଣ୍ଡ୍ ଲାଇନ୍କୁ କାଳ୍ପନିକ ରେଖା କହୁଛି। ଆମେରିକା ଯୁଦ୍ଧ ସମୟରେ ପାକିସ୍ତାନ ଆଫଗାନର ସୀମା ଓ ଯୋଦ୍ଧାମାନଙ୍କ ଅପବ୍ୟବହାର କରିଥିବା ତାଲିବାନ ଆଭିଯୋଗ କରୁଛି। ଗତ ମାସରେ ଡୁରାଣ୍ଡ୍ ଲାଇନ୍କୁ ନେଇ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। କତାର ଓ ତୁର୍କୀର ମଧ୍ୟସ୍ଥତାରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ହୋଇଛି। ହେଲେ ତାଲିବାନ ଯେପରି ଗ୍ରେଟର୍ ଆଫଗାନିସ୍ତାନ ସ୍ଵପ୍ନ ଦେଖୁଛି, ଏହି ନକ୍ସା ଜାରି ହେବାପରେ ଯେକୌଣସି ସମୟରେ ଅସ୍ତ୍ରବିରତି ଭାଙ୍ଗିପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏହି ମଧ୍ୟରେ ଖୁବ୍ଶୀଘ୍ର ସୀମା ବିବାଦକୁ ନେଇ ସାମ୍ନାସାମ୍ନି ହେବେ। ନଭେମ୍ଵର ୬ରେ ଇସ୍ତାଂବୁଲରେ ଦୁଇ ନେତା ଗୋଟିଏ ଟେବୁଲରେ ଆଲୋଚନା କରିବେ।