କଟକ/ଚୌଦ୍ୱାର-ଗୁରୁଡିଝାଟିଆ,୨୭/୧୦: ଏକ ଜମି ଠକେଇ ମାମଲାରେ ଟାଙ୍ଗୀ ପୁଲିସ ଜଣେ ଅଭିଯୁକ୍ତ କୃପାସିନ୍ଧୁ ପ୍ରଧାନଙ୍କୁ ବେଆଇନ୍ ଭାବେ ଅଟକ ରଖିବା ଥାନା ଆଇଆଇସିଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ଘଟଣାରେ ଟାଙ୍ଗୀ ଥାନା ଅଧିକାରୀ ଶିବପ୍ରସାଦ ଭଦ୍ରଙ୍କୁ ଡିଜିପି ଚାକିରିରୁ ନିଲମ୍ବନ କରିଛନ୍ତି ।
ମିଳିଥିବା ସୂଚନାନୁସାରେ, ଏକ ଜମିଜମା ଠକେଇ ସଂକ୍ରାନ୍ତ ବ୍ୟାପାରକୁ ନେଇ ଶାଳଗାଁ ପଞ୍ଚାୟତ ନେଳିଆସ୍ଥିତ ନାଣ୍ଡୁଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାଁରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଡକାଇଥିଲା । ଅଭିଯୋଗକାରୀ ଏବଂ ଅଭିଯୁକ୍ତ ଉଭୟ ପକ୍ଷ ଥାନାରେ ପହଞ୍ଚିବା ପରେ ଆପୋସ ବୁଝାମଣା ପାଇଁ ସ୍ଥିର ହୋଇଥିଲା । ତେବେ ବୁଝାମଣା ବିଫଳ ହେବାରୁ ପୁଲିସ ମାମଲା ରୁଜୁ କରିଥିଲା । ଏତଲା ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ଧର୍ତ୍ତବ୍ୟ ଅପରାଧ ନଥିବାରୁ ପୁଲିସ ତାଙ୍କୁ ନୋଟିସ୍ ଦେଇ ଛାଡ଼ିବ ବୋଲି ଜଣାପଡ଼ିଥିଲା । ମାତ୍ର ଅଭିଯୁକ୍ତ କୃପାସିନ୍ଧୁଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଥାନାରେ ଅଟକ ରଖାଯାଇଥିଲା । ଥାନାରେ ମାଡ଼ ମରାଯିବା ସହ ନିର୍ମମ ନିର୍ଯାତନା ଦିଆଯାଇଥିଲା । କୃପାସିନ୍ଧୁ ଥାନାରେ ବସିଥିବା ଜାଗାରେ କଚାଡ଼ି ହୋଇ ପଡ଼ିଥିଲେ । ପୁଲିସ ମାଡ଼ରେ ଆହତ ଓ ଭୟଭୀତ ହୋଇ ଅଭିଯୁକ୍ତ ତଳେ ପଡ଼ିଯାଇଥିବା ପତ୍ନୀ ଅଭିଯୋଗ କରିଥିଲେ । କୃପାସିନ୍ଧୁ ଏସ୍ସିବି ମେଡିକାଲ୍ର ମେଡିସିନ୍ ୱାର୍ଡରେ ତିନି ଦିନ ତଳେ ଭର୍ତ୍ତି ହୋଇଥିଲେ । ସେ ଏବେ ସୁସ୍ଥ ଅଛନ୍ତି । ତଦନ୍ତରୁ ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା କଥା ଜଣାପଡ଼ିବା ପରେ ଡିଜିପି ଥାନା ଅଧିକାରୀ ଶ୍ରୀ ଭଦ୍ରଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ସମ୍ପୃକ୍ତ ଇନ୍ସପେକ୍ଟର କଟକ ସେଣ୍ଟ୍ରାଲ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟରେ ହାଜିରା ଦେବେ । ସୂଚନାଯୋଗ୍ୟଯେ, ପୂର୍ବରୁ ଚୌଦ୍ୱାର ଥାନା ଅଧିକାରୀ ମଧ୍ୟ ନିଲମ୍ବିତ ହୋଇଥିଲେ ।