ଭୁବନେଶ୍ୱର,୨୨/୧୦ : ଜଣେ ଶିକ୍ଷକରେ ଚାଲିଛି ପ୍ରାଥମିକ ସ୍କୁଲ । ଚିନ୍ତାରେ ଅଭିଭାବକ । ରାଜ୍ୟର ଗୋଟିଏ କି ଦୁଇଟି ସ୍କୁଲରେ ଏପରି ଅବସ୍ଥା ନୁହେଁ । ସରକାରୀ ତଥ୍ୟ ଅନୁଯାୟୀ ଏକ ହଜାରରୁ ଅଧିକ । ମାତ୍ର ବାସ୍ତବରେ ଏହା ଆହୁରି ଅଧିକ ହେବ ବୋଲି ଶିକ୍ଷକ ସଂଘମାନେ କହୁଛନ୍ତି । କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ଥିବା ସ୍କୁଲ ମଧ୍ୟରୁ ୧୦ଟି ସ୍କୁଲରେ ଜଣେ ଶିକ୍ଷକରେ ସମ୍ପୂର୍ଣ୍ଣ ସ୍କୁଲ ପାଠପଢ଼ା ହେଉଛି । ପୁରୀ ଜିଲ୍ଲା ଗୋପରେ ୧୫ରୁ ଅଧିକ ସ୍କୁଲରେ ଜଣେ ଶିକ୍ଷକରେ ପାଠପଢ଼ା ହେଉଛି । ସତ୍ୟବାଦୀ ବ୍ଲକ୍‌ରେ ୬ରୁ ଅଧିକ ସ୍କୁଲରେ ମଧ୍ୟ ସମାନ ଅବସ୍ଥା । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ରେ ୪ ସ୍କୁଲ ଜଣେ ଶିକ୍ଷକରେ ଚାଲିଛି । ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗରେ ୨ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି ।

ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁଡାଇଏସ୍‌ ପ୍ଲସ୍‌ ରିପୋର୍ଟରେ ଶିକ୍ଷା ବ୍ୟବସ୍ଥାର ବିକଳ ସ୍ଥିତି ଦେଖିବାକୁ ମିଳିଥିଲା । ରାଜ୍ୟରେ ୬୧ ହଜାର ୫୬୫ ସ୍କୁଲ ଥିଲା ବେଳେ ୭୬,୪୪,୦୫୨ ପିଲା ପାଠ ପଢୁଛନ୍ତି । ପାଠ ପଢ଼ାଇବାକୁ ୩,୪୪,୧୧୬ ଶିକ୍ଷକ ଅଛନ୍ତି । ହାରାହାରି ୨୨ ଜଣ ପିଲାଙ୍କୁ ପାଠ ପଢ଼ାଇବାକୁ ଜଣେ ଶିକ୍ଷକ ଅଛନ୍ତି । ଜାତୀୟସ୍ତରରେ ଆନୁପାତିକ ହାର ୨୪ ଥିଲା ବେଳେ ପଡ଼ୋଶୀ ରାଜ୍ୟଗୁଡ଼ିକ ଠାରୁ ଓଡ଼ିଶା ଉନ୍ନତ ସ୍ଥିତିରେ ଅଛି । କିନ୍ତୁ ୧,୦୮୯ ଏମତି ସ୍କୁଲ ଅଛି ଯେଉଁଠି ମାତ୍ର ଜଣେ ଶିକ୍ଷକ ସମସ୍ତ ଶ୍ରେଣୀର ଭାର ନେଇଛନ୍ତି । ଅର୍ଥାତ୍‌ ଜଣେ ଶିକ୍ଷକରେ ପାଠପଢ଼ା ହେଉଛି । ଯେଉଁ ୧୦୯୪ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେଠାରେ ମୋଟ ପଢୁଛନ୍ତି ୪୭ ହଜାର ୯୪୦ ପିଲା ।

ମିଳିଥିବା ସୂଚନାକୁ ଉଦାହରଣ ଭାବେ ଦେଖିବାକୁ ଗଲେ, କୋରାପୁଟ ଜିଲ୍ଲାର କୋଟପାଡ଼ରେ ୧୦ ପ୍ରାଥମିକ ସ୍କୁଲରେ ଜଣେ ଶିକ୍ଷକରେ ସ୍କୁଲ ଚାଲିଛି । ଯେଉଁଥିରେ ଦେଓଦା ପ୍ରାଥମିକ ସ୍କୁଲ, ଖପିର୍‌ଗୁଡ଼ା ସରକାରୀ ପ୍ରାଥମିକ ସ୍କୁଲ, ମୁଣ୍ଡିପଡ଼ାର ସରକାରୀ ପ୍ରାଥମିକ ସ୍କୁଲ, ନିକଗୁଡ଼ା ସରକାରୀ ପ୍ରାଥମିକ ସ୍କୁଲ, ଆଲୁପଡ଼ାର ସରକାରୀ ସ୍କୁଲ, କୁଆଗାଁ, ମଳଚମାଳ, ଦୁମଯୋଡ଼ି-୨୨, ସୁତିପଦର, ଏକୋମ୍ବା ସ୍କୁଲରେ ଏପରି ଅବସ୍ଥା ରହିଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଦୀପିଦେଉଳି ପ୍ରାଥମିକ ସ୍କୁଲ, ଗେଣ୍ଡାମାଳ ପ୍ରାଥମିକ ସ୍କୁଲ, ମାଧିପୁର, ଟିକିବିଲାସାହି, ହରଚଣ୍ଡୀ ଉଚ୍ଚ ପ୍ରାଥମିକ ସ୍କୁଲ, ପାଣିଛତ୍ର, ବସ୍ତାପଡ଼ା, ଚକ୍ରପଡ଼ା ଆଦି ପ୍ରାଥମିକ ସ୍କୁଲ ରହିଛି । ସେହିପରି ହିଞ୍ଜିଳିକାଟୁ ବ୍ଲକ୍‌ରେ କାର୍ଜିପାଲ୍ଲି, ସିକୁଲିପାଲି, ମୋହନାପାଲି, ସରୁ ହରିଜନ ପ୍ରାଥମିକ ସ୍କୁଲରେ ଜଣେ ଲେଖାଏ ଶିକ୍ଷକରେ ପାଠପଢ଼ା ହେଉଛି । ଉକ୍ତ ଶିକ୍ଷକ କେଉଁଠି ଶିଶୁବାଟିକା ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ତ ଆଉ କେଉଁଠି ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କ ପାଠପଢ଼ାକୁ ଦେଖୁଛନ୍ତି । ସେଥିରେ ପିଲାଙ୍କ ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନ ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଯାହା ଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ କହିବା କଥା, ସରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରତି ସ୍କୁଲରେ ଶ୍ରେଣୀ ପିଛା ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦିଅନ୍ତୁ। ଜଣେ ଶିକ୍ଷକରେ ପାଠପଢ଼ା ଗୁଣାତ୍ମକ ହୋଇପାରିବ ନାହିଁ । ଅନ୍ୟପଟେ ଶିକ୍ଷକଙ୍କୁ ଅଣଶିକ୍ଷା କାର୍ଯ୍ୟରୁ ମୁକ୍ତ କରାଯାଉ । ତେବେ ଯାଇ ରାଜ୍ୟରେ ଶିକ୍ଷାର ମାନ ଗୁଣାତ୍ମକ ହେବ।