ଭୁବନେଶ୍ଵର, ୨୭/୯ : ମର୍ତ୍ତ୍ୟରେ ଅନନ୍ୟ ସ୍ଵର୍ଗପୁରୀ । ବାଦଲ ଭିତରେ ଭାସୁଛି ଗାଁ। ଏଠି ସୂର୍ଯ୍ୟୋଦୟ ଯେତିକି ସୁନ୍ଦର ସୂର୍ଯ୍ୟାସ୍ତ ତାଠୁ ଅଧିକ ମନଲୋଭା। ସତେ ଯେମିତି ଫୁରସତ୍‌ରେ ଗାଁକୁ ଗଢିଛନ୍ତି ସୃଷ୍ଟିକର୍ତ୍ତା। ଥରେ ଗଲେ ଆଉ ଫେରିବାକୁ ମନ ହେବନି । ଭସା ବାଦଲରେ ଭାସିଯିବ ସବୁ ଅବସାଦ। ଜଞ୍ଜାଳ, ଯାତନାରୁ ମିଳିବ ଆତ୍ମତୃପ୍ତି । ପ୍ରାକୃତିର ଅନନ୍ୟ ଉପହାର ଏହି ସୌନ୍ଦର୍ଯ୍ୟ ଓ ସବୁଜିମା ଭରା ଗାଁ । ଏଠି ବାଦଲର ଛାତି ଚିରି କଳ କଳ ହୋଇ ବହିଯାଉଛି ଝରଣା । ଆକାଶର ବକ୍ଷ ଛେଦି ଅନବରତ ଗଳୁଛି ପାଣି । ପାହାନ୍ତି ପ୍ରହରରେ କାଚକେନ୍ଦୁ ପରି ଶିଶିର ବିନ୍ଦୁର ସ୍ପର୍ଶରେ ପୁଲକିତ ହୋଇଯାଏ ତନମନ । ଏହି ସ୍ଥାନଟିକୁ ଦେଖିଲେ ଆପଣ ବି କହିବେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।

ଭାରତରେ ରହିଛି ଏହି ସ୍ଵର୍ଗୀୟ ଗାଁ। ମେଘାଳୟ ମସ୍ତକର ଚୂଡ଼ା ଏହି ଗାଁ। ନାମ ନୋଙ୍ଗଜ୍ରୋଙ୍ଗ... ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ମେଘାଳୟର ଇଷ୍ଟ ଖାସି ପର୍ବତମାଳରେ ଅବସ୍ଥିତ ନୋଙ୍ଗଜ୍ରୋଙ୍ଗ। ଏହା ଶିଲଙ୍ଗ ଠାରୁ ପ୍ରାୟ ୬୦ କିମି ଦୂର ଓ ମାୱକନୁରୁ ଠାରୁ ମାତ୍ର ୩୦ କିମି ଦୂର। ପାହାଡ଼ ଚିରି ଏହି ଗାଁକୁ ପହଞ୍ଚିଛି କଂକ୍ରିଟ୍ ସଡ଼କ। ବିମାନ ଯୋଗେ ବି ଯାଇପାରିବେ ପର୍ଯ୍ୟଟକ। ନୋଙ୍ଗଜ୍ରୋଙ୍ଗର ୧୦୦ କିମି ଦୂରରେ ରହିଛି ଗୌହ୍ଵାଟୀ ଅନ୍ତର୍ଜାତୀୟ ଏୟାରପୋର୍ଟ। 

୨୦୧୧ ଜନଗଣନା ଅନୁଯାୟୀ, ନୋଙ୍ଗଜ୍ରୋଙ୍ଗର ଜନସଂଖ୍ୟା ମାତ୍ର ୧୪୪୦। ଏଠାରେ ଖାସି ଜନଜାତିର ଲୋକେ ବସବାସ କରନ୍ତି। ଗାଁରେ ସାକ୍ଷରତା ହାର ୪୧.୬୭%। ସବୁଠୁ ବଡ଼ କଥା ହେଲା ଏଠି ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଶିକ୍ଷିତ। ପୁରୁଷଙ୍କ ସାକ୍ଷରତା ହାର ୨୯.୩୧% ଥିବା ବେଳେ ମହିଳାଙ୍କର ୫୪.୬୨%। ନୋଙ୍ଗଜ୍ରୋଙ୍ଗକୁ ବୁଲିବାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସନ୍ତି। ଏଠାକାର ଆକର୍ଷଣୀୟ ସ୍ଥାନ ହେଉଛି ନୋଙ୍ଗଜ୍ରୋଙ୍ଗ ଭିୟୁ ପଏଣ୍ଟ। ଏଠାରେ ସୂର୍ଯ୍ୟୋଦୟ ଖୁବ୍ ମନୋହର। ସେହିପରି ଗାଁ ଠାରୁ ମାତ୍ର ୩ କିମି ଦୂରରେ ରହିଛି ନୋଙ୍ଗଜ୍ରୋଙ୍ଗ ୱାଟରଫଲ୍। ଆପଣଙ୍କୁ ଲାଗିବ ସତେ ଯେମିତି ବାଦଲ ଚିରି ବହି ଯାଉଛି ଝରଣା। 

ନୋଙ୍ଗଜ୍ରୋଙ୍ଗର ସଂସ୍କୃତି, ପରମ୍ପରା, ନୃତ୍ୟଗୀତ, ଖାଦ୍ୟପେୟ ଅନନ୍ୟ। ଏଠାକାର ପର୍ବପର୍ବାଣୀରେ ସ୍ଥାନୀୟ ପରମ୍ପରାର ଝଲକ ଦେଖିବାକୁ ମିଳେ। ଏଠାକୁ ବୁଲିବାକୁ ଯିବାକୁ ଅକ୍ଟୋବରରୁ ଫେବୃଆରୀ ଭିତରେ ଉଚିତ୍ ସମୟ। ଟ୍ରେକିଂ ଓ ସାଇଟ୍ ସିଂ ପାଇଁ ଏହା ଉଚିତ୍ ସମୟ। ବର୍ଷାଦିନେ ଏହି ସ୍ଥାନ ସବୁଜିମା ଭରା ହୋଇଥିଲେ ବି ପ୍ରବଳ ବର୍ଷା କାରଣରୁ ଏଠାକୁ ଯିବା ମୁସ୍କିଲ ହୋଇଥାଏ। ନିକଟରେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍ କରି ନୋଙ୍ଗଜ୍ରୋଙ୍ଗ ବିଷୟରେ ଖୁବ୍ ପ୍ରଶଂସା କରିଥିଲେ। ପାହାଡ଼ ପର୍ବତ ଘେରା ଏହି ଗାଁ ପ୍ରକୃତିପ୍ରେମୀଙ୍କୁ ଏକ ରୋମାଞ୍ଚର ଓ ଅଦ୍ଵିତୀୟ ଅନୁଭବ ଦେବ।