କଟକ,୦୫/୧୧: ବୁଧବାର ଆରମ୍ଭ ହେଇଛି ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।ଚଳିତ ବର୍ଷ ତଳ ପଡ଼ିଆରେ ନୂଆ ରୂପରେଖ ସହ ବାଲିଯାତ୍ରା ଆୟୋଜନ କରାଯାଉଛି । ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଉ ଗୋଟିଏ ଦିନ ବଢ଼ିବାର ଯୋଜନା ରହିଥିବା କୁହାଯାଉଛି । ଉଦ୍ଘାଟନୀ ଉତ୍ସବରେ ସନ୍ଧ୍ୟା ସାଢ଼େ ୫ଟାରେ ମହାନଦୀ ଆଳତି, ପୂଜା ଓ କୀର୍ତ୍ତନ ଏବଂ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ପରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟମନ୍ତ୍ରୀ ଉତ୍ସବକୁ ଉଦ୍ଘାଟନ କରିବେ । ଏହାସହ ସମ୍ମାନିତ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍ କୃଷ୍ଣମୂର୍ତ୍ତୀଙ୍କ ସମେତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦଙ୍କ ସମେତ କଟକ ଜିଲ୍ଲା ଓ ଆଖପାଖ ନିର୍ବାଚନମଣ୍ଡଳୀର ବିଧାୟକ ଓ ବିଧାୟିକାଙ୍କୁ ନିମନ୍ତ୍ରଣ କରାଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ସୂଚନା ଦେଇଛନ୍ତି ।
ଏହା ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ପ୍ରଥମ ସନ୍ଧ୍ୟାରେ ଇଣ୍ଡୋନେସିଆନ୍ ଟିମ୍ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ଯାହା ଆକର୍ଷଣ ପାଲଟିବ । ଐତିହାସିକ କଟକ ବାଲିଯାତ୍ରା ପାଇଁ କଟକ ପୁଲିସ ପକ୍ଷରୁ ଆସନ୍ତା କାଲି ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସହରର କିଛି ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏହା ଅପରାହ୍ନ ୨ଟାରୁ ରାତିରେ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଲାଗୁ ରହିବ । ତେବେ ଏହି କଟକଣା ଆମ୍ବୁଲାନ୍ସ ଅଗ୍ନିଶମ ବାହିନୀ, ପୁଲିସ ଓ ଉପଯୋଗୀ ସେବାରେ ନିୟୋଜିତ ଯାନଗୁଡ଼ିକ ନିମନ୍ତେ ଲାଗୁ ହେବ ନାହିଁ ।
ଭୁବନେଶ୍ୱରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଦେଇ ଆସୁଥିବା ହାଲୁକା ଯାନଗୁଡ଼ିକ ନେତାଜୀ ସେତୁ ଦେଇ ବେଲିଭ୍ୟୁ ଛକ (ଜୁଡିସିଆଲ୍ ଏକାଡେମୀ)ଠାରୁ ବାମକୁ ଯାଇ ସିଡିଏ ସେକ୍ଟର-୧୧ ହୋଇ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବେ । ଭୁଆସୁଣୀ ପଡ଼ିଆ କିମ୍ୱା କୃଷକ ବଜାର ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ବିନା ମୂଲ୍ୟରେ ଦିଆଯାଉଥିବା ବସ୍ରେ ବାଲିଯାତ୍ରା ପଡ଼ିଆରେ ପହଞ୍ଚିପାରିବେ । ଆଠଗଡ଼, ବାଙ୍କୀ ପାଶ୍ୱର୍ରୁ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ଆସୁଥିବା ହାଲୁକା ଯାନଗୁଡ଼ିକ ଭୁଆସୁଣୀ ପଡ଼ିଆ, ଗୋରକବର ପଡ଼ିଆ କିମ୍ୱା ଖ୍ରୀଷ୍ଟିଆନ୍ ପଡ଼ିଆରେ ଗାଡ଼ି ରଖି ମାଗଣା ବସ୍ ମାଧ୍ୟମରେ ପଡ଼ିଆ ଯିବେ । ସେହିପରି ସତୀଚୌରା ଛକରୁ ସେଲ୍ଟର ଛକ ଏବଂ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସୁଥିବା ଦୁଇ ଚକିଆ ଗାଡ଼ି ଦୟାଶ୍ରମ ପାର୍କିଂ ପଡ଼ିଆ କିମ୍ୱା ଗଡ଼ଖାଇ ସମ୍ମୁଖ ଉପର ବାଲିଯାତ୍ରା ପଡ଼ିଆ (ଜୋନ୍-୧ ଏବଂ ଜୋନ୍-୨)ରେ ପାର୍କିଂ କରିବେ ।