କର୍ଲାମୁଣ୍ଡା,୩/୧୦ : କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ। ଏହି ଗାଁର ମଙ୍ଗଳା ଜୋର ନିକଟରେ ପୂଜା ପାଉଛନ୍ତି ବସ୍ତ୍ରେଣ ଦେବୀ। ପ୍ରତି ବର୍ଷ ବିଜୟା ଦଶମୀ ଦିନ ଦେବୀଙ୍କର ବାର୍ଷିକ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି। ଏହି ଅବସରରେ ଗୁରୁବାର ଏହି ଯାତ୍ରା ସମାପନ ହୋଇଯାଇଛି । ପ୍ରଥମେ କାର୍ଣ୍ଣିଖୁଣ୍ଟିରୁ ପୂଜାର୍ଚ୍ଚନା କରି ଖଣ୍ଡା, ଟାଙ୍ଗିଆ ଆଣିବା ପରେ ବସ୍ତ୍ରେଣ ଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା।
ସେହିପରି ବସ୍ତ୍ରେଣ ମନ୍ଦିର ନିକଟରେ ଥିବା ଦୁଆରସୁଣିଙ୍କର ମଧ୍ୟ ପୂଜା ରୀତିନୀତିରେ ସମାପନ ହୋଇଥିଲା । ଏଥିରେ ନର୍ଲା, କେସିଙ୍ଗା, ମ ରାମପୁର, କର୍ଲାମୁଣ୍ଡା ବ୍ଲକ ଆଦି ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ କଣ୍ଡରେଇ ଗାଁର କିଛି ଲୋକ ଶଗଡ଼ ଗାଡ଼ିରେ ତତ୍କାଳୀନ ମଧ୍ୟ ପ୍ରଦେଶର ବସ୍ତର ଅଞ୍ଚଳକୁ କୌଣସି କାର୍ଯ୍ୟରେ ଯାଇ ଫେରିବା ସମୟରେ ବଳଦ ଚାଲିବା ଭଳି ପରିସ୍ଥିତିରେ ନ ଥିଲେ। ଯେଉଁଥି ପାଇଁ ବଳଦକୁ ମାଡ଼ ମାରୁଥିବା ସମୟରେ ହଠାତ୍ ଜଣେ ବୃଦ୍ଧା ବଳଦମାନଙ୍କୁ ନ ମାରିବାକୁ କହିବା ସହ ମୋତେ ଶଗଡ଼ ଗାଡ଼ିରେ ବସେଇ ନିଅ ଦେଖିବ ସବୁ ଠିକ୍ ହେଇଯିବ ବୋଲି କହିଥିଲେ।
ତା’ପରେ ବୃଦ୍ଧା ଜଣଙ୍କୁ ଶଗଡ଼ ଗାଡ଼ିରେ ବସେଇବା ପରେ ବଳଦମାନେ ଚାଲିବାକୁ ସକ୍ଷମ ହେବାରେ ଲାଗିଥିଲେ। ଗାଡିଟି କଣ୍ଡରେଇ ଗାଁକୁ ପହଞ୍ଚିବା ପରେ ବୃଦ୍ଧା ଜଣକ ହଠାତ ଅଦୃଶ୍ୟ ହୋଇଯାଇଥିଲେ। ପରବର୍ତ୍ତି ସମୟରେ ଗାଁ ରେ ଲୋକମାନେ ବିଶେଷ କରି ମହିଳାମାନେ ବିଭିନ୍ନ ରୋଗର ଶିକାର ହେବାରେ ଲାଗିଲେ। ତେବେ ଗାଁରେ ଗୁଣି ଗାରେଡି କରିବା ପରେ ଜଣେ ଦେବୀଙ୍କ ଦ୍ଵାରା ଏହି ସବୁ ସମସ୍ୟା ଉପୁଜିଥିବା ଓ ସେହି ଦେବୀ ଯେ ଉକ୍ତ ବୃଦ୍ଧା ବୋଲି ବିଶ୍ୱାସ କରି ସେହି ଦେବୀଙ୍କ ନାମରେ ପୂଜାର୍ଚ୍ଚନା ଆରମ୍ଭ କରିବା ପରେ ଗାଁରେ ଧୀରେ ଧୀରେ ସମସ୍ତେ ସୁସ୍ଥ ଅନୁଭବ କରିଥିଲେ। ଯେହେତୁ ଦେବୀ ବସ୍ତରରୁ ଆସିଥିଲେ, ତେଣୁ ଏଠାରେ ସେ ବସ୍ତ୍ରେଣ ଦେବୀ ନାମରେ ପୂଜିତ ହେଲେ। ଏକଦା ମ.ରାମପୁରର ତତ୍କାଳୀନ ରାଜା ଘୋଡ଼ାରେ ବସି କଣ୍ଡରେଇ ଗାଁକୁ ପରିଦର୍ଶନରେ ଆସିଥିବାବେଳେ ହଠାତ ଘୋଡାରୁ ଖସି ପଡ଼ିଥିଲେ ।
ଉକ୍ତ ରାତିରେ ଦେବୀ ରାଜାଙ୍କୁ ସ୍ୱପ୍ନା ଦେଶ କରିବାରୁ ରାଜା ଦେବୀଙ୍କ ପାଇଁ ମନ୍ଦିର ତୋଳି ଦେଇଥିଲେ। ପୁଣି ଦେବୀଙ୍କ ଆସ୍ଥାନ ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୧୨ଏକର ଜମି ଦାନ କରିଥିଲେ। ସେହି ବର୍ଷଠାରୁ ଅଦ୍ୟାବଧି ରାଜପରିବାର ପକ୍ଷରୁ ପାଟ ବୁକା ଓ ପାଟ ସିନ୍ଦୁର ପହଞ୍ଚିବା ପରେ ଛତର ଯାତ୍ରା ଆରମ୍ଭ ହୋଇଥାଏ । ଦେବୀ ପୀଠ ପ୍ରତି ଲୋକଙ୍କର ଏକ ବିଶ୍ୱାସ ରହି ଆସିଛି । ଭକ୍ତ ଯାହା ମନସ୍କାମନା କରିଥାଏ, ତାହା ପୂରଣ ହୋଇଥାଏ । ସେଥିପାଇଁ ବିଜୟା ଦଶମୀ ପର୍ବରେ ମନସ୍କାମନା ପୂର୍ଣ୍ଣ ହୋଇଥିବା ଭକ୍ତମାନେ ପୋଢ଼, ଛେଳି, ମେଣ୍ଡା, କୁକୁଡ଼ା, ବୁକା, ବତକ, ପାରା ଆଦି ଶହଶହ ସଂଖ୍ୟାରେ ଦେବୀଙ୍କ ଉଦେଶ୍ୟରେ ଅର୍ପଣ କରିଥାନ୍ତି।