କେନ୍ଦୁଝର,୧୫/୧୦ : ବର୍ତ୍ତମାନ ଆଧୁନିକ ଯୁଗରେ ରାଷେଇ ଘରେ ଶିଳ ଓ ଶିଳ ପୁଆର ସ୍ଥାନ ଗ୍ରାଇଣ୍ଡର ନେଇଛି । ମସଲା, ବିରି, ହଳଦି ଇତ୍ୟାଦି ଆଦି ବାଟିବା ପାଇଁ ମହିଳାମାନେ ଆଉ ଶିଳ ବ୍ୟବହାର ନକରି ଗ୍ରାଇଣ୍ଡର ବ୍ୟବହାର କରୁଛନ୍ତି । ମାତ୍ର ଶିଳ ଓ ଗ୍ରାଇଣ୍ଡର ମଧ୍ୟରେ ପ୍ରଭେଦ ଓ ଖାଦ୍ୟର ସ୍ୱାଦ ସହିତ ଡାକ୍ତରମାନଙ୍କ ପରାମର୍ଶ ଯୋଗୁ ପୁଣି ଶିଳ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ମେଳା, ମହୋତ୍ସବ ଗୁଡିକରେ ଶିଳ ବିକ୍ରି ହେଉଥିବାରୁ ବ୍ୟବସାୟୀମାନେ ବିକିବାକୁ ପହଞ୍ଚି ଯାଉଛନ୍ତି । ପୂର୍ବରୁ ଶିଳରେ ବାଟିବା ଯୋଗୁଁ ଲୋକମାନଙ୍କର ହାତୀ ମାଂସପେଶୀର ବ୍ୟାୟାମ ହୋଇ ଶରୀର ସୁସ୍ଥ ରହୁଥିଲା । ଶିଳ ବଟା ମସଲାରେ ତିଆରି ଖାଦ୍ୟର ସୁଆଦ ନିଆରା ଥିଲା । ଶିଳ ବଟା ପିଠଉରେ ତିଆରି ଚକୁଳି ପିଠା ଓ ପୋଡ ପିଠାର ସୁଆଦ କେବଳ ବୟସ୍କ ଲୋକମାନେ ହିଁ ଜାଣନ୍ତି । ଲୋକମାନେ ଖାଦ୍ୟରେ ବ୍ୟବହାର କରୁଥିବା ମସଲା ବର୍ତ୍ତମାନ ଗ୍ରାଇଣ୍ଡରରେ ଓ ଅନ୍ୟ କେତେକ ବଜାରରେ ମିଳୁଥିବା ମସଲାର ପେଷ୍ଟ ପ୍ୟାକେଟ୍ କିଣି ବ୍ୟବହାର କରୁଛନ୍ତି । ଫଳରେ ଅପମିଶ୍ରିତ ମସଲା ଏବଂ ମସଲା ଗୁଣ୍ଡ ଖାଇବା ପାଇଁ ଆମେ ବାଧ୍ୟ ହେଉଛୁ।
ଗ୍ରାଇଣ୍ଡର ବଟା ଖାଦ୍ୟର ସ୍ୱାଦ କମିବା ସହିତ ପରିଶ୍ରମ ଅଭାବରୁ ମହିଳାଙ୍କର ରୋଗ ବଢି ଚାଲିଛି । ଘର ଥିଲା ମହିଳାମାନଙ୍କର ବ୍ୟାୟାମଶାଳା । ଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ଶିଳ, ଚକି, ଢିଙ୍କି ଭଳି ଉପକରଣଗୁଡିକ ବ୍ୟବହାର କରିବା ଦ୍ୱାରା ବ୍ୟାୟାମ ହେବା ସହିତ ଖାଦ୍ୟରେ ଶୁଦ୍ଧତା ଓ ସ୍ୱାଦ ରହୁଥିଲା । ବିଶେଷ କରି କାନ୍ଧ, ହାତ, ଗୋଡର ଖଞ୍ଜା ଚଳପ୍ରଚଳ ହେଉଥିଲା । ସ୍ତ୍ରୀ ଲୋକମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ସେମାନଙ୍କ ପାଖରେ ସମୟର ଅଭାବରୁ ବିଭିନ୍ନ ପ୍ରକାର ମେସିନ ଓ ବାହାରର ଅପମିଶ୍ରିତ ଖାଦ୍ୟ ବ୍ୟବହାର କରୁଛନ୍ତି । ଫଳରେ ମହିଳାମାନଙ୍କର ବିଭିନ୍ନ ପ୍ରକାରର ରୋଗ ହେଉଛି । ପ୍ରତି ୫ଜଣ ମହିଳାଙ୍କ ମଧ୍ୟରୁ ଜଣେ ପିସିଓଏସ୍ (ପଲିସିଷ୍ଟିକ ଓଭାରି ସିନ୍ଡ୍ରୋମ୍) ଜନିତ ରୋଗରେ ପୀଡିତ ହେଉଛନ୍ତି । ପରିଶ୍ରମ ଅଭାବରୁ ଓ ବେଶି କ୍ୟାଲୋରୀ ଯୁକ୍ତ ଫାଷ୍ଟ ଫୁଡ ଯୋଗୁଁ ମହିଳାମାନଙ୍କ ରୋଗ ଚିନ୍ତାର ବିଷୟ ପାଲଟିଛି । ଶରୀରର ଓଜନ ବଢିବା, ମୁହଁରେ ବ୍ରଣ ହେବା, ଥକାପଣ, କ୍ୟାନସର, ଚିନ୍ତା ତଥା ଗର୍ଭଧାରଣ କ୍ଷମତାରେ ବାଧା ସୃଷ୍ଟି ହେଉଛି । ଏହି ରୋଗ କ୍ଷେତ୍ରରେ ବ୍ୟାୟମ ଏବଂ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଉପରେ ଡାକ୍ତରମାନେ ପରାମର୍ଶ ଦେଉଥିବାରୁ ଶିଳ ବ୍ୟବହାର ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି ।
ପୂର୍ବରୁ କେନ୍ଦୁଝର ସହର ଡେଲି ମାର୍କେଟରେ ଝାଡଖଣ୍ଡ ରାଜ୍ୟ ଚାଇଁବସାରୁ ଆମଦାନୀ ହେଉଥିବା ଶିଳର ଚାହିଦା ବହୁତ ଅଧିକ ଥିଲା । କେନ୍ଦୁଝର ଓ ଏହାର ଆଖପାଖ ଜିଲ୍ଲାର ସମସ୍ତ ଲୋକ ଡେଲି ମାର୍କେଟରୁ ଶିଳ କିଣୁଥିଲେ । ଝିଅ ବାହାଘର ବିଦାୟ ବେଳେ କେନ୍ଦୁଝର ଶିଳଟିଏ ଦେଲେ ଶାଶୂ ଘର ଲୋକ ମଧ୍ୟ ଖୁସି ହେଉଥିଲେ । ପ୍ରାୟ ୨୦ ବର୍ଷ ତଳେ ପ୍ରତି ଘରେ ଏହାର ଢେର ଆଦର ରହିଥିଲା । ଯାହା କେବଳ ଖାଦ୍ୟର ସ୍ୱାଦ ବଢାଉନଥିଲା ବରଂ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ବି ଭଲ ରଖୁଥିଲା । ହେଲେ ବର୍ତ୍ତମାନ ଗ୍ରାଇଣ୍ଡର ଯୁଗରେ ଶିଳ ବଟା ଅଲୋଡା ହୋଇ ପଡିଥିବା ବେଳେ କିଛି ସ୍ୱାସ୍ଥ୍ୟ ସଚେତନ ଲୋକ ପୁଣି ଶିଳ ବ୍ୟବହାର ପ୍ରତି ଆଗ୍ରହ ଦେଖାଉଛନ୍ତି...