ଭୁବନେଶ୍ୱର, ୧୫ ।୧୦ (ବିମଳ କୁମାର ରାଉଳ) : ଯେ କୌଣସି ଇଭେଣ୍ଟରେ ପଦକ ଜିତିଲେ, ରେକର୍ଡ ଭାଙ୍ଗିଲେ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କଲେ, ଯେଉଁ ପ୍ରଶଂସା ଓ ପ୍ରୋତ୍ସାହନ ଜଣେ ଖେଳାଳିଙ୍କୁ ମିଳେ, ସବା ଶେଷରେ ରହୁଥିବା ଖେଳାଳିଙ୍କୁ ତାହା ମିଳେ ନାହିଁ । କାରଣ ଯିଏ ସଫଳ ତାକୁ ହିଁ ସମସ୍ତେ ବାଃ ବାଃ କରନ୍ତି । କିନ୍ତୁ ସବା ଶେଷରେ ଥିବା ଖେଳାଳିଟିଏ ବି କଠିନ ପରିଶ୍ରମ କରିଥାଏ, ହୁଏତ ସେଦିନ ତା’ର ଯୋଗପାଗ ଭଲ ନଥିବାରୁ ସବା ଶେଷରେ ରହିଯାଏ । ସେ ଯେ ଦିନେ ଶୀର୍ଷକୁ ନଯିବ ତାହା କିଏ କହିପାରିବ? କଥାରେ ଅଛି ବିଫଳତା ହିଁ ସଫଳତାର ବାଟ ଦେଖାଏ ।

ସେମିତି ଜଣେ ଝିଅଟିଏ ହେଲେ ଦେବଗଡ଼ର ନିଶା ବାରିକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୪୦ତମ ଜାତୀୟ ଜୁନିୟର ଆଥଲେଟିକ୍ସର ୨୦ ବର୍ଷରୁ କମ୍‌ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ନିଶା ଫାଇନାଲକୁ ଯୋଗ୍ୟତା ହାସଲ କରିଥିଲେ । ୧୬ ଜଣଙ୍କ ମଧ୍ୟରେ ସେ ସବା ଶେଷରେ ଦୌଡ଼ ଶେଷ କରିଥିଲେ । ତେବେ ଏହି ସବା ଶେଷ ଝିଅଟିର ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ । ଦେବଗଡ଼ରୁ ଭୁବନେଶ୍ୱର ଯାତ୍ରା ମଧ୍ୟରେ ବହୁ ବାଧାବିଘ୍ନ ଆସିଛି କିନ୍ତୁ ସେ ଥକି ପଡ଼ି ନାହାନ୍ତି କି ପଛଘୁଞ୍ଚା ଦେଇ ନାହାନ୍ତି । ଚାଲିଛନ୍ତି ଆଗକୁ । ୧୮ ବର୍ଷୀୟା ନିଶାଙ୍କ ସ୍ୱପ୍ନ ବହୁ ବଡ଼ । ଏହାକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ବାପା ରଞ୍ଜିତ କୁମାର ବାରିକ । ଗୋଟିଏ ଛୋଟ ସେଲୁନଟିଏ ପକାଇଛନ୍ତି । ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ତାଙ୍କର ପରିବାର ଚଳେ ।

ନିଶା କହନ୍ତି, ‘ବାପା ଜିଲ୍ଲା ସ୍ତରୀୟ ଆଥଲେଟ ଥିଲେ । ଆମର କିଛି ଜମି ବାଡ଼ି ନାହିଁ । ବାପା ଦୋକାନରୁ ଯାହା ରୋଜଗାର କରନ୍ତି, ସେଥିରୁ ଆମେ ଚଳୁ । ବାପାଙ୍କ ଯୋଗୁ ମୁଁ ଆଥଲେଟ୍‌ ହୋଇପାରିଛି । ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ରହୁଛି । ମୋ ସାନ ଭାଇ ସୁଇମିଂ କରୁଛି । ସେ ବି ଭୁବନେଶ୍ୱରରେ ରହୁଛି । ପିଲାଦିନରୁ ବାପା ମୋତେ ଖେଳାଳି କରିବାକୁ ଚାହୁଁଥିଲେ । ଯେହେତୁ ଅନ୍ୟ କ୍ରୀଡ଼ା ଗୁଡ଼ିକ ବ୍ୟୟବହୁଳ ତେଣୁ ମୋତେ ଆଥଲେଟିକ କରାଉଥିଲେ ।’ ନିଶା ଆଜି ୩୦୦୦ ମିଟର ଷ୍ଟିପଲଚେଜରେ ୧୪ ମିନିଟ ୧୯.୧୪ ସେକେଣ୍ଡରେ ଦୌଡ଼ ଶେଷ କରିଥିଲେ । କିନ୍ତୁ ସେ ପୂର୍ବରୁ ୩୦୦୦ ମିଟରରେ ରେସୱାକ୍‌ କରୁଥିଲେ । ଗତ ଜାନୁଆରୀ ମାସରୁ ଷ୍ଟିପଲଚେଜ କରୁଛନ୍ତି । ଏହି ଇଭେଣ୍ଟରେ ଦୁଇ ଜଣ ଓଡ଼ିଆ ସାମିଲ ଥିଲେ । ସୁନୀତା ସାନ୍ତା ଦୌଡ଼ ଅଧାରୁ ଓହରି ଯାଇଥିଲେ । ହେଲେ ନିଶା ଦୁଇ ଥର ଟ୍ରାକ୍‌ରେ ପଡ଼ି ଯାଇଥିଲେ ବି ଦୌଡ଼ ଶେଷ କରିଥିଲେ । ‘ବାପା କହିଥିଲେ ଇଭେଣ୍ଟ ଫିନିସ କରିବାକୁ । ଜାଣିଥିଲି ମୋ ଟାଇମିଂ ଭଲ ହେଉନି କିନ୍ତୁ ବାପାଙ୍କ କଥା ମନରେ ରଖି ଶେଷ ପର୍ଯ୍ୟନ୍ତ ଦୌଡ଼ି ଥିଲି । ବାପା ଜଣେ ବଡ଼ ଆଥଲେଟ ହେବାକୁ ସ୍ୱପ୍ନ ରଖିଥିଲେ । କିନ୍ତୁ ତାଙ୍କ ସ୍ୱପ୍ନ ପୂରଣ କରିବା ମୋର ସ୍ୱପ୍ନ । ବହୁ କଷ୍ଟରେ ସେ ଆମକୁ ବଢ଼ାଇଛନ୍ତି, ଆଉ ଏତେ ବାଟ ଆଣିଛନ୍ତି ବୋଲି ନିଶା କହିଥିଲେ ।

ସେ କହିଛନ୍ତି, ‘ପୂର୍ବରୁ ରେସ୍‌ୱାକ କରୁଥିଲି । ୧୬ ବର୍ଷରୁ କମ୍‌ ବର୍ଗରେ ମୋ ନାମରେ ରାଜ୍ୟ ରେକର୍ଡ ରହିଛି । ଗତ ଜାନୁଆରୀ ମାସରୁ ଷ୍ଟିପଲଚେଜ କରୁଛି । ଭଲ ଟାଇମିଂ ଦେବାକୁ ପ୍ରୟାସ କରିଥିଲି କିନ୍ତୁ ତାହା ସମ୍ଭବ ହେଲାନି । ପରବର୍ତ୍ତୀ ଇଭେଣ୍ଟରେ ନିଶ୍ଚିତ ଭଲ କରିବାକୁ ପ୍ରୟାସ କରିବି ।’