ମୁମ୍ବାଇ,୧୮/୧୦:ଶୁକ୍ରବାର ରିଲିଜ୍‌ ହୋଇଛି ଅପ୍‌କମିଙ୍ଗ୍‌ ଫିଲ୍ମ ‘ଜଟାଧାରା’ର ଟ୍ରେଲର୍‌ । ତେଲୁଗୁ ଷ୍ଟାର୍‌ ମହେଶ ବାବୁ ଡିଜିଟାଲି ଟ୍ରେଲର୍‌ ଲଞ୍ଚ୍‌ କରିଛନ୍ତି । ଭେଙ୍କଟ କଲ୍ୟାଣଙ୍କ ନିର୍ଦ୍ଦେଶିତ ଏହି ସୁପରନ୍ୟାଚୁରାଲ ଥ୍ରିଲର୍‌ରେ ମୁଖ୍ୟ ଭୂମିକାରେ ଅଛନ୍ତି ସୋନାକ୍ଷୀ ସିହ୍ନା । ତାଙ୍କ ଅପୋଜିଟ୍‌ରେ ଅଛନ୍ତି ସୁଧୀର ବାବୁ । ଦିବ୍ୟା ଖୋସଲା ଓ ଶିଳ୍ପା ଶିରୋଦକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଟ୍ରେଲର୍‌ ଦର୍ଶକଙ୍କୁ ଏକ ଅନ୍ଧକାରାଚ୍ଛନ୍ନ ଦୁନିଆ ସହ ପରିଚୟ କରାଇଛି । ଫିଲ୍ମର କାହାଣୀ ଭାରତୀୟ ଲୋକକଥା ଓ ଅଲୌକିକ ତତ୍ତ୍ୱ ଉପରେ ପର୍ଯ୍ୟବସିତ ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି । ଏଥିରେ ଦର୍ଶକଙ୍କୁ ଏଭଳି ଏକ କାହାଣୀର ଝଲକ୍‌ ଦେଖିବାକୁ ମିଳିଛି, ଯେଉଁଠି କଳାଯାଦୁ ଏକ ଶକ୍ତିଶାଳୀ ଶକ୍ତି ଏବଂ ପ୍ରାଚୀନ କାହାଣୀ ଭାଗ୍ୟକୁ ନୂଆ ମୋଡ଼ ଦିଏ । ଫିଲ୍ମର କାହାଣୀ ଜଣେ ପିଶାଚିନୀ ଉପରେ ପର୍ଯ୍ୟବସିତ, ଯେଉଁ ଭୂମିକାରେ ଅଭିନୟ କରିଛନ୍ତି ସୋନାକ୍ଷୀ । ଦୀର୍ଘ ଶତାବ୍ଦୀ ଧରି ସେ ଏକ ସୁନା ଭଣ୍ଡାରକୁ ଜଗିଛନ୍ତି । କାହାଣୀ ଆଗକୁ ବଢ଼ିବା ସହିତ ଭଣ୍ଡାର ଅନ୍ୱେଷଣର ଯାତ୍ରା ବିପଦପୂର୍ଣ୍ଣ ହୋଇଛି ଏବଂ ଅଭିଶାପ ଓ ପ୍ରତିଶୋଧ ପରାୟଣ ଆତ୍ମାମାନେ ଫେରିଆସିଛନ୍ତି । ସୋନାକ୍ଷୀ ଅଲୌକିକ ଶକ୍ତି ଧାରଣ କରିଥିବା ଜଣେ ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି । ଏହା ତାଙ୍କର ପ୍ରଥମ ଓ ସମ୍ପୂର୍ଣ୍ଣ ନୂଆ ଲୁକ୍‌ । ଅଲୌକିକ ଶକ୍ତି ଓ ମାନବ ଅଭିଳାଷ ମଧ୍ୟରେ ଥିବା ପରସ୍ପର ସମ୍ପର୍କର କଥାବସ୍ତୁ ଉପରେ ତାଙ୍କ ଚରିତ୍ର କେନ୍ଦ୍ରିତ ହୋଇଛି । ଫିଲ୍ମଟି ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ଆସନ୍ତା ନଭେମ୍ବର ୭ରେ ମୁକ୍ତିଲାଭ କରିବ । ‘ଜଟାଧାରା’ର କାହାଣୀ ଅକାଂକ୍ଷା, ଲୋଭ ଓ ପ୍ରାଚୀନ ରୀତିନୀତିର ସ୍ଥାୟୀ ପ୍ରଭାବକୁ ପରଦାକୁ ଆଣିବ ।