ନୂଆଦିଲ୍ଲୀ,୦୪/୧୧: ଏକ ସାଧାରଣ ହୋଟେଲର ରୁମ୍‌ ଭଡ଼ା ବି ଯାତ୍ରୀଙ୍କ ବଜେଟ୍‌ ଉପରେ ପ୍ରଭାବ ପକାଇପାରେ । ପାକିସ୍ତାନରେ କିନ୍ତୁ ଏକ ହୋଟେଲ ସବୁଠୁ ଶସ୍ତାରେ ରୁମ୍‌ ଭଡ଼ା ଦେଉଛି । ଏଠାରେ ରାତିକ ରହଣୀର ଭଡ଼ା ରାସ୍ତାକଡ଼ରେ ମିଳୁଥିବା ଚା’ଠୁ ମଧ୍ୟ ଶସ୍ତା । ବିଶ୍ୱର ସବୁଠୁ ଶସ୍ତା ଏହି ହୋଟେଲର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାତ୍ରୀ ରାତିକୁ ମାତ୍ର ୨୦ ଟଙ୍କାରେ ଶଯ୍ୟା ସହିତ ଆତିଥ୍ୟ ମଧ୍ୟ ପାଇପାରିବେ ବୋଲି ଭିଡିଓ ଦର୍ଶାଇଛି।

ପାକିସ୍ତାନର ପେଶାୱର ସହରରେ ଅବସ୍ଥିତ ଏହି ହୋଟେଲ ବିଷୟରେ ଜଣେ ଭ୍ରମଣ ବ୍ଲଗର୍‌ ଭିଡିଓ କରିବା ପରେ ତାହା ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର ଶିଖରରେ ଅଛି । ଭିଡିଓରେ ସେ ଦର୍ଶାଇଛନ୍ତି ଯେ ହୋଟେଲରେ ଗୋଟିଏ ରାତି ରହିବା ପାଇଁ ମାତ୍ର ୭୦ ପାକିସ୍ତାନୀ ଟଙ୍କା ଦେବାକୁ ପଡ଼େ । ଭାରତୀୟ ମୁଦ୍ରାରେ ଏହା ମାତ୍ର ୨୦ ଟଙ୍କା । ବ୍ରିଟିଶ ଭ୍ରମଣ ବ୍ଲଗର ଡେଭିଡ୍‌ ସିମ୍ପସନ୍‌ ନିକଟରେ ଏହି ହୋଟେଲରେ ରହଣିର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଅନୁଭବକୁ ସେ ଅବାସ୍ତବ ବୋଲି କହିଛନ୍ତି । ଡେଭିଡ୍‌ କହିଛନ୍ତି, ମୁଁ ପଞ୍ଚତାରକା ହୋଟେଲରେ ରହିଛି । କିନ୍ତୁ ଏଠାରେ ଯେଉଁ ଉଷ୍ମତା ମୁଁ ଅନୁଭବ କଲି, ତାହା ଅତୁଳନୀୟ । ପେଶାୱର୍‌ର ଓଲ୍ଡ କ୍ୱାର୍ଟର୍ସରେ ଅବସ୍ଥିତ ଏହି ହୋଟେଲର ନାଁ ‘କାରାଭାନ୍‌ସେରାଇ’ । ଏଠାରେ କୌଣସି ରୁମ୍‌ ନାହିଁ । ଏସି କିମ୍ବା କୌଣସି ପ୍ରକାର ତାମ୍‌ଝାମ୍‌ ବି ନାହିଁ । ଘରର ଛାତ ଉପରେ ପଡ଼ିଥିବା ପାରମ୍ପରିକ ବୁଣା ଖଟିଆରେ ଅତିଥି ଖୋଲା ଆକାଶ ତଳେ ଶୁଅନ୍ତି । ପ୍ରତି ଖଟିଆର ମୂଲ୍ୟ ରାତିକୁ ୭୦ ପାକିସ୍ତାନୀ ଟଙ୍କା । ଏଠି ଗୋଟିଏ ସଫା ବେଡ୍‌ସିଟ୍‌, ଫ୍ୟାନ୍‌, ସମସ୍ତଙ୍କ ପାଇଁ ଗୋଟିଏ ସ୍ନାନାଗାର ଓ ନିଃଶୁଳ୍କ ଚା’ ମିଳେ । ବିଳାସପୂର୍ଣ୍ଣତାର ଚିହ୍ନ ଏଠି ନାହିଁ । କିନ୍ତୁ ହୋଟେଲ ମାଲିକ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଅତିଥିଙ୍କୁ ସ୍ୱାଗତ କରନ୍ତି ଏବଂ ଏ ସ୍ଥାନର ଶତାବ୍ଦୀ ପୁରୁଣା ଐତିହ୍ୟର କାହାଣୀ ଶୁଣାନ୍ତି ।