ଭୁବନେଶ୍ଵର : ବିଶ୍ୱର ସବୁଠୁ ଶସ୍ତା ହୋଟେଲ। ରାତିକୁ ଭଡ଼ା ମାତ୍ର ୨୦ ଟଙ୍କା। ଯାହା ଚା’ଠୁ ବି ଶସ୍ତା । ବେଡ୍ ସହିତ ମିଳିବ ଉତ୍ତମ ଆତିଥ୍ୟ। ଏଠି ଏସି ରୁମ୍ ନାହିଁ କି ଦାମୀ ସୋଫା ନାହିଁ। ଖୋଲା ଆକାଶ ତଳେ ବୁଣା ଖଟିଆର ମଜା ନେବେ ଯାତ୍ରୀ। ମାତ୍ର ୨୦ ଟଙ୍କାରେ ମିଳିବ ଗୋଟିଏ ବେଡ୍ ସାଙ୍ଗକୁ ଖଣ୍ଡେ ସଫା ବେଡସିଟ୍ ଓ ଫ୍ୟାନ୍। ତା' ସାଙ୍ଗକୁ ଫ୍ରି'ରେ କରିପାରିବେ ବାଥରୁମ୍ ବ୍ୟବହାର। ମୁଡ୍ ଠିକ୍ କରିବାକୁ ମିଳିବ ଗରମା ଗରମ ଚା'। ଯାତ୍ରୀଙ୍କୁ ସ୍ଵାଗତ କରିବେ ଖୋଦ୍ ହୋଟେଲ ମାଲିକ। ତେବେ ଜାଣିଛନ୍ତି କି ? କେଉଁଠି ଅଛି ବିଶ୍ଵର ଏହି ଶସ୍ତା ହୋଟେଲ୍...
କୌଣସି ସ୍ଥାନକୁ ଗଲେ ହୋଟେଲ୍ ବୁକ୍ କଲେ କେତେ ଟଙ୍କା ପଡ଼େ। ଆନୁମାନିକ ୫ ଶହ କି ହଜାରେ ଟଙ୍କା ପଡ଼େ। ହେଲେ ପାକିସ୍ତାନରେ ଏଭଳି ଏକ ହୋଟେଲ୍ ଅଛି ଯାହାର ଭଡ଼ା ଚା' ଠୁ ବି ଶସ୍ତା। ଏଠାରେ ରାତିକ ରହଣି ପାଇଁ ଦେବାକୁ ପଡ଼ିବ ୭୦ ପାକିସ୍ତାନୀ ଟଙ୍କା। ଭାରତୀୟ ମୁଦ୍ରାରେ ଏହା ମାତ୍ର ୨୦ ଟଙ୍କା । ବିଶ୍ୱର ସବୁଠୁ ଶସ୍ତା ହୋଟେଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବ୍ରିଟିଶ ଭ୍ରମଣ ବ୍ଲଗର ଡେଭିଡ୍ ସିମ୍ପସନ୍ ନିକଟରେ ଏହି ହୋଟେଲରେ ରହଣିର ଏକ ଭିଡିଓ ସେୟାର କରିଛନ୍ତି । ଏହି ଅନୁଭବକୁ ସେ ଅବାସ୍ତବ ବୋଲି କହିଛନ୍ତି । ଡେଭିଡ୍ କହିଛନ୍ତି, ମୁଁ ପଞ୍ଚତାରକା ହୋଟେଲରେ ରହିଛି । କିନ୍ତୁ ଏଠାରେ ଯେଉଁ ଉଷ୍ମତା ମୁଁ ଅନୁଭବ କଲି, ତାହା ଅତୁଳନୀୟ।
ପାକିସ୍ତାନର ପେଶାୱର ସହରର ଓଲ୍ଡ କ୍ୱାର୍ଟର୍ସରେ ଅବସ୍ଥିତ ଏହି ହୋଟେଲର ନାଁ ‘କାରାଭାନ୍ସେରାଇ’। ଏଠାରେ କୌଣସି ରୁମ୍ ନାହିଁ । ଏସି କିମ୍ବା କୌଣସି ପ୍ରକାର ତାମ୍ଝାମ୍ ବି ନାହିଁ । ଘରର ଛାତ ଉପରେ ପଡ଼ିଥିବା ପାରମ୍ପରିକ ବୁଣା ଖଟିଆରେ ଅତିଥି ଖୋଲା ଆକାଶ ତଳେ ଶୁଅନ୍ତି । ପ୍ରତି ଖଟିଆର ମୂଲ୍ୟ ରାତିକୁ ୭୦ ପାକିସ୍ତାନୀ ଟଙ୍କା । ଏଠି ଗୋଟିଏ ସଫା ବେଡ୍ସିଟ୍, ଫ୍ୟାନ୍, ସମସ୍ତଙ୍କ ପାଇଁ ଗୋଟିଏ ସ୍ନାନାଗାର ଓ ନିଃଶୁଳ୍କ ଚା’ ମିଳେ । ବିଳାସପୂର୍ଣ୍ଣତାର ଚିହ୍ନ ଏଠି ନାହିଁ । ହୋଟେଲ ମାଲିକ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଅତିଥିଙ୍କୁ ସ୍ୱାଗତ କରନ୍ତି ଏବଂ ଏ ସ୍ଥାନର ଶତାବ୍ଦୀ ପୁରୁଣା ଐତିହ୍ୟର କାହାଣୀ ଶୁଣାନ୍ତି ।