ଭୁବନେଶ୍ୱର, ୩/୯ : ଅବହେଳିତ ଶିଶୁଙ୍କ ପାଇଁ ରହିଛି ଶିଶୁ ଯତ୍ନ ଗୃହ। ଖାଦ୍ୟ, ବସ୍ତ୍ର, ବାସସ୍ଥାନ ସହ ଶିକ୍ଷା ଓ ସୁରକ୍ଷାର ବ୍ୟବସ୍ଥା ରହିଛି। କିନ୍ତୁ ପିଲାଙ୍କ ପାଇଁ ଖେଳିବା ବ୍ୟବସ୍ଥା ନାହିଁ କି ଖେଳନା ମଧ୍ୟ ନାହିଁ । ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା । ଯଦି ବି ଅଛି, କେବଳ ପ୍ରଦର୍ଶନ ନିମନ୍ତେ ରଖାଯାଇଛି। ଶିଶୁଙ୍କ ଖେଳିବା ପାଇଁ ନୁହେଁ । ଶିଶୁ ଯତ୍ନ ଗୃହ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ହଜିଯାଉଛି ପିଲାଙ୍କ ଶୈଶବ। ପିଲାଙ୍କ ଶାରୀରିକ ବିକାଶ ସହ ମାନସିକ ତଥା ବୌଦ୍ଧିକ ବିକାଶ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ତାଙ୍କର ମୌଳିକ ଅଧିକାର। ପିଲାମାନେ ଖେଳନାରେ ଖେଳିବେ, ଖେଳନା ଭାଙ୍ଗିବେ ଏବଂ ସେଥିରୁ ଶିଖିବେ। କିନ୍ତୁ ଶିଶୁ ଯତ୍ନ ଗୃହ ହେଉ କି ଅଙ୍ଗନବାଡ଼ି, ପିଲାଙ୍କ ପାଇଁ ଖେଳନା ଉପଲବ୍ଧ ନାହିଁ। ଯେଉଁଠି ବି ଖେଳନା ରହିଛି, ଅତ୍ୟନ୍ତ ନିମ୍ନମାନର ପ୍ଲାଷ୍ଟିକ୍‌ରେ ତିଆରି ଏବଂ ତାହା ମଧ୍ୟ ଅଳ୍ପ ସଂଖ୍ୟାରେ । କେତେକ ସ୍ଥାନରେ ଖେଳନା ଭାଙ୍ଗିଯିବ ବୋଲି ପିଲାଙ୍କୁ ଦିଆଯାଉନାହିଁ। ଅଧିକାରୀଙ୍କ ଗସ୍ତ ବେଳେ କେବଳ ପ୍ରଦର୍ଶନ କରିବାକୁ ରଖାଯାଇଛି । ଆଉ କିଛି ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାଙ୍କ ହାତ ନ ପହଞ୍ଚିବା ଭଳି ସ୍ଥାନରେ ଖେଳନାକୁ ବର୍ଷ ବର୍ଷ ଧରି ସାଇତି ରଖାଯାଇଛି। 

ନିକଟରେ ଶିଶୁ ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାମାନେ ନୟାଗଡ଼, ବୌଦ୍ଧ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼ ଏବଂ ଯାଜପୁର ଆଦି ୭ ଜିଲ୍ଲାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଶିଶୁ ଯତ୍ନ ଗୃହ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ସ୍ଥିତି ପରଖିବାକୁ ଯାଇଥିଲେ। ସେଠାରେ ମଧ୍ୟ ପିଲାଙ୍କ ଖେଳକୁଦ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଦେଖିଥିଲେ ଯେ, ଅନେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଲୁଡୋ, ଚେସ୍‌, କ୍ୟାରମ୍‌ ଭଳି ଇନ୍‌ଡୋର୍‌ ଗେମ୍‌ ପାଇଁ ବ୍ୟବସ୍ଥା ଥିବା ବେଳେ କୁନି ପିଲାଙ୍କ ଲାଗି ଘୋଡ଼ା, ଦୋଳି, ଫୁଟବଲ୍‌ କିମ୍ବା ଖେଳକୁଦ ଲାଗି ଜାଗା ନାହିଁ । ବାଲେଶ୍ୱର ନରହରିପୁର(୩) ଅଙ୍ଗନୱାଡ଼ି କେନ୍ଦ୍ର ଅତି ରଙ୍ଗୀନ ଓ ସୁନ୍ଦର ହୋଇଥିବା ବେଳେ ଏଠାରେ ପ୍ରାୟ ୨୦ ପିଲା ପଢୁଛନ୍ତି। କିନ୍ତୁ ଏହି ୨୦ ପିଲାଙ୍କ ଖେଳିବା ପାଇଁ ଶସ୍ତା ପ୍ଲାଷ୍ଟିକ୍‌ରେ ତିଆରି ମାତ୍ର ଗୋଟିଏ ଖେଳନା ଘୋଡ଼ା ରହିଛି । ଆୟୋଗ ସଦସ୍ୟାଙ୍କ ପରିଦର୍ଶନ ବେଳେ ଏହାକୁ ପିଲାମାନଙ୍କୁ ଦିଆଯିବାରୁ ପ୍ରଥମ ଥର ଦେଖିଲା ଭଳି ପିଲାମାନେ ଉତ୍ସାହିତ ହୋଇପଡ଼ିଥିଲେ।

ଏହାବାଦ୍‌ ଶିଶୁ ଯତ୍ନ ଗୃହରେ ଥିବା ଯେଉଁ ଶିଶୁମାନଙ୍କର ଅଭିଭାବକ ଅଛନ୍ତି ସେମାନଙ୍କୁ କାଉନସେଲିଂ କରି ପିଲାଙ୍କ ଲାଳନପାଳନ ଦାୟିତ୍ୱ ଦେବାକୁ ମଧ୍ୟ ଚେଷ୍ଟା କରାଯାଉ ନାହିଁ । ମିଶନ୍‌ ବାତ୍ସଲ୍ୟ ଯୋଜନାରେ ଏଥିପାଇଁ ସରକାର ୪ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏ ବାବଦରେ ସଚେତନତାର ଅଭାବ ଦେଖିବାକୁ ମିଳିଛି । ଏଥିଲାଗି ଅଭିଭାବକମାନଙ୍କୁ କାଉନସେଲିଂ କରାଯାଉନାହିଁ । ଏ କ୍ଷେତ୍ରରେ ଡିଏସଡବ୍ଲୁଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ସ୍ତରରେ ଆନ୍ତରିକତାର ଅଭାବ ଦେଖିବାକୁ ମିଳିଛି ।