ନୂଆଦିଲ୍ଲୀ ୧୨/୧୦: ଲମ୍ବା ନାଁ ଅନେକ ସଂସ୍କୃତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ । ଏହା ପରମ୍ପରା ଓ ସାମାଜିକ ସଂରଚନାର ପ୍ରତିବିମ୍ବ । ଦକ୍ଷିଣ ଭାରତରେ ନାଁରେ ଗାଁ, ବାପାଙ୍କ ନାଁକୁ ମଧ୍ୟ ସାମିଲ କରାଯାଏ । ଆରବ ଦେଶରେ ବ୍ୟକ୍ତିଙ୍କ ନାଁରେ ବାପା, ଜେଜେବାପା, ଏପରିକି ପରିବାର କିମ୍ବା ଜାତିର ନାଁ ମଧ୍ୟ ଯୋଡ଼ାଯାଇଥାଏ । ଏହା ଉକ୍ତ ବଂଶ ଓ ଐତିହ୍ୟକୁ ଗୁରୁତ୍ୱ ଦିଏ । ପାଶ୍ଚାତ୍ୟ ଦେଶରେ ମଧ୍ୟ ସମାନ ଧରଣର ପରମ୍ପରା ପାଳନ କରାଯାଏ । ଏହାର ପ୍ରସିଦ୍ଧ ଉଦାହରଣ ହେଉଛନ୍ତି ବିଲି ଏଲିଶ, ଯାହାଙ୍କ ପୂରା ନାଁ- ବିଲି ଏଲିଶ ପାଇରେଟ୍‌ ବେୟର୍ଡ ଓକୋନେଲ ।

ସେହିଭଳି ପାବ୍‌ଲୋ ପିକାସୋ, ଯାହାଙ୍କ ପୂରା ନାଁ- ପାବ୍‌ଲୋ ଡିଏଗୋ ଜୋସ୍‌ ଫ୍ରାନ୍ସିସ୍‌କୋ ଡି ପଲା ଜୁଆନ ନେପୋମୁସେନୋ ମାରିଆ ଡି ଲସ୍‌ ରେମେଡିଓସ୍‌ ସିପ୍ରିଆନୋ ଡି ଲା ସାଣ୍ଟିସିମା ଟ୍ରିନିଦାଦ୍‌ ରୁଇଜ ୱାଇ ପିକାସୋ । ଏମାନଙ୍କ ନାଁ ଖୁବ୍‌ ଲମ୍ବା, କିନ୍ତୁ ଲରେନ୍ସ ୱାଟ୍‌କିନ୍ସଙ୍କ ନାଁ ତୁଳନାରେ ଖୁବ୍‌ ଛୋଟ । ସବୁଠୁ ଲମ୍ବା ନାଁ ପାଇଁ ଲରେନ୍ସ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଲରେନ୍ସ ୧୯୯୦, ମାର୍ଚ୍ଚରେ ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ନିଜ ନାଁ ମଝିରେ ୨ ହଜାରରୁ ଅଧିକ ନାଁ ସାମିଲ କରିବା ପାଇଁ ସେ ଆଇନଗତ ଭାବେ ନିଜର ନାଁ ବଦଳାଇଲେ । ଏହି ପରିବର୍ତ୍ତନ ଜରିଆରେ ମୋଟ୍‌ ୨,୨୫୩ଟି ଅଭିନବ ଶବ୍ଦବିଶିଷ୍ଟ ସବୁଠୁ ବଡ଼ ନାଁ ପାଇଁ ସେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ ।

ଏ ନେଇ ଲରେନ୍ସ କହିଛନ୍ତି, ଅଜବ ଓ ଅସାଧାରଣ ରେକର୍ଡ ପ୍ରତି ମୁଁ ସର୍ବଦା ଆକର୍ଷିତ ଥିଲି । ତେଣୁ ଏହାର ଅଂଶ ହେବାକୁ ଚାହୁଁଥିଲି । ଏଭଳି କୌଣସି ରେକର୍ଡ ଭାଙ୍ଗିବା ପାଇଁ ମୁଁ ଗିନିଜ୍‌ ବିଶ୍ୱ ରେକର୍ଡ ବହିର ପ୍ରତ୍ୟେକ ପୃଷ୍ଠାକୁ ଧ୍ୟାନର ସହ ପଢ଼ିଲି । ଶେଷରେ ଗୋଟିଏ ସୁଯୋଗ ମିଳିଲା, ଯେଉଁଥିରେ ନିଜ ନାଁରେ ଅଧିକ ନାଁ ଯୋଡ଼ି ବର୍ତ୍ତମାନର ବିଶ୍ୱ ରେକର୍ଡଧାରୀଙ୍କୁ ପଛରେ ପକାଇ ପାରିବି ବୋଲି ମୁଁ ଚିନ୍ତା କଲି । ଏହି ପ୍ରକ୍ରିୟା ଖୁବ୍‌ ଲମ୍ବା ଥିଲା, ଯେଉଁଥିରେ କମ୍ପ୍ୟୁଟର ବ୍ୟବହାର ସୀମିତ ଥିଲା । ନିଜର ସବୁଠୁ ଲମ୍ବା ନାଁକୁ ଟାଇପ୍‌ କରିବାକୁ ଲରେନ୍ସ ଅନେକ ଶହ ଡଲାର ମଧ୍ୟ ଖର୍ଚ୍ଚ କଲେ । ଜିଲ୍ଲା କୋର୍ଟ ତାଙ୍କ ଆବେଦନକୁ ସ୍ୱୀକାର କଲେ କିନ୍ତୁ ରେଜିଷ୍ଟ୍ରାର ଜେନେରାଲ ଏହାକୁ ପ୍ରତ୍ୟାଖ୍ୟାନ କଲେ ।

ଲରେନ୍ସ ନ୍ୟୁଜିଲାଣ୍ଡ ହାଇକୋର୍ଟରେ ଆବେଦନ କଲେ । କୋର୍ଟ ତାଙ୍କ ସପକ୍ଷରେ ନିଷ୍ପତ୍ତି ନେଲେ । ଶେଷରେ ୨,୨୫୩ ଶବ୍ଦଯୁକ୍ତ ନାଁ ଜରିଆରେ ସେ ବିଶ୍ୱ ରେକର୍ଡ କଲେ । ଲରେନ୍ସ ସହରରେ ଥିବା ଲାଇବ୍ରେରୀରେ କାମ କରି ବହିରୁ ଏବଂ ସହକର୍ମୀଙ୍କ ପରାମର୍ଶ କ୍ରମେ ନାଁ ଚୟନ କଲେ । ତାଙ୍କର ପ୍ରିୟ ନାଁ ହେଉଛି ଏଜେଡ୍‌୨୦୦୦ । ଏହାର ଅର୍ଥ ଠୁ ଜେଡ୍‌ପର୍ଯ୍ୟନ୍ତ ଏବଂ ୨୦୦୦ ନାଁ ତାଙ୍କର ରହିଛି ।