ପ୍ରତି ସପ୍ତାହ ଭଳି ଏ ସପ୍ତାହରେ ମଧ୍ୟ ଆକ୍ସନ, କମେଡି ଓ ସସ୍ପେନ୍ସ କାହାଣୀ ଆଧାରିତ ଅନେକ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ଷ୍ଟ୍ରିମିଂ ହେବାକୁ ଯାଉଛି ଓଟିଟିରେ । କେଉଁ ଦିନ କେଉଁ ସିନେମା ବା ସିରିଜ୍ କେଉଁ ଓଟିଟି ପ୍ଲାଟଫର୍ମରେ ଆସୁଛି, ତାହାର ପୂରା ତାଲିକା ଆମେ ଏଠାରେ ଉପସ୍ଥାପନା କରୁଛୁ । ପଢ଼ନ୍ତୁ ଓ ମନୋରଞ୍ଜନରେ ଭର୍ତ୍ତି ଫିଲ୍ମ, ସିରିଜ୍ ଉପଭୋଗ କରନ୍ତୁ ।
ଇନ୍ସ୍ପେକ୍ଟର ଜେଣ୍ଡେ
ବାସ୍ତବ ଜୀବନ ଉପରେ ଆଧାରିତ କାହାଣୀ ‘ଇନ୍ସ୍ପେକ୍ଟର ଜେଣ୍ଡେ’ । ମୁମ୍ବାଇ ପୁଲିସ ଅଧିକାରୀ ମଧୁକର ଜେଣ୍ଡେଙ୍କ ଦ୍ୱାରା କୁଖ୍ୟାତ ସିରିୟଲ କିଲର୍ ଚାର୍ଲସ୍ ଶୋଭରାଜ ଗିରଫ ହେବା ଘଟଣାରୁ ପ୍ରେରିତ ଏହି ଫିଲ୍ମର କଥାବସ୍ତୁ । ‘ଇନ୍ସ୍ପେକ୍ଟର ଜେଣ୍ଡେ’ରେ ମନୋଜ ବାଜପେୟୀ, ଜିମ୍ ସର୍ଭ, ସଚିନ୍ ଖେଡ଼େକର, ଭାଲଚନ୍ଦ୍ର କଦମ୍, ହରିଶ ଦୁଚାଡ଼େ, ଓଁକାର ରାୱତ, ଭରତ ସାୱଲେଙ୍କ ସହ ଆହୁରି ଅନେକ ପ୍ରତିଭାବାନ୍ କଳାକାର ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ସେପ୍ଟେମ୍ବର ୫ ତାରିଖରେ ମୁକ୍ତିଲାଭ କରୁଛି ।
ୱେଡନେସ୍ଡେ ସିଜନ୍ ୨ ପାର୍ଟ ୨
‘ୱେଡନେସ୍ଡେ ସିଜନ୍ ୨ ପାର୍ଟ ୨’ର ଦ୍ୱିତୀୟ ଭାଗ ୩ ତାରିଖ ୧୨ଟାରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରୁଛି । ପ୍ରଥମ ଭାଗରେ ୱେଡନେସ୍ଡେ ଆଡାମ୍ସର କାହାଣୀ ଯେଉଁଠି ଶେଷ ହୋଇଥିଲା, ଦ୍ୱିତୀୟ ଭାଗରେ ସେଇଠୁ ପୁଣି ଥରେ କାହାଣୀ ଆରମ୍ଭ ହେଉଥିବା ଦର୍ଶକ ଦେଖିବାକୁ ପାଇବେ । ଦ୍ୱିତୀୟ ଭାଗର କଥାବସ୍ତୁରେ ପୂର୍ବାପେକ୍ଷା ଆହୁରି ଅଧିକ ରହସ୍ୟ, ଅଲୌକିକତା, ପରିବାରର ଗୁପ୍ତ ବିଷୟ ପ୍ରଘଟ ହେଉଥିବା ଦେଖିବାକୁ ମିଳିବ । ଜେନ୍ନା ଓର୍ଟେଗା, ଗ୍ୱେଣ୍ଡୋଲିନ୍ କ୍ରିଷ୍ଟି, ଲେଡି ଗାଗା, ଲୁଇସ୍ ଗୁଜମ୍ୟାନ, ଏମ୍ମା ମାୟର୍ସ, ଜୟ ସଣ୍ଡେ, ଇସାକ ଓର୍ଡୋନେଜ୍, ଷ୍ଟିଭ୍ ବୁସେମି, କ୍ୟାଥେରିନ୍ ଜେଟାଜୋନ୍ସ ପ୍ରମୁଖ ଏହି ସିରିଜ୍ରେ ଅଭିନୟ କରିଛନ୍ତି ।
କମ୍ମଟ୍ଟମ୍
ମଲାୟାଲମ ୱେବ୍ ସିରିଜ୍ ‘କମ୍ମଟ୍ଟମ୍’ରେ ଆଣ୍ଟୋନିୟୋ ଜର୍ଜ ନାମକ ଜଣେ ପୁଲିସ ଇନ୍ସ୍ପେକ୍ଟରଙ୍କ କାହାଣୀ ରହିଛି । ସାମୁଏଲ ଉମ୍ମାନ ନାମକ ଜଣେ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁରେ କିଛି ରହସ୍ୟ ଲୁଚି ରହିଛି ବୋଲି ଆଣ୍ଟୋନିୟୋଙ୍କର ସନ୍ଦେହ ହୁଏ । ସାମୁଏଲଙ୍କ କର୍ମଚାରୀ ଫ୍ରାନ୍ସିସ୍କୁ ପଚରା ଉଚରା କଲାବେଳେ ଆଣ୍ଟୋନିୟୋଙ୍କର ମନେହୁଏ ଯେ, ସମୁଦାୟ ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ସେ ସେହି ଷଡ଼ଯନ୍ତ୍ର ପଛର ନାୟକମାନଙ୍କୁ ଖୋଜିବାରେ ଲାଗିପଡ଼ନ୍ତି । ଏହି ସିରିଜ୍ରେ ସୁଦେବ ନାୟର, ଜିୟୋ ବେବି, ବିଦ୍ୟା ସନ୍ଥ, ଅଖିଲ କବଲୟୁର, ଶ୍ରୀରିଖା, ଅରୁଣ ସୋଲ, ଯୋଡ଼ି ପୂଜାର, ଅଜୟ ବାସୁଦେବ, ଜିନ୍ସ ଭାସ୍କର ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଜୀ୫ ଓଟିଟି ପ୍ଲାଟଫର୍ମରେ ଗୁରୁଦିବସ ଉପଲକ୍ଷେ ରିଲିଜ ହେଉଛି ଏହି ସିରିଜ୍ ।
ମାଲିକ୍
ରାଜକୁମାର ରାଓଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ‘ମାଲିକ୍’ ନିକଟରେ ରିଲିଜ ହୋଇଥିଲା । ଯଦିଓ ଏହା ବକ୍ସ ଅଫିସ୍ରେ କମାଲ୍ ଦେଖାଇ ପାରିଲା ନାହିଁ । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ଗୁରୁଦିବସରେ ଆମାଜନ ପ୍ରାଇମ୍ ଭିଡିଓ ଓଟିଟିରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛାି । ଏଥିରେ ମାନୁଷୀ ଛିଲ୍ଲର, ହୁମା କୁରେସି ଓ ଅନ୍ୟ କଳାକାରମାନେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବେ ।
ଲିଲୋ ଆଣ୍ଡ୍ ଷ୍ଟିଚ୍
‘ଲିଲୋ ଆଣ୍ଡ୍ ଷ୍ଟିଚ୍’ ଆପଣଙ୍କର ପିଲାଦିନର ସ୍ମୃତିକୁ ତାଜା କରିଦେବ । ନିର୍ଦ୍ଦେଶକ ଡିନ୍ ଫ୍ଲେଶର କ୍ୟାମ୍ପ ୨୦୦୨ର ଏହି କ୍ଲାସିକ୍ ଫିଲ୍ମକୁ ଆଧୁନିକ ଦର୍ଶକଙ୍କ ପାଇଁ ଲାଇଭ୍-ଆକ୍ସନ ଫିଲ୍ମ ରୂପରେ ଉପସ୍ଥାପନ କରିଛନ୍ତି । ସେପ୍ଟେମ୍ବର ୩ ତାରିଖରେ ଏହା ଜିୟୋ ହଟଷ୍ଟାରରେ ରିଲିଜ ହେଉଛି ।
ଦ ରନ୍ଆରାଉଣ୍ଡ୍ସ
‘ଦ ରନ୍ଆରାଉଣ୍ଡ୍ସ’ ପାଞ୍ଚ ଜଣ ଉତ୍ତମ ବନ୍ଧୁଙ୍କର କାହାଣୀ, ଯେଉଁମାନେ ନିଜ ନିଜ ଭିତରେ ଉଚ୍ଚ ଅଭିଳାଷ ପୋଷଣ କରନ୍ତି ଓ ମହତ୍ୱାକାଂକ୍ଷା ରଖନ୍ତି । ସମସ୍ତେ ବ୍ୟାଣ୍ଡ ବଜାନ୍ତି । ଏହି ମ୍ୟୁଜିକ୍ ଡ୍ରାମା ସିରିଜ୍ ସେପ୍ଟେମ୍ବର ପହିଲାରେ ଆମାଜନ ପ୍ରାଇମ୍ ଭିଡିଓ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି ।
ରାଇଜ୍ ଆଣ୍ଡ୍ ଫଲ୍
‘ରାଇଜ୍ ଆଣ୍ଡ୍ ଫଲ୍’ ଏକ ରିୟଲିଟି ସୋ’, ଯାହାକୁ ଅଶନୀର ଗ୍ରୋବର ହୋଷ୍ଟ କରୁଥିବା ଦେଖିବାକୁ ମିଳିବେ । ୧୬ ଜଣ ସେଲିବ୍ରିଟି ଏଥିରେ ଅଂଶଗ୍ରହଣ କରୁଥିବା ନଜର ଆସିବେ । ‘ରୁଲର୍ସ ଭର୍ସେଜ୍ ୱାର୍କର୍ସ’ ଥିମ୍ ଉପରେ ଆଧାରିତ ଏହି ସୋ’ରେ ତାରକାମାନେ ଅନେକ ଟାସ୍କ କରିବେ । ସୋ’ରେ ଅର୍ଜୁନ ବିଜଲାନି, କିକୁ ଶାରଦା, ଧନଶ୍ରୀ ବର୍ମା ଓ ଆହୁରି ଅନେକ କଳାକାର ଦେଖିବାକୁ ମିଳିବେ । ସେପ୍ଟେମ୍ବର ୬ ତାରିଖରେ ଏହି ସୋ’ ଆମାଜନ ଏମ୍ଏକ୍ସ ପ୍ଲେୟର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।
ଲଭ୍ କନ୍ ରିଭେଞ୍ଜ
‘ଲଭ୍ କନ୍ ରିଭେଞ୍ଜ’ ଗୁରୁଦିବସରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ଏହା ଏକ ଡକ୍ୟୁସିରିଜ୍, ଯେଉଁଥିରେ ସେସିଲି ଫେହ୍ଲୋୟ ଓ ବ୍ରିୟାନେ ଯୋସେଫ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ।