ମାଲକାନଗିରି, ୨୩/୯(ଆପ୍ର ) : ମାଲକାନଗିରିରେ ଖାକିରେ ଲାଗିଛି କଳଙ୍କର ଦାଗ । ଅପହରଣ ଓ ଲୁଟ ମାମଲାରେ ଜଣେ ମହିଳା କନେଷ୍ଟବଳ ସହ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଆଦର୍ଶ ଥାନାସ୍ଥ ଏମଭି୧୬ ଗ୍ରାମର କନେଷ୍ଟବଳ ବାସନ୍ତୀ ବିଶ୍ୱାସ (୪୨) , ଓରକେଲ ଥାନା ବାଲିମେଳା ଦୈନିକ ବଜାର ସାହିର ସୁଲତାନ ସିଂ(୩୪) ଓ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଜୟରାମପୁର ଗ୍ରାମର ରାଜୁ ଶେଖ (୨୯)। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।
କର୍ଣାଟକ ରାଜ୍ୟ ଶ୍ରୀରାମପୁର ଥାନା କାଡପା ରାମଚନ୍ଦ୍ରପୁର ଗ୍ରାମର ରଘୁ ନରସିଂହଙ୍କ ସହ ମାଲକାନଗିରିର ଶିବାଙ୍କ ପୂର୍ବରୁ ପରିଚିତ ଥିଲା। ଶିବା ମାଧ୍ୟମରେ ରଘୁକୁ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ବାଲିମେଳା ଗ୍ରାମର ସୁଲତାନ ସିଂ ଓ ପଶ୍ଚିମବଙ୍ଗ ଜୟରାମପୁର ଗ୍ରାମର ରାଜୁ ସେଖ୍ ମାଲକାନଗରି ଡକାଇଥିଲେ। ମାଲକାନଗିରି ଜିଲ୍ଲାରେ ବ୍ୟବସାୟ ଆରମ୍ଭ କରିବା ଓ ସେଥିରେ ଅଧିକ ଲାଭବାନ ହୋଇପାରିବ ବୋଲି ବିଶ୍ୱାସ ଜନ୍ମାଇଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ନରସିଂହ ମାଲକାନଗିରି ଆସିଥିଲେ। ପରେ ଶିବା ଉକ୍ତ ବ୍ୟକ୍ତିଙ୍କୁ ସୁଲତାନ ସିଂ ଓ ରାଜୁ ସେଖଙ୍କ ସହ ପରିଚୟ କରାଇଥିଲେ। ନରସିଂହଙ୍କୁ ମାଲକାନଗିରିର ଗୋଟିଏ ହୋଟେଲରେ ରଖି ବ୍ୟବସାୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ନରସିଂହଙ୍କୁ ଏମ୍.ଭି. ୧୭ ନିକଟ ଜଙ୍ଗଲକୁ ନେଇ ସେଠାରେ ଅଭିଯୁକ୍ତ ଦୁଇଜଣ ତାଙ୍କର ଅନ୍ୟ ଦୁଇଜଣ ସାଥୀଙ୍କୁ ଡକାଇଥିଲୋ ପରେ ଉକ୍ତ ଦୁଇଜଣ ସାଥୀ ନରସିଂହଙ୍କୁ ମାଡ଼ ମାରି ତାଙ୍କ ଠାରୁ ମୋବାଇଲର ପାସୱାର୍ଡ ମାଗି ତାଙ୍କ ଏକାଉଣ୍ଟରୁ ୮୨ ହଜାର ଟଙ୍କା ନେଇଥିଲେ। ଏଥିସହ ହୋଟେଲରେ ଥିବା ସମୟରେ ଏହି ଦୁଇ ଅଭି ଯୁକ୍ତ ନରସିଂହ ଠାରୁ ୩ ଲକ୍ଷ ଟଙ୍କା ନଗଦ ମଧ୍ୟ ନେଇ ଯାଇଥିଲେ। ତାଙ୍କୁ ଉକ୍ତ ହୋଟେଲରୁ ଅନ୍ୟ ଏକ ହୋଟେଲକୁ ସ୍ଥାନାନ୍ତର କରିଥିଲୋ ସେଠାରେ ନରସିଂହ ଯେପରି କୁଆଡେ ନ ଯିବେ ସେଥିପ୍ରତି ରାଜୁ ସେଖ୍ ଦୃଷ୍ଟି ଦେଇଥିଲେ। ପରେ ବାସନ୍ତୀ ବିଶ୍ୱାସ ସେଠାରେ ପହଞ୍ଚି ଜଣେ ପୋଲିସ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସୁଲତାନ ସିଂ, ରାଜୁ ସେଖ ଓ ବାସନ୍ତି ବିଶ୍ୱାସ ମିଶି ନରସିଂହଙ୍କୁ ଏମ୍.ଭି. ୧୪ ଗ୍ରାମକୁ ନେଇ ସେଠାରେ ତାଙ୍କୁ ଆଉ ୩ ଲକ୍ଷ ଟଙ୍କା ଯୋଗାଡ କଲେ ମୁକ୍ତି କରିବେ ବୋଲି କହି ଧମକାଇ ଥିଲେ। ଏକ କାର୍ ରାସ୍ତା ଉପରେ ଥିବା ବେଳେ କିଛି ଗ୍ରାମବାସୀ ତାହା ଦେଖି ଏ ସମ୍ବନ୍ଧରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ରଘୁ ନରସିଂହଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ପ୍ରକୃତ ଘଟଣା ପଦାକୁ ପଡିଥିଲ।। ଏ ସମ୍ବନ୍ଧରେ ତଦନ୍ତ କରି ସୁଲତାନ ସିଂ, ରାଜୁ ସେଖ ଓ ମହିଳା କନେଷ୍ଟ ବଳ ବାସନ୍ତି ବିଶ୍ୱାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିା
ପ୍ରକାଶ ଥାଉ କି ଗତ କିଛି ବର୍ଷ ତଳେ ଏହି ମହିଳା କନେଷ୍ଟବଳଙ୍କ ନାମରେ ମାଲକାନଗିରି ଥାନା, ବାଲିମେଳା ଥାନାରେ ମାମଲା ରୁଜୁ ହୋଇଛି। ଏଟିଏମ୍ ରୁ ଟଙ୍କା ଲୁଟ୍, ଗଂଜେଇ ବ୍ୟବସାୟୀରେ ସମ୍ପୃକ୍ତି ନେଇ ଗିରଫ ହୋଇଥିଲେ।