ମାଲକାନଗିରି,୬/୧୧ : ମାଲକାନଗିରି ଜିଲ୍ଲାରେ ତମାଖୁ ମୁକ୍ତ ଯୁବ ଅଭିଯାନ ଆରମ୍ଭ ହୋଇଛି । ଆଜି ଜିଲ୍ଲା ସଦର ମହାକୁମାର ବିଭିନ୍ନ ଦୋକାନରେ ଚଢଉ କରାଯାଇ ବେଆଇନ ତମାଖୁ, ବିଡ଼ି, ସିଗାରେଟ, ଗୁଟଖା ବିକ୍ରି କରୁଥିବା ବ୍ୟବସାୟୀଙ୍କଠାରୁ ୧୩,୮୦୦ଟଙ୍କା ଜରିମାନା ଆଦାୟ କରାଯାଇଛି । ମାଲକାନଗିରିରେ ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦କୁ ସଫଳ କରିବା ପାଇଁ ଜିଲ୍ଲା ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଅବକାରୀ ବିଭାଗ ଓ ପୁଲିସର ଏକ ମିଳିତ ଦଳ ଜିଲ୍ଲା ସଦରରେ ଥିବା ବିଭିନ୍ନ ଦୋକାନରେ ଚଢଉ କରିଥିଲେ।

ଏହି ଚଢଉବେଳେ ଜିଲ୍ଲା ସଦରରେ ଥିବା ବିଭିନ୍ନ ଦୋକାନରୁ ବିପୁଳ ପରିମାଣର ନିଶା ଯୁକ୍ତ ଦ୍ରବ୍ୟ ଯଥା ପାନ ମସଲା, ତମାଖୁ, ଗୁଟଖା, ସିଗାରେଟ ଆଦି ଭଳି ସାମଗ୍ରୀ ଜବତ କରିଥିଲେ । ଏହାସହ ଏହି ଦୋକାନୀମାନଙ୍କ ବିରୋଧରେ ଜରିମାନା ଲଗାଇ ମୋଟ୧୩୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଯୁବପିଢୀଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଏବଂ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ସ୍କୁଲ କଲେଜ ନିକଟରେ ଏହି ଚଢଉ କରାଯାଇଛି । ଗତ ଅକ୍ଟୋବର ୧୮ତାରିଖରୁ ଆସନ୍ତା ଡିସେମ୍ବର ୧୦ତାରିଖ ଯାଏଁ ଏହି ଅଭିଯାନ ଜାରି ରହିବ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ପ୍ରକାଶ କରିଛନ୍ତି। ଏହି ଚଢଉବେଳେ ଡ୍ରଗ୍ସ ଇନ୍ସପେକ୍ଟର ପ୍ରବୀଣ କୁମାର ଜେନା, ଏନଟିସିପି ପରାମର୍ଶଦାତା ଶିବ ସୁନ୍ଦର ପାଣିଗ୍ରାହୀ, ଅବକାରୀ ଓଆଇସି ରମେଶ ସାହୁକାର ଏବଂ ପୁଲିସ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।