ଢେଙ୍କାନାଳ,୪/୧୦ : ଟ୍ରାକ୍ଟର ସହ ଲଢେଇ କରି ଭାଙ୍ଗିଲା ଦନ୍ତା ହାତୀର ଦାନ୍ତ । ୨୦ଦିନ ପରେ ଭଙ୍ଗା ଦାନ୍ତ ଉଦ୍ଧାର କଲା ବନ ବିଭାଗ । ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ଅଞ୍ଚଳରୁ ଏକ ୩କେଜିରୁ ୪କେଜି ଓଜନର ହାତୀ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି । ଦାନ୍ତ ପାଇ ରଖିଥିବା ଗୁଳୁଗୁଣ୍ଡି ଗାଁର ଜଣେ ବ୍ୟକ୍ତିଙ୍କଠାରୁ ବନ ବିଭାଗ ଉଦ୍ଧାର କରିଛି ।
ସୂଚନାଯୋଗ୍ୟ ଯେ, ଗତ ମାସ ୧୦ତାରିଖ ଭୋର ସମୟରେ ଏକ ଦନ୍ତା ହାତୀ ଗୁଳୁଗୁଣ୍ଡି ଗ୍ରାମରେ ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ପ୍ରକାଶ ଦୌଡ଼ି ଯାଇ ଏକ ଟ୍ରାକ୍ଟର ତଳକୁ ପଳାଇ ଯାଇଥିଲେ । ହାତୀଟି ରାଗରେ ଟ୍ରାକ୍ଟରକୁ ଭଙ୍ଗାରୁଜା କରିଥିଲା । ଏହି ସମୟରେ ଦନ୍ତା ହାତୀର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା। ମାତ୍ର ଏହାକୁ ହିନ୍ଦୋଳ ବନକର୍ମଚାରିମାନେ ଗୁରୁତ୍ୱ ଦେଇନଥିଲେ। କିଛି ଦିନ ପରେ ସେ ଦାନ୍ତଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଜଙ୍ଗଲରେ ଗଳି ପଡିଥିଲା । ତାହାକୁ ଉକ୍ତ ଗାଁର ଜଣେ ପାଇ ରଖିଥିଲେ । ଆଜି ବିଶେଷ ସୂତ୍ରରୁ ଖବରପାଇ ଦାନ୍ତକୁ ଉଦ୍ଧାର କରାଯାଇଛି । ଓଜନ ପରେ କେତେ ଓଜନର ତାହା ସ୍ପଷ୍ଟ ହେବ । ଜିଲ୍ଲା ଟ୍ରେଜେରୀରେ ରଖାଯିବ ବୋଲି ଡିଏଫଓ ସୁମିତ କର କହିଛନ୍ତି ।