ନୂଆଦିଲ୍ଲୀ ୧୯/୦୯: କେନ୍ଦ୍ରୀୟ ଇଟାଲିର ଆବ୍ରୁଜୋ ଅଞ୍ଚଳର ବଣଜଙ୍ଗଲ ଘେରା ପର୍ବତମାଳାରେ ଅବସ୍ଥିତ ମଧ୍ୟଯୁଗୀୟ ଗାଁ ସ୍କାନୋ । ଏଠାରେ ଜଣେ ବୃଦ୍ଧା ଏଭଳି ପୋଷାକ ପିନ୍ଧୁଛନ୍ତି, ସତେ ଯେମିତି ସମୟ ସେଇଠି ଅଟକି ଯାଇଛି । ୯୪ ବର୍ଷୀୟା ମାର୍ଗାରିଟା ସିଆରଲେଟା ଜଣେ ବୁଦ୍ଧିମାନ, ଅତ୍ୟନ୍ତ ସ୍ୱାଧୀନମନା ଏବଂ ନିଜ ଗୋପନୀୟତା ପ୍ରତି ଖୁବ୍ ସଚେତନ ମହିଳା । ସେ ପ୍ରତିଦିନ ନିଜ ଗାଁ ସ୍କାନୋର ଶତାବ୍ଦୀ ପୁରୁଣା ପାରମ୍ପରିକ ପୋଷାକ ପିନ୍ଧନ୍ତି । ଏହି ମାର୍ଗ ଦେଇ ଯାଉଥିବା ପର୍ଯ୍ୟଟକମାନେ କେବଳ ପର୍ବତମାଳା କିମ୍ବା ସୁସଜ୍ଜିତ ଚର୍ଚ୍ଚର ଦୃଶ୍ୟକୁ ଉପଭୋଗ କରିବାକୁ ଏଠାରେ ରହନ୍ତି ନାହିଁ । ସେମାନେ ମାର୍ଗାରିଟାଙ୍କୁ ଖୋଜି ଖୋଜି ଏଠାରେ ପହଞ୍ଚନ୍ତି ।
ସ୍ଥାନୀୟ ଲୋକେ ତାଙ୍କୁ ‘ଏଲ୍’ଅଲ୍ଟିମା ରେଗିନା’ ନାମରେ ସମ୍ବୋଧନ କରନ୍ତି, ଯାହାର ଅର୍ଥ ‘ଶେଷ ରାଣୀ’ । ମାର୍ଗାରିଟାଙ୍କୁ ନ ପାଇବା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଗାଁରେ ବୁଲି ଲୋକଙ୍କ କବାଟ ଠକ୍ ଠକ୍ କରନ୍ତି । ମାର୍ଗାରିଟାଙ୍କ ସହ ସାକ୍ଷାତ ହେବା ପରେ ସେମାନେ ତାଙ୍କ ସହ ସେଲ୍ଫି ନିଅନ୍ତି । ମାର୍ଗାରିଟା କିନ୍ତୁ ଲାଇମ୍ଲାଇଟ୍ଠୁ ଦୂରରେ ରହନ୍ତି । ତାଙ୍କ କହିବା ଅନୁସାରେ, ସେ ସୁପର୍ଷ୍ଟାର ନୁହନ୍ତି । ଜଣେ ସାଧାରଣ ଜେଜେମା’ ଯିଏ ନିଜର ଗ୍ରାମୀଣ ମୂଳକୁ ନେଇ ଗର୍ବିତ । ସିଆରଲେଟା ୧୮ ବର୍ଷ ବୟସରୁ ଲମ୍ବା କଳା ହାତଯୁକ୍ତ ଗାଢ୍ ଉଲ୍ ଗାଉନ୍ ଓ ସୂତା ହେଡ୍ବ୍ୟାଣ୍ଡ୍ ପିନ୍ଧୁଛନ୍ତି । ସେ କହନ୍ତି ‘ମୁଁ ସର୍ବଦା ଏହି ପୋଷାକକୁ ପସନ୍ଦ କରେ । ଏହାକୁ ପିନ୍ଧି ମୁଁ ଗର୍ବିତ ।’
ଅନେକ ଶତାବ୍ଦୀ ଧରି ସ୍କାନୋର ମହିଳାମାନେ ପିନ୍ଧୁଥିବା ଦୁଇ ପ୍ରକାର ପୋଷାକ ମଧ୍ୟରୁ ଏହା ଅନ୍ୟତମ । ଗୋଟିଏ ହେଉଛି ସୋମ୍ବର, ଯାହାକୁ ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ମହିଳାମାନେ ପିନ୍ଧନ୍ତି । ଅନ୍ୟଟି ହେଉଛି ବିସ୍ତୃତ, ଏମ୍ବ୍ରୋଡୋରୀଯୁକ୍ତ ସୁସଜ୍ଜିତ ପୋଷାକ ଓ ହ୍ୟାଟ୍ । ସାମାଜିକ ସ୍ଥିତିକୁ ଏହା ଦର୍ଶାଏ । ରବିବାର ଚର୍ଚ୍ଚକୁ ଯିବାବେଳେ ଏବଂ ପର୍ବପର୍ବାଣି ଓ ଧାର୍ମିକ ଅନୁଷ୍ଠାନମାନଙ୍କରେ ଏହାକୁ ପିନ୍ଧାଯାଏ । ଖୁବ୍ କମ୍ ସ୍ଥାନୀୟ ମହିଳା ଆଜି ବି ପରେଡ୍ ଓ ପ୍ରତିଯୋଗିତାରେ ଏହି ସୁସଜ୍ଜିତ ପୋଷାକ ପିନ୍ଧୁଛନ୍ତି । କେବଳ ସିଆରଲେଟା ପ୍ରତିଦିନ ନିଜ ପୂର୍ବଜଙ୍କର ଏହି ଦୈନନ୍ଦିନ ପୋଷାକ ପିନ୍ଧନ୍ତି । ଏପରିକି ରବିବାର ମଧ୍ୟ ସେ ପାରମ୍ପରିକ ପୋଷାକ ପିନ୍ଧନ୍ତି । ତାଙ୍କର ଦୁଇ ଭଉଣୀ ମଧ୍ୟ ପାରମ୍ପରିକ ପୋଷାକ ପିନ୍ଧୁଥିଲେ । ନିକଟରେ ଉଭୟଙ୍କର ଦେହାନ୍ତ ହେବା ପରେ ପାରମ୍ପରିକ ପୋଷାକରେ ଜୀବନ ବିତାଉଥିବା ସ୍କାନୋ ଗାଁର ଶେଷ ମହିଳା ହୋଇଛନ୍ତି ସିଆରଲେଟା । ତାଙ୍କର ଅଭିନବ ଲୁକ୍ ଏବେ ସୋସିଆଲ ମିଡିଆର ଧ୍ୟାନ ଆକର୍ଷଣ କରିଛି ।