କୋଣାର୍କ,୬/୧୧ : ଚନ୍ଦ୍ରଭାଗା ଉପକୂଳ ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର ମାଛ ଧରୁଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ସରକାରୀ ନିର୍ଦ୍ଦେଶ ନାମା ଅନ୍ୟପକ୍ଷେ ନିଷିଦ୍ଧାଞ୍ଚଳରେ କଟକଣା ଲାଗୁ ହୋଇଥିବାବେଳେ ଚନ୍ଦ୍ରଭାଗା ସମୁଦ୍ର ଗର୍ଭରେ କୂଳଠାରୁ ମାତ୍ର ୧କିମି ଭିତରେ ମାଲମାଳ ଟ୍ରଲର ମାଛ ମାରୁଛନ୍ତି । ଫଳରେ ଏହି ଟ୍ରଲର ସଂସ୍ପର୍ଶରେ ଆସି ଅଲିଭରିଡଲେ କଇଁଛ ମୃତ୍ୟୁ ମୁଖରେ ପଡ଼ିବା ଆରମ୍ଭ ହୋଇଗଲାଣି। ବିରଳ ଅଲିଭରିଡଲେ କଇଁଛଙ୍କ ପାଇଁ ଭୂସ୍ବର୍ଗ ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ସମୁଦ୍ର ଉପକୂଳରେ ଅଣ୍ଡା ଦାନ ପକ୍ରିୟା ଆରମ୍ଭ କରିଥାନ୍ତି ।

ଏହି ଅଲିଭରିଡ଼ଲେ କଇଁଛଙ୍କ ପ୍ରଜନନ ସମୟ ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ମଣୁଥିବାବେଳେ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗାରୁ କୁଶଭଦ୍ରାକୂଳ ସେମାନଙ୍କୁ ଆକର୍ଷଣ କରିଥାଏ। ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପକ୍ରିୟା ପାଇଁ କୋଟିକୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି । ଏହି ପ୍ରଜାତିର କଇଁଛଙ୍କ ସମୁଦ୍ର ଗର୍ଭରେ ଏବଂ ବେଳାମାର୍ଗରେ କୌଣସି ଅସୁବିଧା ନ ହୁଏ ସେ ନେଇ ବନ ବିଭାଗ, ମତ୍ସ୍ୟ ବିଭାଗ ସହ ମେରାଇନ ପୁଲିସକୁ ମଧ୍ୟ ସଜାଗ ରଖାଯାଇଥାଏ। ନଭେମ୍ବର ୧ ତାରିଖରୁ ୬ମାସ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ଟ୍ରଲର ଓ ମେସିନ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଇବା ସହ ଜୀବିକା ହରାଉଥିବା ମତ୍ସ୍ୟଜୀବୀଙ୍କୁ ମାସିକ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି।

ଯଦି କୌଣସି ଟ୍ରଲର ଓ ମେସିନ ଡଙ୍ଗାର ମାଲିକ ସରକାରୀ ନିୟମ ଉଲଂଘନ କରି ଏହି ମାସ ମଧ୍ୟରେ ସମୁଦ୍ର ଗର୍ଭରେ ସମୁଦ୍ରକୂଳରୁ ସମୁଦ୍ର ମଧ୍ୟକୁ ୫କିଲୋମିଟର ପରିଧି ମଧ୍ୟରେ ଟ୍ରଲର ଚଳାଚଳ କରନ୍ତି ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କଡ଼ା ନିୟମ ରହିଛି । ସରକାରଙ୍କ ପକ୍ଷରୁ ଏପରି ବିରଳ କଇଁଚ ବଂଶ ସୁରକ୍ଷା ଦିଗରେ ବିଭାଗୀୟ ଅଧିକାରୀମାନେ ମନମୁଖୀ କାର୍ଯ୍ୟ କରନ୍ତି ତାହାହେଲେ ଖୁବ୍ ଅଳ୍ପଦିନ ପରେ ଏହି ଅଲିଭରିଡ଼ଲେ କଇଁଚଙ୍କୁ ଆଉ ଚନ୍ଦ୍ରଭାଗା ଉପକୂଳରେ ଦେଖିବାକୁ ମିଳିବନି ।