ନୂଆଦିଲ୍ଲୀ,୨୮/୦୯: ଫାର୍ମା ପରେ ଏବେ  ବିଦେଶୀ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ଗୁଡ଼ିକରେ ଟାରିଫ୍‌ ଲଗାଇବାକୁ ବିଚାର କରୁଛି ଟ୍ରମ୍ପ ପ୍ରଶାସନ ।  ଡିଭାଇସ୍‌ରେ ଲାଗିଥିବା ଚିପ୍‌ ସଂଖ୍ୟା ଆଧାରରେ ଏହି ଟାରିଫ୍‌ ଲାଗିପାରେ ବୋଲି ପ୍ରକ୍ରିୟା ସହ ଜଡ଼ିତ ୩ଟି  ସୂତ୍ରରୁ ଜଣାପଡ଼ିଛି ।  

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହାନ୍ତି, କମ୍ପାନିଗୁଡ଼ିକ ନିଜ ନିଜର ଉତ୍ପାଦନ ୟୁନିଟ୍‌ଗୁଡ଼ିକୁ ଆମେରିକାକୁ ସ୍ଥାନାନ୍ତର କରନ୍ତୁ । ସୂତ୍ର ଅନୁସାରେ, ପ୍ରଡକ୍ଟରେ ବ୍ୟବହୃତ ଚିପ୍‌ କଣ୍ଟେଣ୍ଟ୍‌ର ମୋଟ ମୂଲ୍ୟର ୧% ସମତୁଲ୍ୟ ଟାରିଫ୍‌ ଲଗାଯାଇପାରେ । ହ୍ୱାଇଟ୍‌ ହାଉସ୍‌ ମୁଖପାତ୍ର କୁଶ  ଦେଶାଇ କହିଛନ୍ତି ଯେ, ସେମିକଣ୍ଡକ୍ଟର ପ୍ରଡକ୍ଟଗୁଡ଼ିକ  ପାଇଁ ଆମେରିକା ବିଦେଶୀ ଆମଦାନି ଉପରେ ନିର୍ଭର  ରହିପାରିବ ନାହିଁ । ଏହା ଆମର ଜାତୀୟ ଏବଂ  ଅର୍ଥନୈତିକ ସୁରକ୍ଷା ପାଇଁ ଜରୁରୀ ।

ବିଶେଷଜ୍ଞଙ୍କ ମତରେ, ଯଦି ଟ୍ରମ୍ପ ପ୍ରଶାସନ ଏ  ପ୍ରସ୍ତାବକୁ କାର୍ଯ୍ୟକାରୀ କରେ ତେବେ ବ୍ୟାପକ ପ୍ରକାର ଖାଉଟି ଉତ୍ପାଦ ଯେପରି ଚିପ୍‌ଭିତ୍ତିକ ଟୁଥ୍‌ବ୍ରସ୍‌ଠାରୁ  ଆରମ୍ଭ କରି ଲାପ୍‌ଟପ୍‌ ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପଡ଼ିବ । ଏସବୁ ମହଙ୍ଗା ହୋଇଯିବା ଫଳରେ ଆମେରିକାରେ ମୁଦ୍ରାସ୍ଫୀତି କ୍ଷୀପ୍ର ବେଗରେ ବଢ଼ିଚାଲିବ । ଆମେରିକାନ୍‌ ଏଣ୍ଟର୍‌ପ୍ରାଇଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର  ଅର୍ଥନୀତିଜ୍ଞ ମାଇକେଲ ଷ୍ଟ୍ରେନ୍‌ କୁହନ୍ତି, ସମ୍ପ୍ରତି  ଆମେରିକାରେ ମୁଦ୍ରାସ୍ଫୀତି ଏକ ବଡ଼ ଚିନ୍ତା ଭାବେ ଉଭା  ହୋଇଛି । ଏହା ଫେଡେରାଲ ରିଜର୍ଭର ଲକ୍ଷ୍ୟ ଉପରେ  ଅଛି ଏବଂ ଦିନକୁ ଦିନ ବଢ଼ିଚାଲିଛି । ଏଭଳି ସ୍ଥିତିରେ  ଚିପ୍‌ ସଂଖ୍ୟା ଆଧାରରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ  ଉପରେ ଟାରିଫ୍‌ ଲଗାଇବା ଦ୍ୱାରା ଉପଭୋକ୍ତା ସାମଗ୍ରୀ  ଦର ବଢ଼ିଚାଲିବ ।

ପ୍ରକାଶଯୋଗ୍ୟ, ଫେଡେରାଲ  ରିଜର୍ଭର ମୁଦ୍ରାସ୍ଫୀତି ଟାର୍ଗେଟ୍‌ ରହିଛି ୨% ।  ଟ୍ରମ୍ପ ପ୍ରଶାସନ ଯଦି ବିଦେଶୀ ଇଲେକ୍ଟ୍ରୋନିକ୍ସ  ଉପରେ ଟାରିଫ୍‌ ଲଗାଏ ତେବେ ଘରୋଇ ବଜାରରେ  ଉତ୍ପାଦିତ ସାମଗ୍ରୀ ବି ମହଙ୍ଗା ହେବ ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ  ଶୁକ୍ରବାର ବ୍ରାଣ୍ଡେଡ୍‌ ତଥା ପେଟେଣ୍ଟଯୁକ୍ତ ଔଷଧରେ  ସିଧା ୧୦୦% ଶୁଳ୍କ ଲଗାଇଛନ୍ତି, ଯାହାକି ଆସନ୍ତା ମାସ  ୧ ତାରିଖରୁ ଲାଗୁ ହେବ । ଯଦିଓ ଭାରତୀୟ ଫାର୍ମା  କମ୍ପାନିଗୁଡ଼ିକ ଉପରେ ଏହାର ବିଶେଷ ପ୍ରଭାବ  ପଡ଼ିବ ନାହିଁ ତଥାପି ଚିନ୍ତାରେ ଘରୋଇ ଔଷଧ  ନିର୍ମାତା । ଭାରତ ଆମେରିକାକୁ ଅଧିକ ଜେନେରିକ୍‌  ଔଷଧ ରପ୍ତାନି କରିଥାଏ । ଏଭଳି କ୍ଷେତ୍ରରେ  କମ୍ପାନିଗୁଡ଼ିକର ଭୟ ରହିଛି ଯେ, ଟ୍ରମ୍ପଙ୍କ ପରବର୍ତ୍ତୀ  ଟାର୍ଗେଟ ହୋଇପାରେ ଜେନେରିକ୍‌ ଔଷଧ ।