ନୂଆଦିଲ୍ଲୀ,୨୬/୦୯: ପ୍ରଥମେ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଲେ । ଏହାକୁ ବଢାଇ ଡବଲ୍ କଲେ ଅର୍ଥାତ ମୋଟ୍ ୫୦% ଶୁଳ୍କ ବୋଝ ଲଦିଲେ । ପୁଣି ଆଉ ଏକ ଝଟକା ଦେଇ ଏଚ୧-ବି ଭିସା ମୂଲ୍ୟ ୬ ଲକ୍ଷରୁ ୮୮ ଲକ୍ଷ କଲେ । ତଥାପି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ ବୁଝିଲା ନାହିଁ । ଏବେ ଆଉ ଏକ ଟାରିଫ୍ ବୋମା ଫୁଟାଇଛନ୍ତି । ଔଷଧ ଉପରେ ୧୦୦% ଟାରିଫ୍ ଲଗାଇବାକୁ ବଡ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଖାଲି ଫାର୍ମା ଉତ୍ପାଦ ନୁହେଁ  କିଛି ରୋଷେଇ ସାମଗ୍ରୀ ଉପରେ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ସୂଚନା ଦେଇଛନ୍ତି । ଅକ୍ଟୋବର ପହିଲାରୁ ଟାରିଫ୍ ଲାଗୁ ହେବ ।

ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ତାଙ୍କର ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, "୨୦୨୫ ଅକ୍ଟୋବର ୧ ତାରିଖରୁ, ଆମେ ଯେକୌଣସି ବ୍ରାଣ୍ଡେଡ୍ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଲାଗୁ କରିବୁ । ଯେ ପର୍ଯ୍ୟନ୍ତ କୌଣସି କମ୍ପାନୀ ଆମେରିକାରେ ତାର ଔଷଧ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରୁନାହିଁ । ଯଦି ନିର୍ମାଣ ପୂର୍ବରୁ ଆରମ୍ଭ ହୋଇସାରିଛି, ତେବେ ଏହି ଔଷଧ ଉତ୍ପାଦ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ । " ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତୀୟ ଔଷଧ ନିର୍ମାତାଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇବ । ଆମେରିକା ଭାରତୀୟ ଔଷଧ ନିର୍ମାଣ ପାଇଁ ଏକ ପ୍ରମୁଖ ବଜାର ।

କିଛି ରୋଷେଇ ସାମଗ୍ରୀ ଉପରେ ୫୦% ଶୁଳ୍କ-  ଅନ୍ୟ ଏକ ପୋଷ୍ଟରେ, ଟ୍ରମ୍ପ କହିଛନ୍ତି, "ଆମେ ଅକ୍ଟୋବର ୧ଠାରୁ ରୋଷେଇର କିଛି ସମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବୁ। ଏହା ସହିତ, ଫର୍ଣ୍ଣିଚର ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ ହେବ । ଏହାର ମୁଖ୍ୟ କାରଣ ହେଉଛି ଅନ୍ୟ ଦେଶଗୁଡ଼ିକ ଏହି ଉତ୍ପାଦଗୁଡ଼ିକର ବହୁ ପରିମାଣରେ ଆମେରିକାକୁ ପଠାଉଛନ୍ତି । ଏହା ଠିକ୍‌ ନୁହେଁ କିନ୍ତୁ ଜାତୀୟ ସୁରକ୍ଷା ପାଇଁ ଆମକୁ ଏହା କରିବାକୁ ପଡିବ। "

ଭାରି ଟ୍ରକ୍ ଉପରେ ୨୫% ଶୁଳ୍କ- ଟ୍ରମ୍ପ କହିଛନ୍ତି, "ଆମର ଭାରି ଟ୍ରକ୍ ନିର୍ମାତାମାନଙ୍କୁ ବିଦେଶୀ ଦେଶମାନଙ୍କଠାରୁ ପ୍ରତିଯୋଗିତାରୁ ରକ୍ଷା କରିବା ପାଇଁ ଅକ୍ଟୋବର ପହିଲାରୁ ବିଶ୍ୱର ଅନ୍ୟ ଦେଶରେ ଉତ୍ପାଦିତ ସମସ୍ତ ଭାରି ଟ୍ରକ୍ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବୁ । ଏହା ଆମର ପ୍ରମୁଖ ଟ୍ରକ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ, ଯେପରିକି ପିଟରବିଲ୍ଟ, କେନୱର୍ଥ, ଫ୍ରେଟ୍ ଲାଇନର୍‌କୁ ରକ୍ଷା କରିବ । ଆମର ଟ୍ରକ୍ ଡ୍ରାଇଭରମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ ଏବଂ ସଶକ୍ତ କରିବା  ଆବଶ୍ୟକ। "

କିପରି ପ୍ରଭାବିତ ହେବ ଭାରତ ? ଔଷଧ ଉତ୍ପାଦ ପାଇଁ ଆମେରିକା ଭାରତର ସର୍ବବୃହତ ରପ୍ତାନି ବଜାର । ଭାରତୀୟ ଔଷଧ ସାମଗ୍ରୀ ରପ୍ତାନି ପ୍ରୋତ୍ସାହନ ପରିଷଦ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪ରେ, ଭାରତର ମୋଟ ୨୭.୯ ବିଲିୟନ ମୂଲ୍ୟର ଔଷଧ ରପ୍ତାନିର ୩୧% ଆମେରିକାକୁ ଯାଇଥିଲା । ରିପୋର୍ଟ ଅନୁଯାୟୀ, ଭାରତ ଆମେରିକାରେ ବ୍ୟବହୃତ ୪୫ ପ୍ରତିଶତ ଜେନେରିକ୍ ଏବଂ ୧୫ ପ୍ରତିଶତରୁ ଅଧିକ ବାୟୋସିମିଲର ଔଷଧ ଯୋଗାଣ କରେ । ସନ୍ ଫାର୍ମା ଏବଂ ଗ୍ଲେଡମାର୍କ ଫାର୍ମା ଭଳି କମ୍ପାନୀଗୁଡ଼ିକ ଆମେରିକା ବଜାରରୁ ସେମାନଙ୍କର ମୋଟ ରାଜସ୍ୱର ୩୦-୫୦ ପ୍ରତିଶତ ଉତ୍ପାଦନ କରୁଥିବା ଜଣାପଡ଼ିଛି ।

ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ କାରଣରୁ କିଛି ଦିନ ଧରି ଉତ୍ତେଜନା ଲାଗି ରହିଥିବା ବେଳେ, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଟ୍ରେଡ୍‌ ଡିଲ୍‌କୁ ନେଇ ଆଲୋଚନା ଆରମ୍ଭ ହୋଇଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଆମେରିକା ଗସ୍ତ ପରେ, ଏକ ବାଣିଜ୍ୟ ଚୁକ୍ତି ଆଲୋଚନାର ଆଶା ମଧ୍ୟ ବୃଦ୍ଧି ପାଇଛି । ହେଲେ ପୁଣି ଔଷଧ ଉପରେ ଟ୍ରମ୍ପଙ୍କ ଟାରିଫ୍ ବୋମା ସମ୍ପର୍କକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି ।