ୱାଶିଂଟନ୍: ବିଦେଶାଗତ ଫାର୍ମା ଶିଳ୍ପ ଉପରେ ଟାରିଫ ମାଡ କରିବାର ସପ୍ତାହେ ନଜାଉଣୁ ଟ୍ରମ୍ପ ଆଉ ଏକ ନୂଆ ଟାରିଫ ବମ ମାଡ କରିଛନ୍ତି।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋମବାର ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ବିଦେଶରେ ନିର୍ମିତ ସମସ୍ତ ଚଳଚ୍ଚିତ୍ର ଉପରେ ୧୦୦% ଟାରିଫ୍ ଲଗାଇବା ପାଇଁ ଘୋଷଣା କରିଛନ୍ତି। ଏହା ଅମେରିକୀୟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ସୁରକ୍ଷା ଦେବାର ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତି।

ଏନେଇ ଟ୍ରମ୍ପ କହିଛନ୍ତି ଯେ, "ଆମର ଚଳଚ୍ଚିତ୍ର ନିର୍ମାଣ ବ୍ୟବସାୟକୁ ଅନ୍ୟ ଦେଶମାନଙ୍କ ଦ୍ୱାରା ଅମେରିକାରୁ ଚୋରି କରିନିଆଯାଇଛି। ଯେମିତି ଶିଶୁଙ୍କ ମୁହଁରୁ କେହି ଚକଲେଟ ଚୋରି କରିନିଏ," ଟ୍ରମ୍ପ୍ ଲେଖିଛନ୍ତି। ଆପଣହ୍କୁ ଜଣାଇରଖୁ ଯେ ଟ୍ରମ୍ପ ଗତ ମେ ମାସରେ ଏନେଇ ପ୍ରଥମେ ସଙ୍କେତ ଦେଇଥିଲେ। ପ୍ରରମ୍ଭିକ ପର୍ଯ୍ୟାୟରେ ସେ କମର୍ସ୍ ଡିପାର୍ଟମେଣ୍ଟ ଓ ୟୁଏସ୍ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ (ୟୁଏସଟିଆର୍)କୁ ବିଦେଶୀ ଚଳଚ୍ଚିତ୍ର ଗୁଡ଼ିକ ଉପରେ ଉଚ୍ଚ ଡ୍ୟୁଟି ଲଗାଇବାର ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ସେତେବଳେ ସେ ଏହାକୁ ଅର୍ଥନୈତିକ ଓ ରଣନୀତିଗତ ସମସ୍ୟା ଭାବେ ବର୍ଣ୍ଣନା କରି, "ଅମେରିକୀୟ ମୁଭି ଇଣ୍ଡଷ୍ଟ୍ରୀ ଦ୍ରୁତଗତିରେ କ୍ଷୟ ହେଉଛି" ବୋଲି ସତର୍କ କରିଥିଲେ।

ଗୋଟିଏ ପଟେ ଟ୍ରମ୍ପ ଆମେରିକାର ଚଳଚ୍ଚିତ୍ର ଶିଳ୍ପକୁ ବଞ୍ଚାଉଛନ୍ତି ବୋଲି ଦାବି କରୁଥିବା ବେଳେ ଅନ୍ଯପଟେ ଇଣ୍ଡଷ୍ଟ୍ରୀ ବିଶେଷଜ୍ଞମାନେ ଏହି ନୀତି ହଲିଉଡ୍‌କୁ କ୍ଷତି ପହଞ୍ଚାଇପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି। ଡିଜନି, ପାରାମାଉଣ୍ଟ୍ ଓ ୱାର୍ନର୍ ବ୍ରଦର୍ସ ଭଳି ଅନେକ ଆମେରିକୀୟ ଚଳଚ୍ଚିତ୍ର ନିର୍ମାଣକାରି ସଂସ୍ଥା ନିର୍ମାଣ ଖର୍ଚ୍ଚ କମାଇବା ପାଇଁ ବାହାର ଦେଶରେ ସୁଟିଂ କରଥାନ୍ତି। ବିଶ୍ଳେଷକମାନେ ଚେତାବନି ଦେଇ କହିଛନ୍ତି ଯେ ଟ୍ରମ୍ପଙ୍କ ଏହି ନୀତି ଅନେକ କମ୍ପାନୀଗୁଡିକୁ ଆହୁରି ସଙ୍କୁଚିତ କରିପାରେ।

ଟ୍ରମ୍ପଙ୍କ ଏହି ଘୋଷଣାର ଚୀନ ସହିତ ସିଧାସଳଖ ଲିଙ୍କ ରହିଛି। ଯାହା ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ଫିଲ୍ମ ବଜାର ଭାବେ ପରିଗଣିତ ହୋଇଥାଏ। ଆମେରିକାର ଅନେକ ପିଲ୍ମ ନିର୍ମାତା ନିଜ ଫିଲ୍ମ ନିର୍ମାଣ କରିବାକୁ ସିଧାସଳଖ ଚୀନ ଉପରେ ନିର୍ଭର କରିଥାଏ।

ସୋମବାର ଟ୍ରମ୍ପଙ୍କ ଏହି ନୂତନ ଘୋଷଣା ପରେ, ଏଣ୍ଟରଟେଣ୍ଟମେଣ୍ଟ ଷ୍ଟକ୍‌ଗୁଡ଼ିକ ପ୍ରିମାର୍କେଟ ଟ୍ରେଡିଂରେ ହ୍ରାସ ପାଇଛି। ନେଟଫ୍ଲିକ୍ସ ୧.୪% ଓ ୱାର୍ନର୍ ବ୍ରଦର୍ସ୍ ଡିସ୍କଭରୀର ସେୟାର ୦.୬% ଖସିଛି ବୋଲି ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ୍ ରିପୋର୍ଟ୍ ପ୍ରକାଶ କରିଛି। ସେହିଭଳି ଟ୍ରମ୍ପ ଗତ ସପ୍ତାହରେ ଔଷଧରୁ ଆରମ୍ଭ କରି କିଚେନ୍ କ୍ୟାବିନେଟ୍‌ ପର୍ଯ୍ୟନ୍ତ ସମସ୍ତ ଆମଦାନି ଉତ୍ପାଦ ଉପରେ ନୂତନ ଟ୍ୟାକ୍ସ୍‌ପ୍ୟାକେଜ୍ ଘୋଷଣା କରିଥିଲେ।

ଏହି ପଦକ୍ଷେପଗୁଡ଼ିକ ଅମେରିକୀୟ ଉତ୍ପାଦକମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ନିଆଯାଇଛି, କିନ୍ତୁ ଏହା ଉପଭୋକ୍ତାମାନଙ୍କ ଉପରେ ଖର୍ଚ୍ଚ ବୃଦ୍ଧି କରିପାରେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ତେବେ ଏହି ନୂଆ ନିଷ୍ପତ୍ତି ଚୀନ ସହିତ ଚାଲିଆସୁଥିବା ବାଣିଜ୍ୟ ସଂଘର୍ଷକୁ ଆହୁରି ଅଧିକ ଜଟିଳ କରିପାରେ ବୋଲି ଅନୁମାନ କରାଯାଉଛି।