ନ୍ୟୁୟର୍କ: ମଙ୍ଗଳବାରଠୁ ଆମେରିକାରେ ଯୁକ୍ତରାଷ୍ଟ୍ର ସଂଯୁକ୍ତ ସଭା (ୟୁଏନ୍‌)ର ୮୦ ତମ ସାଧାରଣ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ଅଧିବେଶନରେ ଡୋନାଲ୍ଡ ଟ୍ରମ୍ପ ନିଜର ଅଭିଭାଷଣରେ ଚାଇନା ଓ ଭାରତକୁ ସିଧାସଳଖ  ଟାର୍ଗେଟ କରିଛନ୍ତି। ଯେଉଁଠି ସେ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଭାରତ ଓ ଚୀନଙ୍କୁ ମୁଖ୍ୟ ଅର୍ଥନୈତିକ ସମର୍ଥକ ବୋଲି କହିଛନ୍ତି। ଏହାସହ ରୁଷ୍‌ରୁ ତୈଳ-ଗ୍ୟାସ୍‌ କିଣୁଥିବା ସମସ୍ତ ଦେଶ ମସ୍କୋକୁ ସାହାଯ୍ୟ କରୁଛନ୍ତି, ଯାହା ଯୁଦ୍ଧକୁ ଅଧିକ ଲମ୍ବା କରୁଛି ବୋଲି ସେ କହିଛନ୍ତି।

ଟ୍ରମ୍ପ ନିଜ ଭାଷଣରେ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧକୁ ବହୁ ଜଲଦି ବନ୍ଦ କରିବା ସମ୍ଭବ। କିନ୍ତୁ, ଭାରତ ଓ ଚୀନ ୮୦% ରୁଷିୟ ତୈଳ ଓ ୬୦% ଗ୍ୟାସ୍‌ ଆମଦାନି କରୁଛନ୍ତି। ଯାହା ପୁଟିନଙ୍କୁ ଏହି ଯୁଦ୍ଧ ଚଲାଇବାରେ ସାହାଯ୍ୟ କରୁଛି। ତେବେ ସେ ଏହି ଗତିବିଧିକୁ "ଯୁଦ୍ଧରେ ଅର୍ଥନୈତିକ ସମର୍ଥନ" ବୋଲି କହିଛନ୍ତି।

ଖାଲି ଏତିକି ନୁହେଁ ଟ୍ରମ୍ପ ଏହି ଯୁଦ୍ଧ ପାଇଁ ୟୁରୋପ ସହ ନାଟୋ ଦେଶମାନଙ୍କୁ ମଧ୍ୟ ଦାୟି କରିଛନ୍ତି। ସେ କହିଛନ୍ତି ଯେ, ୟୁରୋପିୟ ସଂଘ ରୁଷ୍‌ରୁ ଉତ୍ପାଦ କିଣିବା ବନ୍ଦ ନକରିବା ଦ୍ୱାରା ଏହା ମଧ୍ୟ ଯୁଦ୍ଧକୁ ଲମ୍ବା କରୁଛନ୍ତି। ଏନେଇ ସେ କହିଛନ୍ତି, "ୟୁରୋପ କେବଳ ୯% ରୁଷିୟ ତୈଳ ଆମଦାନି କରୁଛି, କିନ୍ତୁ ଏହା ମଧ୍ୟ ଯୁଦ୍ଧକୁ ଚାଲୁ ରଖିବାରେ ସାହାଯ୍ୟ କରୁଛି। ଏହାକୁ ବହୁ ଜଲଦି ବନ୍ଦ କରିବାର ଆବଶ୍ୟକତା ରହିଛି।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଭାରତ ଓ ଚୀନ ରୁଷକୁ ଅର୍ଥନୈତିକ ଭାବେ ସମର୍ଥନ କରୁଛନ୍ତି। ଯାହା ଯୁକ୍ରେନକୁ ଧିରେଧିରେ ନଷ୍ଟ କରୁଛି। ୟୁରୋପକୁ ନିଜ ଉତ୍ପାଦନ ବଢ଼ାଇ ରୁଷଠୁ ଦୂରେଇବାର ଆବଶ୍ୟକତା ରହିଛି। ଖାଲି ଏତିକି ନୁହେଁ ୟୁରୋପୀୟ ସଂଘ ରୁଷ ଉପରେ ଆମେରିକା ଭଳି କଡା ଟାରିଫ ଲଗାଇବାର ଆବଶ୍ୟକତା ରହିଛି।"

ଟ୍ରମ୍ପଙ୍କ ଏହି କଥନ ଯୁଏନ୍‌ ସଭାରେ ଭାରତ ଓ ଚୀନଙ୍କ ସହ ଯୁକ୍ତରାଷ୍ଟ୍ରର ସଂପର୍କକୁ ପ୍ରଭାବିତ କରିପାରେ। ବିଶେଷକରି ଭାରତ ଆମେରିକା କ୍ଷେତ୍ରରେ ଏହା ଅଧିକ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପ୍ରଥମରୁ ଟ୍ରମ୍ପ କେବେ ଭାରତକୁ ସିଧାସଳଖ ଭାବେ ଟାର୍ଗେଟ କରିନଥିବା ବେଳେ ୟୁଏନ ଭଳି ଏକ ଆନ୍ତର୍ଜାତୀୟ ମଞ୍ଚରେ ସେ ସିଧାସଳଖ ଭାରତକୁ ଟାର୍ଗେଟ କରିଛନ୍ତି।

ଖାଲି ଏତିକି ନୁହେଁ ଟ୍ରମ୍ପ ନିଜେ ଜାତିସଂଘକୁ ମଧ୍ୟ ସମାଲୋଚନା କରିଛନ୍ତି। ଏନେଇ ସେ ଯୁକ୍ତି ଦେଇଛନ୍ତି ଯେ ଏହି ସଂଗଠନ ପ୍ରାୟତଃ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସୃଷ୍ଟି କରିଛି। ଟ୍ରମ୍ପ କହିଛନ୍ତି ଯେ "ସଂଯୁକ୍ତ ରାଷ୍ଟ୍ର ଆକ୍ରମଣକୁ ବନ୍ଦ କରିବା ଉଚିତ, ସୃଷ୍ଟି କରିବା ଉଚିତ ନୁହେଁ ଏବଂ ଆର୍ଥିକ ସହାୟତା ଦେବା ଆଦୌ ଉଚିତ ନୁହେଁ।"