ନୂଆଦିଲ୍ଲୀ ୧୨/୧୦:  ବୈଜ୍ଞାନିକମାନେ ପ୍ରଥମ ଥର ପରସ୍ପରକୁ ପରିକ୍ରମା କରୁଥିବା ଦୁଇଟି ବ୍ଲାକ୍‌ହୋଲର ଦୃଶ୍ୟ ଦେଖିବାକୁ ପାଇଛନ୍ତି । ଅଧ୍ୟୟନର ପ୍ରଥମ ଲେଖକ ଫିନ୍‌ଲାଣ୍ଡ ସ୍ଥିତ ୟୁନିଭର୍ସିଟି ଅଫ୍‌ ଟୁର୍କୁର ନକ୍ଷତ୍ରବିଜ୍ଞାନୀ ମଉରି ଭାଲଟୋନେନ୍‌ ଏ ବିଷୟରେ ସ୍ପଷ୍ଟ କରିଛନ୍ତି । ଛବିରେ ଦୁଇ ବ୍ଲାକ୍‌ହୋଲ ତୀବ୍ର କଣିକାଗୁଡ଼ିକର ଜେଟ୍‌ ଛାଡୁଥିବା ଚିହ୍ନଟ କରାଯାଇଛି । ନାଁ ଅନୁରୂପ ଉଭୟ ବ୍ଲାକ୍‌ହୋଲ ଏକ୍‌ଦମ କଳା, କିନ୍ତୁ ନିର୍ଗତ କରୁଥିବା କଣିକାଗୁଡ଼ିକର ଜେଟ୍‌ କିମ୍ବା ଗର୍ତ୍ତ ଚତୁଃପାଶ୍ୱର୍ରେ ଉଜ୍ଜ୍ୱଳ ଗ୍ୟାସ୍‌ ଦ୍ୱାରା ଏମାନଙ୍କୁ ଚିହ୍ନଟ କରାଯାଇପାରେ ।

ବିଶାଳ ନକ୍ଷତ୍ରମାନଙ୍କର ବିଲୟରୁ ବ୍ଲାକ୍‌ହୋଲ ଜନ୍ମ ନେଇଥାନ୍ତି ଏବଂ ଚତୁଃପାଶ୍ୱର୍ର ଗ୍ୟାସ୍‌, ଧୂଳି, ନକ୍ଷତ୍ର ଓ ଅନ୍ୟ ବ୍ଲାକ୍‌ହୋଲଙ୍କୁ ଗିଳି କାୟା ବିସ୍ତାର କରିଥାନ୍ତି । କିଛି ବ୍ଲାକ୍‌ହୋଲ ଆଖପାଖରେ ଉପାଦାନଗୁଡ଼ିକର ଘର୍ଷଣ ଯୋଗୁ ଉତ୍ତପ୍ତ ହୋଇ ଆଲୋକ ଉତ୍ପନ୍ନ କରନ୍ତି, ଯାହାକୁ ଟେଲିସ୍କୋପ୍‌ ଚିହ୍ନଟ କରିପାରନ୍ତି । ଏହି ବ୍ଲାକ୍‌ହୋଲ ଆକ୍ଟିଭ୍‌ ଗାଲାକ୍ଟିକ୍‌ ନ୍ୟୁକ୍ଲି(ଏଜିଏନ୍‌)ରେ ରୂପାନ୍ତରିତ ହୋଇଥାନ୍ତି ।

ଅଧିକାଂଶ ଚରମ ଏଜିଏନ୍‌ ହେଉଛନ୍ତି କ୍ୱାସାର୍‌, ଯାହା ସୂର୍ଯ୍ୟଠୁ ଅରବ ଗୁଣ ଭାରୀ ସୁପର୍‌ମାସିଭ ବ୍ଲାକ୍‌ହୋଲ । ଏହି ବ୍ଲାକ୍‌ହୋଲ ନିଜର ଗ୍ୟାସୀୟ ଆବରଣକୁ ହଟାଇ ଉଜ୍ଜ୍ୱଳତମ ନକ୍ଷତ୍ରଙ୍କଠୁ ଟ୍ରିଲିଅନ୍‌ ଗୁଣ ଅଧିକ ଉଜ୍ଜ୍ୱଳ ଆଲୋକ ବିସ୍ଫୋରଣ କରନ୍ତି । ଏହି ଆଲୋକର ଉଜ୍ଜ୍ୱଳ ଜେଟ୍‌ ଯେତେବେଳେ ପୃଥିବୀର ଦୃଷ୍ଟି ରେଖା ପ୍ରତି ଇଙ୍ଗିତ କରନ୍ତି, ସେଗୁଡ଼ିକୁ ବ୍ଲାଜାର୍‌ କୁହାଯାଏ । ବୈଜ୍ଞାନିକମାନେ ଏହା ପୂର୍ବରୁ ଆମ ମିଲ୍‌କି ୱେର କେନ୍ଦ୍ରରେ ଏବଂ ଏହାର ନିକଟସ୍ଥ ଆକାଶଗଙ୍ଗା ମେସିୟର ୮୭ରେ ସୁପର୍‌ମାସିଭ ବ୍ଲାକ୍‌ହୋଲ ଚିହ୍ନଟ କରିଛନ୍ତି । ଚିହ୍ନଟ ମାଧ୍ୟାକର୍ଷଣ ତରଙ୍ଗରେ ଦ୍ୱେତ ବ୍ଲାକ୍‌ହୋଲ ଓ ସେମାନଙ୍କ ବିଲୟର ପ୍ରଚୁର ପ୍ରମାଣ ମଧ୍ୟ ପାଇଛନ୍ତି । ଓଜେ୨୮୭ବ୍ଲାକ୍‌ହୋଲ ନିଜର ଏକ ସାଥୀ ସହିତ ପରିକ୍ରମା କରୁଛି ବୋଲି ବହୁ ପୂର୍ବରୁ ଅନୁମାନ କରାଯାଉଥିଲେ ହେଁ, ଟେଲିସ୍କୋପ୍‌ଗୁଡ଼ିକ ସେମାନଙ୍କୁ ଏକକ ବିନ୍ଦୁରୁ ଅଲଗା କରିବାରେ ଅସମର୍ଥ ଥିଲେ ।

ବାସ୍ତବରେ ଓଜେ୨୮୭ର ଅବଲୋକନ ଏତେ ପୁରୁଣା ଯେ ନକ୍ଷତ୍ରବିଜ୍ଞାନୀମାନେ ବ୍ଲାକ୍‌ହୋଲର ଅସ୍ତିତ୍ୱ ବିଷୟରେ ଜାଣିନଥିଲେ । ସମୟ ସମୟରେ ଏହାର ଆଲୋକ ବିସ୍ଫୋରଣକୁ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ନିକଟସ୍ଥ ବ୍ରହ୍ମାଣ୍ଡୀୟ ବସ୍ତୁଗୁଡ଼ିକର ଅଧ୍ୟୟନ ନିମନ୍ତେ ଫଟୋଗ୍ରାଫିକ୍‌ ପ୍ଲେଟ୍‌ରେ ସାମିଲ କରାଗଲା । ଏହି ପ୍ଲେଟ୍‌ରୁ ନିଆଯାଇଥିବା ତଥ୍ୟଗୁଡ଼ିକର ପୁନଃ ଅବଲୋକନ ଦ୍ୱାରା ୧୯୮୦ ଦଶକରେ ବୈଜ୍ଞାନିକମାନେ ଅନୁମାନ କରିବାକୁ ଲାଗିଲେ ପରିକ୍ରମାରତ ଦୁଇ ବ୍ଲାକ୍‌ହୋଲ ଦ୍ୱାରା ଉକ୍ତ ପ୍ରଣାଳୀ ନିୟମିତ ଧିମା ଓ ଉଜ୍ଜ୍ୱଳ ହେଉଛି ।

ଏହାର ପ୍ରମାଣକୁ ଦେଖିବା ଲାଗି ନକ୍ଷତ୍ରବିଜ୍ଞାନୀମାନେ ୨୦୧୧ରୁ ୨୦୧୯ ମସିହା ପର୍ଯ୍ୟନ୍ତ ରେଡିଓ ଟେଲିସ୍କୋପ୍‌ଯୁକ୍ତ ରୁଷ୍‌ର ଏକ ବୈଜ୍ଞାନିକ ସାଟେଲାଇଟ୍‌ରେଡିଓଆଷ୍ଟ୍ରୋନ୍‌ ବା ସ୍ପେକ୍ଟର- ଆର୍‌ ସାଟେଲାଇଟ୍‌ ନେଟ୍‌ୱର୍କ ଦ୍ୱାରା ପ୍ରାପ୍ତ ଏକ ରେଡିଓ ଛବିକୁ ପ୍ରୟୋଗ କରିଥିଲେ । ସାଟେଲାଇଟ୍‌ର ରେଡିଓ ଆଣ୍ଟିନା ଚନ୍ଦ୍ରର ଅଧାବାଟକୁ ଗଲା, ଯାହା ଛବିର ରିଜୋଲ୍ୟୁସନ୍‌କୁ ଅତି ଉନ୍ନତ କଲା । ଭାଲ୍ଟୋନେନ୍‌ କହିଛନ୍ତି, ସାମ୍ପ୍ରତିକ ବର୍ଷମାନଙ୍କରେ ଆମେ କେବଳ ପୃଥିବୀ- ଆଧାରିତ ଟେଲିସ୍କୋପ୍‌ ବ୍ୟବହାର କରୁଛୁ, ଯେଉଁଥିରେ ଛବିର ସ୍ୱଚ୍ଛତା ସେତେ ଭଲ ନୁହେଁ ।