ସତ୍ୟବାଦୀ,୨୧/୧୦ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବାଙ୍ଗୀୟ ତନ୍ତ୍ରପୀଠ ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ରାତି ପ୍ରାୟ ୧୨ଟା ସମୟରେ ମଞ୍ଚ ପାର୍ଶ୍ୱରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ  ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି l ଉପସ୍ଥିତ ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ରର ଆଗ୍ନିକମାନେ ଓ ଭକ୍ତମାନେ ଉଭୟ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ବୀର ଗୋବିନ୍ଦପୁର ଗ୍ରାମରେ କାଳୀପୂଜା ନିମନ୍ତେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ l

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦୀପସ୍ମିତା ରାୟ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଦ୍ବୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ l ସାକ୍ଷୀଗୋପାଳ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ସତ୍ୟବାଦୀ ପୋଲିସ ଶବ ଦ୍ବୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ l ଫରେନସିକ ଟିମ୍ ଉଭୟ ମୃତକଙ୍କ ଫଟୋ, ଅଙ୍ଗୁଳି ଛାପ ଓ ଡିଏନଏ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି l ସତ୍ୟବାଦୀ ଥାନାରେ କେଶ ନଂ୨୬/୨୫ରେ ଏକ ମାମଲା ରୁଜୁ ହୋଇଛି l ମୃତକ ଦ୍ବୟଙ୍କ ପରିଚୟ ଜଣା ପଡ଼ି ନ ଥିବା ଦୃଷ୍ଟିରୁ ଚିହ୍ନଟ ନିମନ୍ତେ ସତ୍ୟବାଦୀ ପୁଲିସ ତରଫରୁ ଉଭୟ ମୃତକଙ୍କ ଫଟୋ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାର କରାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।