ମାଲକାନଗିରି, ୧୯/୯ (ଆପ୍ର): ନଦୀ ନାଳ ପାର ହୋଇ ଦୁର୍ଗମ ଅପହଞ୍ଚ ବଣ୍ଡାଘାଟିରେ ପହଁଚି ଆଦିମ ବଣ୍ଡା ଜନଜାତି ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଛନ୍ତି ଦୁଇ ମହିଳା ସ୍ୱାସ୍ଥ୍ୟ କର୍ମୀ। ଦୁର୍ଗମ ଅପହଞ୍ଚ ଇଲାକା ବଣ୍ଡାଘାଟୀ ଚେପଲପଡା ଗ୍ରାମରେ ସ୍ୱାସ୍ଥ୍ୟ ସେବାକୁ ପହଞ୍ଚାଇବେ କିପରି ଦୁଇ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଥିଲା ଗୋଟିଏ ବିରାଟ ଚ୍ୟାଲେଞ୍ଜ। “ସୁସ୍ଥ ନାରୀ ସଶକ୍ତ ପରିବାର” କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଆରମ୍ଭ କରିଥିବା ସମୟରେ, ଏହାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମର୍ପିତ ଭାବରେ ପ୍ରୟାସ କରିଛନ୍ତି ସ୍ୱାସ୍ଥ୍ୟ କର୍ମୀ ନିବେଦିତା ସାହୁ ଓ ସିଏଚଓ ମଧୁସ୍ମିତା ପଣ୍ଡା।
ଚେପୁଲପଡ଼ା ପହଞ୍ଚିବାର ଯାତ୍ରା ସହଜ ନଥିଲା। ସାଧାରଣ ରାସ୍ତା ନଥିବାରୁ ସେମାନଙ୍କୁ ପାହାଡ଼ ଚଢ଼ିବାକୁ, ଘଞ୍ଚ ଜଙ୍ଗଲରେ ଦୁଇ କିଲୋମିଟର ଦୂର ଚାଲିବାକୁ ଏବଂ ଦୁଇଟି ନାଳ ପାର ହେବାକୁ ପଡ଼ିଥିଲା । ଏତେ ସଂଘର୍ଷମୟ ଯାତ୍ରାରେ ସ୍ବାସ୍ଥ୍ୟ ସାମଗ୍ରୀ, ଔଷଧ ଓ ପରୀକ୍ଷା ସାଧନ ସାମଗ୍ରୀ ବୋହି ନେଇ ଦୁର୍ଗମ ଗାଁରେ ପହଞ୍ଚିବା କଷ୍ଟକର ହୋଇଥିଲେ ହେଁ ସେମାନେ ନଦୀ ନାଳ ପାର ହୋଇ ସେ ଗାଁରେ ପହଁଚି ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ଏହି ଦୁଇ ମହିଳା ସ୍ୱାସ୍ଥ୍ୟ କର୍ମୀ।
ସେମାନଙ୍କର ଏହି ପ୍ରୟାସ କେବଳ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ନୁହେଁ, ବରଂ ଗ୍ରାମ୍ୟ ନାରୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ସହ ପରିବାରକୁ ସଶକ୍ତ କରିବା ଓ ସମାଜରେ ସୁସ୍ଥ ପରିବେଶ ଗଢ଼ିବାରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ବଣ୍ଡାଘାଟୀ ଭଳି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ଯେଉଁ ସମର୍ପଣ, ସାହସ ଓ ସେବାଭାବ ସହିତ କାମ କରୁଛନ୍ତି, ସେଥିରେ ତାଙ୍କର ଦୃଢ଼ତା ଓ ମାନବିକତାର ପ୍ରକାଶ ସ୍ପଷ୍ଟ ଭାବେ ଦେଖାଯାଉଛି।
ଏହି ସଂଘର୍ଷମୟ ଯାତ୍ରା କେବଳ ଗୋଟିଏ କାର୍ଯ୍ୟକ୍ରମର ଅଂଶ ନୁହେଁ । ବରଂ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ପହଞ୍ଚାଇବାରେ ସ୍ୱାସ୍ଥ୍ୟ କର୍ମୀଙ୍କ ସତ୍ୟ ସମର୍ପଣର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇଛି। ତେବେ ଉକ୍ତ ଦୁଇ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ମନୋଭାବକୁ ସମଗ୍ର ବଣ୍ଡା ଘାଟିର ଲୋକେ ପ୍ରଶଂସା କରିଛନ୍ତି।