ୱାଶିଂଟନ ଡିସି,୨୬/୧୦: ଆମେରିକା ଖୁବଶୀଘ୍ର ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଉପରେ ଆକ୍ରମଣ କରିପାରେ । ବିଶେଷକରି ଯେଉଁ ମାର୍ଗ ଦେଇ ନିଶାଦ୍ରବ୍ୟ (ଡ୍ରଗ୍ସ) ଚୋରାଚାଲାଣ ହେଉଛି ତାହା ଉପରେ ହମ୍ଲା ହୋଇପାରେ । ଏମିତି କି ଡ୍ରଗ୍ସ ଠିକଣାକୁ ବି ଟାର୍ଗେଟ୍ କରାଯାଇପାରେ । ଭେନେଜୁଏଲାରୁ ହେଉଥିବା ଡ୍ରଗ୍ସ ଚାଲାଣକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅତ୍ୟନ୍ତ କ୍ଷୁବ୍ଧ ଅଛନ୍ତି । ଏହାକୁ ନେଇ ଦୁଇଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି ।
ରିପୋର୍ଟ ମୁତାବକ, ଭେନେଜୁଏଲା ଉପରେ ଆକ୍ରମଣ କରିବା ନେଇ ଟ୍ରମ୍ପ୍ ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । କିନ୍ତୁ ବଡ଼ ଆକ୍ରମଣ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି । ଭେନେଜୁଏଲା ଆଡ଼କୁ ଯୁଦ୍ଧ ଜାହାଜ ମଧ୍ୟ ପଠାଯାଇଛି । କେଉଁ ସ୍ଥାନରେ ଆକ୍ରମଣ କରାଯିବ, ତାହାକୁ ନେଇ ଟ୍ରମ୍ପ୍ ଆଲୋଚନା କରୁଛନ୍ତି । ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ ନୌସେନାର ସବୁଠୁ ବଡ଼ ତଥା ବିକଶିତ ବିମାନବାହୀ ଷ୍ଟ୍ରାଇକ୍ ଗ୍ରୁପ୍ ୟୁଏସ୍ଏସ୍ ଜେରାଲ୍ଡ ଆର୍ ଫୋର୍ଡକୁ ୟୁରୋପରୁ କ୍ୟାରିବିୟାନ ଅଞ୍ଚଳକୁ ପଠାଇବା ପାଇଁ ଆଦେଶ ଜାରି କରିଛନ୍ତି । ଏହାବ୍ୟତୀତ ଟ୍ରମ୍ପ୍ ସିଆଇଏକୁ ଭେନେଜୁଏଲାରେ ଗୋପନ ଅଭିଯାନ ଚଳାଇବାକୁ ଅନୁମତି ଦେଇଛନ୍ତି । ଏହା ସତ୍ତେ୍ୱ ଟ୍ରମ୍ପ୍ ଏବେ ବି ଭେନେଜୁଏଲାକୁ ଆଲୋଚନା ପାଇଁ ସୁଯୋଗ ଦେଇଛନ୍ତି । କୂଟନୈତିକ ଆଲୋଚନା ବିକଳ୍ପ ଏବେ ବି ଖୋଲା ରହିଥିବା ଟ୍ରମ୍ପ୍ ଦର୍ଶାଇଛନ୍ତି ।
ଆମେରିକାକୁ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ରାଷ୍ଟ୍ରପତି ଏଭଳି ପଦକ୍ଷେପ ନେଇଛନ୍ତି । ଦୁଇ ଦିନ ତଳେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦ୍ୟୁରୋ ଆମେରିକାକୁ ଚେତାବନୀ ଦେଇଥିଲେ । କହିଥିଲେ, ଆମେରିକା ଆଡୁ ସୃଷ୍ଟି ହେଉଥିବା ବିପଦର ମୁକାବିଲା ଲାଗି ଆମେ ସମର୍ଥ । ରୁଷ୍ଠାରୁ ମିଳିଥିବା ୫ ହଜାର ଇଗ୍ଲା-ଏସ୍ ମିସାଇଲ୍କୁ ମୁତୟନ କରି ରଖାଯାଇଛି । ଆମ ପାଖରେ ଥିବା ଏହି ମିସାଇଲ୍ ଦେଶର ଶାନ୍ତି ଓ ସ୍ୱାଧୀନତାର ସୁରକ୍ଷା କରିବ । ଚଳିତବର୍ଷ ଅଗଷ୍ଟ ୭ରେ ଆମେରିକା ମାଦ୍ୟୁରୋଙ୍କ ଉପରେ ୫୦ ନିୟୁତ ଡଲାର ବା ପ୍ରାୟ ୪୨୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।