ନ୍ୟୁୟର୍କ: ପାକିସ୍ତାନ ଓ ଚୀନର ବଡ ଧରଣର ଚାଲକୁ ନାକାମ କରିଦେଲା ଆମେରିକା। ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ସୂଚନା ମୁତାବକ, ବଲୋଚ ଲିବରେସନ ଆର୍ମି(BLA) ଏବଂ ଏହାର ଶାଖା ମଜିଦ୍ ବ୍ରିଗେଡ୍କୁ UN 1267 ନିୟମ ଅଧୀନରେ ନିଷିଦ୍ଧ କରିବାକୁ ପାକ୍ ଓ ଚୀନ ୟୁଏନରେ ଏକ ପ୍ରସ୍ତାବ ଆଗତ କରିଥିଲେ। ହେଲେ ଏହି ପ୍ରସ୍ତାବକୁ ଆମେରିକା, ଯୁକ୍ତରାଜ୍ୟ ଓ ଫ୍ରାନ୍ସ ରୋକି ଦେଇଛନ୍ତି। ଯାହାଫଳରେ ଉଭୟ ଦେଶକୁ ଏକ ଶକ୍ତ ଚାପୁଡା ବାଜିଛି।
ଆମେରିକା ଏହି ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ତେବେ ବୁଧବାର ପାକିସ୍ତାନ ଓ ଚୀନ ମିଳିତ ଭାବେ ଏହି ସଂଗଠନଗୁଡ଼ିକ ଉପରେ ନିଷେଦ୍ଧାଦେଶ ଲଗାଇବା ପାଇଁ ଆବେଦନ କରିଥିଲେ। ଯଦି ୟୁଏନ ଏଥିରେ ସହମତ ହୋଇଥାନ୍ତା ତେବେ BLA ଉପରେ ଯାତ୍ରା ନିଷେଧ, ସମ୍ପତ୍ତି ଜବତ ଓ ଅସ୍ତ୍ର ନିଷେଧ ସମେତ ଅନେକ ସନ୍ଧି ଲଗାଯାଇ ଅନ୍ୟ ଆତଙ୍କୀ ସଂଗଠନ ଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା।
ତେବେ UN 1267 ନିରାପତ୍ତା କମିଟିର ସ୍ଥାୟି ସଦସ୍ୟ ଭାବେ ଆମେରିକା, ଯୁକ୍ତରାଜ୍ୟ ଓ ଫ୍ରାନ୍ସ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ସେମାନେ କହିଛନ୍ତି ଯେ BLA ଓ ମଜିଦ୍ ବ୍ରିଗେଡ୍କୁ Al Qaeda କିମ୍ବା ISIL ସହ ଯୋଡ଼ିବାର କୌଣସି ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ଏଣୁ ଏହିଭଳି କଠିନ ନିୟମ ଏହି ସଂଗଠନ ଉପରେ ଲାଗୁ କରାଯାଇ ପାରିବ ନାହିଁ।
ଆପଣଙ୍କୁ ଜଣାଇ ରଖୁ, ଜାଫର ଏକ୍ସପ୍ରେସ ଘଟଣା ପରେ ଗତ ଅଗଷ୍ଟ ୧୧ ତାରିଖରେ ଆମେରିକା ଏହି ସଂଗଠନକୁ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବେ ଘୋଷଣା କରିଥିଲା। ଏହା ପୂର୍ବରୁ ୨୦୧୯ ମସିହାରେ ଏହାକୁ ବିଶେଷ ବିଶ୍ୱବ୍ୟାପୀ ଆତଙ୍କବାଦୀ (SDGT) ଭାବେ ଚିହ୍ନିତ କରାଯାଇଥିଲା।
UN 1267 ନିୟମ ୧୯୯୯ରେ Al-Qaida, ତାଲିବାନ ଓ ISIL ସହ ଜଡ଼ିତ ସଂଗଠନଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ଗଠିତ ହୋଇଥିଲା। ପାକିସ୍ତାନର ୟୁଏନରେ ଥିବା ସ୍ଥାୟୀ ପ୍ରତିନିଧି ତଥା ଅମ୍ବାସାଡର ଆସିମ ଇଫ୍ତିଖାର୍ ଅହମ୍ମଦ କହିଛନ୍ତି, “ISIL-K, Al-Qaeda, Tehrik-e-Taliban Pakistan, BLA ଓ ମଜିଦ୍ ବ୍ରିଗେଡ୍ ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଆଫଗାନିସ୍ତାନରୁ କାର୍ଯ୍ୟ କରି ସୀମା ଉଲ୍ଲଙ୍ଘନ କରି ଦେଶରେ ଆକ୍ରମଣ ଜାରି ରଖିଛନ୍ତି। ଏହା ପାକିସ୍ତାନର ପ୍ରଧାନ ଜାତୀୟ ସୁରକ୍ଷା ବିପଦ।” ଏହାସହ ସେ ତାଲିବାନ-ନେତୃତ୍ୱାଧୀନ ଆଫଗାନ ସରକାରକୁ ଆତଙ୍କବାଦ ବିରୋଧୀ ଆନ୍ତର୍ଜାତୀୟ ପ୍ରତିବନ୍ଧକ ପୂରଣ କରିବାକୁ ଆହ୍ୱାନ ଜଣାଇଛନ୍ତି।
ତେବେ ଏହି ଘଟଣା ଆନ୍ତର୍ଜାତୀୟ ରାଜନୀତିରେ ଆମେରିକା-ଚୀନ-ପାକିସ୍ତାନ ସମ୍ପର୍କର ଏକ ନୂତନ ଢଙ୍ଗରେ ପ୍ରକାଶ ପାଇଛି। ଗୋଟିଏ ପଟେ ପାକିସ୍ତାନ ଆମେରିକାର ନିକଟତର ହେବାକୁ ଚେଷ୍ଟା କରୁଥିବା ବେଳେ ଟ୍ରମ୍ପ, ଜିଙ୍ଗ ପିଙ୍ଗଙ୍କ ସହ ନୂଆ ଦ୍ୱାପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ବଢାଉଛନ୍ତି। ହେଲେ ୟୁଏନରେ ଏହି ପ୍େରସ୍ତାବକୁ ଆମେରିକା ବିରୋଧ କରିବା ଉଭୟ ଦେଶ ପାଇଁ ଚିନ୍ତାର କାରଣ ହୋଇଚି।