ବାରିପଦା, ୧୫/୯: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ବିଷୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି ।

ଉକ୍ତ ବୈଠକରେ ନବଜାତ ଶିଶୁମାନଙ୍କର ଉପଯୁକ୍ତ ପୋଷଣ ସହ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଚର୍ଚ୍ଚା ହୋଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ଏକ ବିବରଣୀ ଉପସ୍ଥାପନ କରାଯାଇଥିଲା । ବୈଠକ ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ଶିକ୍ଷାକୁ ଆଗେଇ ନେବାରେ ମୟୂରଭଞ୍ଜ ଜିଲ୍ଲାର ଅବଦାନ ଅତୁଳନୀୟ । ମୟୂରଭଞ୍ଜରେ ଅନେକ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଅଛି । ଏହି ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାଏବଂ ବିକଶିତ ଭାରତର ସ୍ୱପ୍ନ ସମ୍ଭବ ହୋଇପାରିବ ନାହିଁ । ବୈଠକରେ ନବଜାତ ଶିଶୁଙ୍କ ପୋଷଣ ଠାରୁ ଆରମ୍ଭ କରି ସେମାନେ ଦ୍ୱାଦଶ ଶ୍ରେଣୀରେ ପଢିବା ପର୍ଯ୍ୟନ୍ତ ସେମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ମିଳିବ, ଦକ୍ଷତା ବୃଦ୍ଧି ହୋଇପାରିବ, ସ୍ୱାସ୍ଥ୍ୟ ଠିକ୍ ରହିବ, ତାହା ଉପରେ ଚର୍ଚ୍ଚା ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାପାସିଟି ବିଲଡିଂ ବଢାଇବା ଆବଶ୍ୟକ । ସାକ୍ଷରତା ହାର ବୃଦ୍ଧି କରିବା ସହ ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ଗୁଣାତ୍ମକ ମାନକୁ ବଢାଇବା ଦିଗରେ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଓଡ଼ିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହନ୍ତ, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ଗସ୍ତକାଳରେ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବାରିପଦାରେ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ପ୍ରଶାସନିକ ଭବନ ଉଦଘାଟନ, ବାରିପଦା ଛଉ ପେଣ୍ଡାଲ ପ୍ରକଳ୍ପ ଓ ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।