ଭୁବନେଶ୍ୱର,୦୯/୧୧: ସହିଦନଗର ଆଲୋକଭାରତୀ ଟାୱାରରୁ ପଲସ୍ତରା ଖସିଲାଣି । କୋଠା ସାରା ଗଛ  ଉଠିଲାଣି । ଜୟଦେବ ବିହାର ଛକରେ ଏକ  କୋଠା ବର୍ଷ ବର୍ଷ ହେଲା ବିପଦସଂକୁଳ  ଅବସ୍ଥାରେ ରହିଛି । ଭୂକମ୍ପ ହେଲେ ଭୁଶୁଡ଼ିବା ଆଶଙ୍କା ରହିଛି । ରାଜଧାନୀରେ  ଏମିତି ମାଳ ମାଳ କୋଠା ଏଭଳି  ଅବସ୍ଥାରେ ରହିଛି । ବିଡିଏ କିମ୍ବା ବିଏମ୍‌ସି  ପକ୍ଷରୁ ସର୍ଭେ କରାଯାଉନାହିଁ । ବଡ଼ ଧରଣର ଅଘଟଣ ଘଟିଲେ ଚେତା ପଶିବ  ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । 

ବିଡିଏ ପକ୍ଷରୁ ସହିଦନଗରରେ  ୧୯୮୭ ମସିହାର ଆଲୋକଭାରତୀ  ଟାୱାର(ମାର୍କେଟ କମ୍ପେ୍ଲକ୍ସ) ନିର୍ମାଣ  କରାଯାଇଥିଲା । ଏହା ଭିତରେ ୩୯ ବର୍ଷ ବିତିଲାଣି । କୋଠା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଗଲାଣି । ହେଲେ ଏହି ମାର୍କେଟ  କମ୍ପେ୍ଲକ୍ସରେ ଏବେ ବି କିଛି ସରକାରୀ  ଅଫିସ ଓ ବ୍ୟାଙ୍କ ଚାଲୁଛି । କୋଠାକୁ  ଦେଖିଲେ ଅସୁରକ୍ଷିତ ମନେ ହେଉଛି।  ହେଲେ ଏହା କେତେ ସୁରକ୍ଷିତ ସେ  ନେଇ କୌଣସି ସର୍ଭେ କରାଯାଉନାହିଁ  ବୋଲି ଅନେକ ଅଫିସ ଓ ବ୍ୟବସାୟୀ  ପ୍ରଶ୍ନ ଉଠାଉଛନ୍ତି । ସିଆର୍‌ପି ଛକରେ  ଥିବା ପ୍ରିୟଦର୍ଶିନୀ ମାର୍କେଟ ଅବସ୍ଥା ବି  ସମାନ । ଉକ୍ତ କୋଠାରେ କେଉଁଠାରେ  ପାହାଚ ଭାଙ୍ଗି ଗଲାଣି ତ କେଉଁଠି  ଛାତର କିଛି ଅଂଶ ଝଡ଼ି ପଡ଼ିଲାଣି ବୋଲି  ମାର୍କେଟ ସଂଘର ସଭାପତି ଶରତ ରାଉତ  କହିଛନ୍ତି । ଏହାକୁ ଭାଙ୍ଗି ସେଠାରେ ନୂତନ  ମାର୍କେଟ କମ୍ପେ୍ଲକ୍ସ ତିଆରି ଲାଗି ପ୍ରସ୍ତବ  ଦିଆଯାଇଥିଲା । ଡିପିଆର୍‌ ହେଲାଣି, କିନ୍ତୁ  କଥା ଆଗଉନି ବୋଲି ସେ କହିଛନ୍ତି । 

ଜୟଦେବ ବିହାର ଛକରେ ଏକ  ବିରାଟ କୋଠା ନିର୍ମାଣ ହୋଇଛି । ବିଲ୍ଡିଂ  ପ୍ଲାନ ଆପ୍ରୁଭାଲର ତ୍ରୁଟି ଯୋଗୁଁ ଘର ନିର୍ମାଣ  ହୋଇ ପଡ଼ିଛି । ସେଠାରେ କିଛି ଲୋକ ଘର ଭଡ଼ା ନେଇ ରହୁଛନ୍ତି । ଏବେ ଉକ୍ତ  ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଏହାର  ଦୁଃସ୍ଥିତି ଆଖିକୁ ଜଳଜଳ ଦିଶୁଛି ।  ବିଏମ୍‌ସି ପକ୍ଷରୁ ତିଆରି ହୋଇଥିବା  ଯାତ୍ରୀ ନିବାସକୁ ଅଘୋଷିତ ଘୋଷଣା  ସତ୍ତେ୍ୱ ଏହା କାର୍ଯ୍ୟକାରୀ କରାଯାଉଛି । 

ପୁରୁଣା ଭୁବନେଶ୍ୱରରେ ଏପରି  ଏକାଧିକ କୋଠା ରହିଛି । ଯାହା  ପ୍ରାୟ ୬୦ରୁ ୭୦ ଦଶକରେ ନିର୍ମାଣ  ହୋଇଥିଲା । କୋଠାଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏହାକୁ  ବିଏମ୍‌ସି ପକ୍ଷରୁ ସର୍ଭେ କରାଯାଉନାହିଁ ।  ସେହିପରି ଶୈଳଶ୍ରୀ ବିହାରରେ ମଧ୍ୟ  ବିଡିଏ ପକ୍ଷରୁ ଆବଣ୍ଟନ ହୋଇଥିବା  ଘର ଉପରେ ଅନେକ ବେଆଇନ୍‌  ନିର୍ମାଣ କରିଛନ୍ତି । ମୂଳ ଘରର ଭିତ୍ତିଭୂମି  ଉପରେ ସନ୍ଦେହ ରହିଥିବା ବେଳେ ଏହା  ଉପରେ ନବୀକରଣ କେତେ ସୁରକ୍ଷିତ  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଓଡିଏ(ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)  ରୁଲ-୨୦୨୦ ଅନୁସାରେ ସହରରେ  ଏଭଳି ପୁରାତନ ବହୁତଳ ବିଶିଷ୍ଟ  କୋଠାକୁ ଚିହ୍ନଟ କରାଯାଇ ବିଏମ୍‌ସି ଓ  ବିଡିଏ ମିଳିତ ଭାବେ ସର୍ଭେ କରାଯିବା  ଲାଗି ଅର୍ବାନ ପ୍ଲାନର ପିୟୁଷ ରାଉତ ମତ  ଦେଇଛନ୍ତି । ହେଲେ ଦୁର୍ଭାଗ୍ୟର କଥା  ଉଭୟ ବିଡିଏ ଏବଂ ବିଏମ୍‌ସି ପାଖରେ  ଏହାର ହିସାବ ନାହିଁ । ବିଭାଗ ପକ୍ଷରୁ  ଅଣଦେଖା କରାଯାଇଛି । ହାଇକୋର୍ଟର  ନିର୍ଦ୍ଦେଶକ୍ରମେ କଟକରେ କୋଠା  ଚିହ୍ନଟ ହୋଇଥିଲେ ମଧ୍ୟ ଭୁବନେଶ୍ୱରେ  ଏହାକୁ ଚିହ୍ନଟ କରାଗଲା ନାହିଁ । ପୁରୁଣା  କୋଠାଗୁଡ଼ିକ ବିଡିଏ ଚିହ୍ନଟ କରିବାର  ଆବଶ୍ୟକ ରହିଛି । ଅନେକ ଘର ପ୍ଲାନିଂରେ  ନିର୍ମାଣ କରାଯାଉନି । ଫଳରେ ଦୀର୍ଘସ୍ଥାୟୀ  ହେଉନି । ଏସମ୍ପର୍କରେ ବିଡିଏର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ଖୁବ୍‌ଶୀଘ୍ର ଏହି  ସବୁ କୋଠାକୁ ଚିହ୍ନଟ କରାଯାଇ ଭଙ୍ଗାଯିବ ।