ଭୁବନେଶ୍ୱର,୦୨/୦୯: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘାରିଛି ଅଣଛାତ୍ର ଚିନ୍ତା । କର୍ତ୍ତୃପକ୍ଷଙ୍କୁ କଲବଲ କରିସାରିଲେଣି ଅଣଛାତ୍ର । ସନ୍ଧ୍ୟା ହେବା ମାତ୍ରେ ହଷ୍ଟେଲରେ ଜମୁଛି ନିଶାଡ଼ିଙ୍କ ଆଡ୍ଡା । କର୍ତ୍ତୃପକ୍ଷ ବାରମ୍ବାର ପୁଲିସ ଲଗାଇ ତଡ଼ୁଛନ୍ତି, ପୁଣି ସ୍ଥିତି ପୂର୍ବ ଅବସ୍ଥାକୁ ଫେରୁଛି । କିନ୍ତୁ ଏଥର ଅଣଛାତ୍ରଙ୍କୁ ବିଦା କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି । ଆସନ୍ତା ୪ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କଡ଼ା  ନିର୍ଦ୍ଦେଶ ଦେଇଛନ୍ତି । 

ସୋମବାର ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ହଷ୍ଟେଲ୍‌ ୱାର୍ଡେନ୍‌ କାର୍ଯ୍ୟାଳୟ ପକ୍ଷରୁ ହଷ୍ଟେଲ୍‌-୧, ହଷ୍ଟେଲ୍‌-୨, ହଷ୍ଟେଲ୍‌-୩ ଖାଲି କରିବାକୁ ଅଣଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଯେଉଁ ଛାତ୍ରଙ୍କୁ ହଷ୍ଟେଲ୍‌ ଆବଣ୍ଟନ କରାଯାଇଛି, ସେମାନେ ଯେପରି କୌଣସି ବ୍ୟକ୍ତିଙ୍କୁ ହଷ୍ଟେଲକୁ ନଆଣନ୍ତି ଓ କାହାକୁ ନରଖନ୍ତି ଧ୍ୟାନ ଦେବାକୁ କୁହାଯାଇଛି ।ଏଥିରେ ଖିଲାପ କଲେ  କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଅଭିଯୋଗ ଆସିଥିଲା,  ଅନେକ ଛାତ୍ର ହଷ୍ଟେଲ ପାଇବା ପରେ ବାହାର ଲୋକଙ୍କୁ ବିକ୍ରି କରୁଛନ୍ତି ।  ତେଣୁ ହଷ୍ଟେଲ୍‌ ଖାଲି କରିବାକୁ ଗତ ମାସ ୧୧ ତାରିଖରେ ଏକ ନୋଟିସ୍‌  କରାଯାଇଥିଲା । ଫକୀରମୋହନ ଛାତ୍ରାବାସରୁ ବିଦ୍ୟୁତ୍‌ ଓ ପାଣି ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା । ଏମିତି ଆଗରୁ ଦେଖିବାକୁ ମିଳିଛି, ଅନେକ ଥର ପୁଲିସ  ଲଗାଇ ହଷ୍ଟେଲ ଖାଲି କରିଛନ୍ତି କର୍ତ୍ତୃପକ୍ଷ । ହେଲେ ଏଥିରେ ସୁଧାର ଆସୁନି।